ତରଡିଙ୍ଗରେ କାର୍ତ୍ତିକେଶ୍ୱର ପୂଜାର ରୌପ୍ୟ ଜୟନ୍ତୀ
ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ତରଡିଙ୍ଗ ପଞ୍ଚାୟତ ଅଧିନ ଗଜାମ୍ବ ଗ୍ରାମରେ ଦୀର୍ଘ ୨୫ବର୍ଷ ଧରି ପଞ୍ଚକରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ ହୋଇଆସୁଅଛି। ଚଳିତବର୍ଷ ସେଠାରେ କାର୍ତ୍ତିକେଶ୍ୱର ପୂଜାର ରୌପ୍ୟଜୟନ୍ତୀ ପାଳନ ଅବସରରେ ବେଶ୍ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗଙ୍କୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ୨୩ତାରିଖ ପଞ୍ଚକର ପ୍ରଥମ ଦିନ କଳସ ଯାତ୍ରା ଓ ଘଟସ୍ଥାପନା ପରେ ସମସ୍ତ ପାରମ୍ପରିକ ପୂଜାନୀତି ସଂପନ୍ନ ହୋଇଥିଲା। କାର୍ତ୍ତିକେଶ୍ୱର ପୂଜାକମିଟିର ସଭାପତି ସତ୍ୟବ୍ରତ ପ୍ରିୟଦର୍ଶି ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ରୌପ୍ୟଜୟନ୍ତି କାର୍ତ୍ତିକେଶ୍ୱର ପୂଜା କାର୍ଯ୍ୟକ୍ରମରେ ରବିବାର ଜିଲ୍ଲାପରିଷଦ ସଭ୍ୟ ଶାନ୍ତିଲତା ବେହେରା, ସରପଞ୍ଚ ସିଦ୍ଧାନ୍ତ ଦଳାଇ, ସମିତି ସଭ୍ୟ ଲୀଳାବତୀ ନାୟକ ଓ ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କମିଟିର ସଦସ୍ୟ ସତ୍ୟପ୍ରକାଶ ସାହୁ, ଗୌତମ ମହାନ୍ତି, ପ୍ରସନ୍ନ କୁମାର ମଲ୍ଲିକ ଏବଂ ଓମ ପ୍ରକାଶ ସାହୁଙ୍କ ସମେତ ଅନ୍ୟ ସଦସ୍ୟଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ରୌପ୍ୟଜୟନ୍ତୀ କାର୍ତ୍ତିକେଶ୍ୱର ପୂଜା ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପାରମ୍ପରିକ ପାଲା ଓ ସତ୍ୟନାରାୟଣ ପୂଜା ଆଦି ଆୟୋଜିତ ହୋଇଥିଲା।
ରାସରସିକପୁରରେ କାର୍ତ୍ତିକେଶ୍ୱର ପୂଜା
ଆଠଗଡ ସହରର ରାସରସିକପୁର ସାହିରେ ପଞ୍ଚକଠାରୁ କାର୍ତ୍ତିକେଶ୍ୱର ପୂଜା ଆରମ୍ଭ ହୋଇଛି। ପଞ୍ଚକର ପ୍ରଥମ ଦିନରେ ଶ୍ରଦ୍ଧାଳୁମାନେ ଜଳକଳସ ଶୋଭାଯାତ୍ରାରେ ଆସି ପୂଜାସ୍ଥଳୀରେ ପହଞ୍ôଚବା ପରେ ଘଟସ୍ଥାପନ ସହିତ ହୋମଯଜ୍ଞ ଓ ପାରମ୍ପରିକ ପୂଜା ସଂପନ୍ନ ହୋଇଥିଲା। କମିଟିର ସଭାପତି ସନ୍ତୋଷ କୁମାର ବାରିକ ଓ ସଂପାଦକ ପ୍ରତାପ ପରିଡାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ପୂଜା ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ଶହ ଶହ ଶ୍ରଦ୍ଧାଳୁଙ୍କୁ ଖିରି ପ୍ରସାଦ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି। ଆସନ୍ତା ଡିସେମ୍ବର ୧୧ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୁତ୍ରରୁ ପ୍ରକାଶ।
Comments are closed.