ଅନ୍ତର୍ଜାତୀୟ କ୍ରିକେଟ କ୍ୟାଲେଣ୍ଡରରେ ପରିବର୍ତ୍ତନ ଆବଶ୍ୟକ – ଆଝାରୁଦ୍ଦିନ
ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ସାରା ବିଶ୍ବରେ ଏବେ କ୍ରୀଡ଼ା ପ୍ରତିଯୋଗିତା ଠପ୍ ହୋଇଯାଇଛି। ଏଭଳି ସ୍ଥଳେ ଅନ୍ତର୍ଜାତୀୟ କ୍ରିକେଟ କ୍ୟାଲେଣ୍ଡରରେ ପରିବର୍ତ୍ତନ କରିବା ଆବଶ୍ୟକତା ରହିଛି ବୋଲି କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ହାଇଦ୍ରାବାଦ୍ କ୍ରିକେଟ ଆସୋସିଏସନ ଅଧ୍ୟକ୍ଷ ମହମ୍ମଦ ଆଝାରୁଦ୍ଦିନ। ବିଶ୍ବର ସମସ୍ତ କ୍ରିକେଟ ଦେଶ ବସି ଏ ନେଇ କ୍ୟାଲେଣ୍ଡର ପରିବର୍ତ୍ତନ କରି ନୂତନ କାର୍ୟ୍ୟସୂଚୀ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
କରୋନା ପାଇଁ ଆଇପିଏଲ ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଆଇପିଏଲର କାର୍ୟ୍ୟସୂଚୀ ସ୍ଥିର କରିବାକୁ ହେଲେ ଫ୍ୟୁଚର ଟୁର୍ ପୋଗ୍ରାମ୍ରେ ମଧ୍ୟ ପରିବର୍ତ୍ତନ କରିବା ଜରୁରୀ ହୋଇପଡ଼ିଛି। ଉଭୟ ଘରୋଇ ଓ ବିଦେଶୀ ଖେଳାଳିଙ୍କ ପାଇଁ ଆଇପିଏଲ ବେଶ ଜରୁରୀ ହୋଇପଡ଼ିଥିବାରୁ ଏପରି କରିବାର ଆବଶ୍ୟକତା ରହିଛି ବୋଲି ଆଝାରୁଦ୍ଦିନ କହିଛନ୍ତି। କୋଭିଡ-୧୯ ସାରା ବିଶ୍ବରେ ମହାମାରୀର ରୂପ ନେଇଛି। ଏଭଳି ସ୍ଥିିତିର ମୁକାବିଲା କରିବାକୁ ହେଲେ ଆଗାମୀ ଦୁଇବର୍ଷର ଫ୍ୟୁଚର ଟୁର୍ ପୋଗ୍ରାମ୍ରେ ପରିବର୍ତ୍ତନ ଅଣାଯାଇ ଏହାକୁ ନୂତନ କାର୍ୟ୍ୟସୂଚୀ ଧାର୍ୟ୍ୟ କରାଯିବାକୁ ପ୍ରୟାସ କରାଯିବା ଉଚିତ ବୋଲି ସେ କହିଛନ୍ତି। ଆଇପିଏଲ କାର୍ୟ୍ୟସୂଚୀ ଧାର୍ୟ୍ୟ କରିବାକୁ ହେଲେ ଏଫ୍ଟିପିରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ନଚେତ ଚଳିତ ଏଫ୍ଟିପି କୁ ନେଇ ଆଇପିଏଲ ଆୟୋଜନ ଅସମ୍ଭବ ହୋଇପଡ଼ିବ। ଏପରିକି ଅକ୍ଟୋବର ଓ ନଭେମ୍ବରରେ ଖେଳାଯିବାକୁ ଥିବା ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପ ବାତିଲ ହେବା ଆବଶ୍ୟକତା ନାହିଁ ବୋଲି ଆଝାରୁଦ୍ଦିନ କହିଛନ୍ତି।
Comments are closed.