ଔରଙ୍ଗାବାଦ ହିଂସା ଘଟଣାରେ ୧୫୦ ଗିରଫ, ୧୪୪ ଧାରା ଜାରି

0

ଭାଗଲପୁର : ବିହାରର ଔରଙ୍ଗାବାଦଠାରେ ରାମନବମୀ ଦିନ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଗଠିତ ହିଂସାକାଣ୍ଡ ଘଟଣାରେ ପୁଲିସ୍ ୧୫୦ ଜଣଙ୍କୁ ଗିରଫ କରିଛି । ଉକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୁଲିସ୍‌ ମୁତୟନ କରାଯାଇଛି । ସମ୍ପୂର୍ଣ୍ଣ ଅଞ୍ଚଳକୁ ପୁଲିସ୍‌ ଛାଉଣୀ ମଧ୍ୟରେ ରଖାଯାଇଛି । ଏହି ହିଂସାକାଣ୍ଡରେ ଉଭୟ ପକ୍ଷର ଲୋକେ ପରସ୍ପରକୁ ପଥର ଓ ଢେଲା ମାଡ଼ କରିବା ସହ ପୋଡ଼ାଜଳା କରିଥିଲେ । ଏଥିରେ ଅନେକ ଲୋକ ଆହତ ହୋଇଥିଲେ । ପ୍ରାୟ ୧୨ରୁ ଅଧିକ ଦୋକାନକୁ ଜାଳି ଦିଆଯାଇଛି । ଔରଙ୍ଗାବାଦ ଜିଲାପାଳ ରାହୁଲ ରଂଜନ ମାହିୱାଲ ସୂଚନା ଦେଇଛନ୍ତି ଯେ ସହରରେ ସିଆରପିସି ଧାରା ୧୪୪ ଲାଗୁ କରାଯାଇଛି। ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ହିଂସାକାଣ୍ଡରେ ସଂପୃକ୍ତ ଓ ଉସୁକାଇବା ଅଭିଯୋଗରେ ୧୫୦ ଜଣଙ୍କୁ ଗିରଫ କରାଯାଇଛି । ସେପଟେ ଭାଗଲପୁରଠାରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେଙ୍କ ପୁଅ ଅରଜିତ ହିଂସା ପାଇଁ ଲୋକଙ୍କୁ ଉସୁକାଇଥିବା ଅଭିଯୋଗ ହୋଇଛି । ତେଣୁ କେନ୍ଦ୍ର ମନ୍ତ୍ରୀଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରିବାକୁ ଆରଜେଡି ନେତା ତେଜସ୍ୱୀ ଯାଦବ ଦାବି କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଏହା ଉପରେ ପ୍ରତିକ୍ରିୟା ରଖି ତାଙ୍କ ପୁଅ କୌଣସି ଭୁଲ କରିନାହିଁ କି କାହାକୁ ହିଂସା ପାଇଁ ଉସୁକାଇନାହିଁ ବୋଲି ମନ୍ତ୍ରୀ ଅଶ୍ୱିନୀ କୁମାର କହିଛନ୍ତି ।

Leave A Reply