ବଡ଼ମ୍ବା ସହରପାଖ ବଗିଚାରେ ହାତୀପଲ, ଉଜାଡ଼ୁଛନ୍ତି ଫଳବଗିଚା
![](https://samajalive.in/wp-content/uploads/2021/05/Badamba-Hati-Upadraba-650x430.jpg)
ବଡ଼ମ୍ବା: ବଡ଼ମ୍ବା ସହର ପାଖ ବଡ଼ତୋଟା, ବାଲିଆ ତୋଟା ଏବଂ ଡାହାଣୀଖଳି ତୋଟାରେ ପ୍ରାୟ ସପ୍ତାହେ ହେବ ହାତୀପଲ ଆଡା ଜମାଇଛନ୍ତି। ଏହିସବୁ ସ୍ଥାନରେ ବଡ଼ମ୍ବାର ଅନେକ ଉଦ୍ୟାନକୃଷି ଗଢି ଉଠିଛି। ବିଶେଷକରି ଆଗ୍ରାହୀ ଚାଷୀମାନେ ଏଠାରେ ନିିଜର ଏକରଏକର ଯାଗାରେ ଆମ୍ବ, ପଣସ, କାଜୁ ଆଦି ଫଳବଗିଚା ସାଙ୍ଗକୁ ମୂଲ୍ୟବାନ ଶାଳ ଶାଗୁଆନ ଗଛ ଆଦି ଲଗାଇଛନ୍ତି। ତେବେ ପରିତାପର ବିଷୟ ବିଗତ କିଛି ବର୍ଷ ଧରି ଏହିସବୁ ବଗିଚାକୁ ବଣୁଆ ହାତୀପଲ ଅସୁଛନ୍ତି।
ବିଶେଷକରି ଆମ୍ବ,ପଣସ,କାଜୁ ଆଦି ଫଳ ପାଚିଲେ କିମ୍ବା ଧାନଚାଷ ସମୟରେ ଧାନକ୍ଷେତ ପୁରି ଉଠିଲେ ହାତୀମାନେ ନିଜର ଆହାର ଲାଗି ଆସୁଥିବା ଜଣାଯାଇଛି। ତେବେ ହାତୀପଲ ସଂପୃକ୍ତ ବଗିଚାର ବହୁ ମୂଲ୍ୟବାନ ଗଛସବୁ ନଷ୍ଟକରୁଥିବା ଜଣାଯାଇଛି। ଯେଭଳି ଭାବେ ଧାନକ୍ଷେତ ଦଳି ଦିଅନ୍ତି, ଅନୁରୁପ ଭାବେ ଆମ୍ବ, ପଣସ ତଥା ଶାଗୁଆନ ଗଛ ଆଦିର ଡାଳ ଭାଙ୍ଗିବା ସହ ଅନେକ ଗଜାଗଛ ହାତୀମାନେ ଉପାଡ଼ି ଦେଇ ନଷ୍ଟ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କରୋନାର ମାଡ଼ ତଥା ଲକଡାଉନ ସମୟରେ ଅନେକ କଷ୍ଟ ସ୍ୱିକାରକରି ଆମ୍ବ ବଗିଚା ଜଗିଥିବା ଚାଷୀଙ୍କ ପାଇଁ ଏବେ ହାତୀପଲ ଦୁଃଖର କାରଣ ହୋଇଥିବା ପ୍ରକାଶ। ବନବିଭାଗକୁ ଏନେଇ ଚାଷୀମାନେ ଜଣାଇବା ସହିତ ହାତୀଙ୍କୁ ଅନ୍ୟତ୍ର ଘଉଡ଼ାଇବାପାଇଁ ଚାଷୀମାନେ ପ୍ରତ୍ୟହ ଦାବି କରୁଛନ୍ତି।
ହେଲେ ସ୍ଥାନୀୟ ବନବିଭାଗ ହାତୀ ଘଉଡ଼ାଇବା ଦିଗରେ ପ୍ରତ୍ୟହ ଯଦିଓ ପଦକ୍ଷେପେ ନେଉଛନ୍ତି,ତେବେ ଉକ୍ତ ଅଞ୍ଚଳରୁ ହାତୀମାନେ ଅନ୍ୟତ୍ର ଯାଉନଥିବା ଏବେ ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଥିବା ଜଣାଯାଇଛି। ପଡ଼ୋଶୀ ଢେଙ୍କାନାଳ ଜଙ୍ଗଲରୁ ସଂପୃକ୍ତ ହାତୀପଲ ଖାଦ୍ୟ ଅନ୍ୱେଷଣ କରି ଆସିଥିବା ଏବଂ ଯେତେ ଚେଷ୍ଟା କଲେ ସୁଦ୍ଧା ସେମାନେ ଆମ୍ବ,ପଣସ ଖାଦ୍ୟଆଦି ଲୋଭରେ ଯାଗା ଛାଡ଼ୁନଥିବା ବନାଞ୍ଚଳ ଅଧିକାରୀ ସରୋଜକୁମାର ମହାନ୍ତି କହିଛନ୍ତି। ତେବେ ହଜାରହଜାର ଟଙ୍କାର କ୍ଷତି ଘଟାଉଥିବା ହାତୀପଲଙ୍କୁ ତଡ଼ିପାର କରିବାଦିଗରେ ବନବିଭାଗ ଅଧିକ ଦୃଷ୍ଟି ଦେବାକୁ କ୍ଷତିଗ୍ରସ୍ତ ଚାଷୀମାନେ ଦାବିକରିଛନ୍ତି।
ଅପରପକ୍ଷରେ ପ୍ରତିବର୍ଷ ଏହି ସମସ୍ୟା ଉପୁଜୁଥିବାରୁ ଏହାର ସ୍ଥାୟୀପ୍ରତିକାର ଦିଗରେ ସଂପୃକ୍ତ ଅଞ୍ଚଳରେ ଥିବା ପ୍ରମୁଖ ହାତୀ ପ୍ରବେଶପଥରେ ଖାଇ (ଟ୍ରେଞ୍ଚ) ଖୋଳିବା ଦିଗରେ ବନବିଭାଗ ଠୋସ ପଦକ୍ଷେପ ନେବାକୁ କ୍ଷତିଗ୍ରସ୍ତ ହୋଇଥିବା ଉଦ୍ୟାନକୃଷି ଚାଷୀ ମନୋଜକୁମାର ପଟ୍ଟନାୟକ, ମହେନ୍ଦ୍ରକୁମାର ମହାପାତ୍ର, ସନାତନ ବେହେରା, ଗିରିଜାପ୍ରସାଦ ମିଶ୍ର, ବିଶ୍ୱାନଥ ବରାଡ଼ ପ୍ରମୁଖ ଦାବି କରିଛନ୍ତି। ସେହିଭଳି ହାତୀଙ୍କ ଯୋଗୁଁ ହୋଇଥିବା କ୍ଷତି ବାବଦକୁ କ୍ଷତିପୁରଣସହ ଏହିଚାଷୀମାନଙ୍କୁ ଉତ୍ସାହିତ କରିବାକୁଯାଇ ପୁନର୍ବାର ଚାରାରୋପଣ ଦିଗରେ ପ୍ରୋତ୍ସାହିତ କରିବାକୁ ମଧ୍ୟ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି। କେବଳ ବଡ଼ମ୍ବା ସହରପାଖ ଅଞ୍ଚଳ ନୁହେଁ ଗୁରୁଡ଼ିପାଳ, ଖଳିମାଟି, ସୋରୁଆାଁ, ରାମପୁର, କଦମପାଳଠୁ ଧରି ଛାଞ୍ଚୁଣିଆ, ଖଇରିପଙ୍ଗା, ଖାରୋଡ଼ ଆଦି ବନାଞ୍ଚଳ ପାଖ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ଯୋଗୁଁ ଉଦ୍ୟାନକୃଷି କ୍ଷେତ୍ରରେ ଏଭଳି ସମସ୍ୟା ଉପୁଜୁଥିବା ଅନୁସଂଧାନରୁ ଜଣାଯାଇଛି।
Comments are closed.