କେବେ ଖୋଲିବ ‘ଆବାସ ପୋର୍ଟାଲ’ ?

ଅପେକ୍ଷାରେ ୮ଲକ୍ଷରୁ ଊର୍ଦ୍ଧ୍ବ ଯୋଗ୍ୟ ହିତାଧିକାରୀ

ଭୁବନେଶ୍ବର : ଦେଶରେ କିମ୍ବା ରାଜ୍ୟରେ ୨୦୨୨ ସୁଦ୍ଧା ଆଉ ଚାଳ ଓ ଝୁମ୍ପୁଡ଼ି ଘର ରହିବ ନାହିଁ। ପ୍ରତ୍ୟେକ ଅବହେଳିତ ବର୍ଗଙ୍କ ମୁଣ୍ଡ ଉପରକୁ ଛାତ ଯୋଗାଇ ଦିଆଯିବ। ୨୦୧୯-ସାଧାରଣ ନିର୍ବାଚନ ବେଳେ ଏହିଭଳି ଦୃଢ଼ ପ୍ରତିଶ୍ରୁତି କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡି ସରକାର ଦେଲେ। ହେଲେ ୨୦୨୨ ବର୍ଷ ଶେଷ ହେବାକୁ ହାତରେ ଆଉ ମାତ୍ର ୨ଟା ମାସ ରହିଛି। ମାତ୍ର ରାଜ୍ୟରେ ଲକ୍ଷାଧିକ ଯୋଗ୍ୟ ହିତାଧିକାରୀ ଏବେବି ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି। କାହାର ଟିଣ ଓ ଖପର ଘରକୁ ‘ଫଣି’ ଭାଙ୍ଗି ଦେଇଛି ତ ଆଉ କିଏ ଭୂମିହୀନ ଓ ଅର୍ଥାଭାବରୁ ଘର ଖଣ୍ଡିଏ କରିପାରୁନାହିଁ।
ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ ଆବାସ ପ୍ଲସ ଯୋଜନାରେ ସାମିଲ କରିବା ପାଇଁ ଅଗଷ୍ଟ ପ୍ରଥମ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଣ୍ଟା ଭିଡ଼ିଥିଲେ। ଭାରତ ସରକାରଙ୍କ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟି ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରିବାପାଇଁ ଅନୁରୋଧ କରିଥିଲେ। ଏମିତିକି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉଦ୍ୟମକ୍ରମେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେଲା। ବୈଠକର ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାର ସ୍ଥିତାବସ୍ଥା ରିପୋର୍ଟ ପ୍ରଦାନ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶ୍ବସ୍ତିବାଣୀ ଶୁଣାଇଲେ। ହେଲେ ଇତିମଧ୍ୟରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସ୍ଥିତାବସ୍ଥା ରିପୋର୍ଟ ପ୍ରଦାନ କରାଯାଇ ସାରିଛି ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ମନ୍ତ୍ରାଳୟ ପକ୍ଷରୁ କେବେ ଆବାସ୍ ପୋର୍ଟାଲକୁ ସବୁଜ ସଙ୍କେତ ମିଳିବ ଏବଂ କେବେ ଲୋକଙ୍କ କାର୍ଯ୍ୟାଦେଶ ଓ ଛାତ ଘର ମିଳିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନ୍ଦ୍ର ଓ ରାଜ୍ୟର ଟଣାଭିଡ଼ା ଭିତରେ ଅବହେଳିତ ବର୍ଗ ଯେ ଦହଗଞ୍ଜ ହେଉଛନ୍ତି ଏକଥା ସାର ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।
ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ, ୯ଟି ଅବହେଳିତ ଜିଲାର ୭.୪୬ଲକ୍ଷ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇପାରି ନାହାନ୍ତି। ଏହାବାଦ୍ ଫଣି କ୍ଷତିଗ୍ରସ୍ତ ୧୪ଟି ଜିଲାର ଲକ୍ଷାଧିକ ହିତାଧିକାରୀ ରହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ସହରାଞ୍ଚଳରେ ବସବାସ କରୁଥିବା ୭୨ ପ୍ରତିଶତ ଅନୁସୂଚିତ ଜାତି (ଏସସି) ବର୍ଗ ଲୋକ ଝାଟିମାଟି ଘରେ ଜୀବନ କାଟୁଛନ୍ତି। ରାଜ୍ୟରେ ଏସସି ବର୍ଗଙ୍କ ସଂଖ୍ୟା ହେଉଛି ୧୭.୧୩ପ୍ରତିଶତ, ଅର୍ଥାତ ୭୧ ଲକ୍ଷ ୮୮ ହଜାର ୪୬୩ ଏସସି ବର୍ଗ ଜନସାଧାରଣ ବସବାସ କରୁଛନ୍ତି। ବିଗତ ୫ବର୍ଷରେ ସହରାଞ୍ଚଳରେ ପିଏମଏୱାଇରେ ୧ ଲକ୍ଷ ୫୨ ହଜାର ୮୨୩ ହିତାଧିକାରୀଙ୍କୁ ପକ୍କାଘର ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦିଆଯାଇଛି। ଏହାରି ମଧ୍ୟରୁ ୪୨ ହଜାର ୭୭୮ ଏସସି ବର୍ଗ ହିତାଧିକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ୩୯୪ ଏସସି ବର୍ଗ ପିଏମଏୱାଇରେ ପକ୍କାଘର ନିର୍ମାଣ କରିଥିବା ବେଳେ ୨୦୧୮-୧୯ରେ ୨୧୨୪, ୨୦୧୯-୨୦ରେ ୧୦୨୨, ୨୦୨୦-୨୧ରେ ୭୮୦୦ ଏବଂ ୨୦୨୧-୨୨ରେ ୩୧ ହଜାର ୪୩୮ହିତାଧିକାରୀ ପକ୍କାଘର ନିର୍ମାଣ କରିଛନ୍ତି। ସହରାଞ୍ଚଳରେ ମୋଟ ୧ ଲକ୍ଷ ୧୧ ହଜାର ୨୬୭ଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ସେମାନଙ୍କ ମଧ୍ୟରୁ ଏସସି ବର୍ଗର ୨୮ ପ୍ରତିଶତ ହିତାଧିକାରୀ ରହିଛନ୍ତି।
ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ୨୦ ଲକ୍ଷ ୧ ହଜାର ୩୩୩ ହିତାଧିକାରୀ ଆବାସ ଯୋଜନା ଲାଗି ମନୋନୀତ ହୋଇଥିବାବେଳେ ୧୮ ଲକ୍ଷ ୯ ହଜାର ୪୬୩ଙ୍କୁ ପକ୍କାଘର ନିର୍ମାଣ ପାଇଁ ଆର୍ଥିକ ଅନୁଦାନ ଦିଆଯାଇଛି। ଏଥିରୁ ୧୬ ଲକ୍ଷ ୪ ହଜାର ୪୯୭ ହିତାଧିକାରୀ ସମ୍ପୂର୍ଣ୍ଣ ଭାବେ ପକ୍କାଘର ନିର୍ମାଣ କରିଥିବାବେଳେ ୩ ଲକ୍ଷ ୬ ହଜାର ୮୩୬ ହିତାଧିକାରୀ ନିର୍ଦ୍ଧାରିତ ସମୟରେ ପକ୍କାଘର ତିଆରି କରିବାରେ ସକ୍ଷମ ହୋଇଛନ୍ତି। କିଛି ହିତାଧିକାରୀ ପକ୍କାଘର ତୋଳିବା ପାଇଁ କାର୍ଯ୍ୟାଦେଶ ପାଇଥିଲେ ମଧ୍ୟ ଘର ନିର୍ମାଣ କରିପାରୁ ନାହାନ୍ତି। କେତେକ ହିତାଧିକାରୀଙ୍କ ପକ୍କାଘର ଅଧାପନ୍ତରିଆ ହୋଇ ପଡିଥିବା ବିଭାଗୀୟ ସୂଚନାରୁ ଜଣାଯାଇଛି। ଏ ସମ୍ପର୍କରେ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦେଶକ ଅରିନ୍ଦମ ଡାକୁଆ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ରିପୋର୍ଟ ଯାଇଛି, ହେଲେ ମନ୍ତ୍ରାଳୟ ପକ୍ଷରୁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଏବେ କହିହେବ ନାହିଁ।

kalyan agarbati

Comments are closed.