ଆଠଗଡ, ତରଡିଙ୍ଗ ଓ ସଠିଲୋରେ ପୁଲିସର ଫ୍ଲାଗମାର୍ଚ୍ଚ

ଆଠଗଡ:  ଆଠଗଡ ନିର୍ବାଚନ ମଣ୍ଡଳିରେ ଶନିବାର ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଗୁରୁବାର ରାତିରେ ତରଡିଙ୍ଗରେ ନିର୍ବାଚନୀ ହିଂସାକାଣ୍ଡ ଘଟି ୨ଜଣ ଗୁରୁତର ଆହତ ହେବା ଘଟଣାକୁ ଜିଲା ପୁଲିସ ଗୁରୁତର ସହିତ ନେଇଛି। ଏହି ପରିପ୍ରେକ୍ଷୀରେ କଟକ ଗ୍ରାମାଞ୍ଚଳ ଏସପି ଏଲ ବିଦ୍ୟା ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସ୍ୱତନ୍ତ୍ର ଭାବେ ନିଯୁକ୍ତ ଅନ୍ୟଜଣେ ଆଇପିଏସ ଅଧିକାରୀ ବାଲିଗୁଡା ଏସଡିପିଓ ରାହୁଲ ଗୋଏଲଙ୍କ ନେତୃତ୍ୱରେ ସଶସ୍ତ୍ର କେନ୍ଦ୍ରୀୟ ଓ ରାଜ୍ୟ ପୁଲିସ ବାହିନୀ ତରଡିଙ୍ଗ, ସଠିଲୋ ଓ ଆଠଗଡ ସହରରେ ଶୁକ୍ରବାର ସନ୍ଧ୍ୟାରେ ଫ୍ଲାଗମାର୍ଚ୍ଚ କରିଥିବା ଜଣାପଡିଛି। ଆଠଗଡ ନିର୍ବାଚନ ମଣ୍ଡଳିରେ ନିର୍ବାଚନକୁ ଅବାଧ, ନିରପେକ୍ଷ, ଶାନ୍ତିପୂର୍ଣ୍ଣ ଓ ଭୟମୁକ୍ତ କରିବାକୁ ୨ କମ୍ପାନୀ କେନ୍ଦ୍ରୀୟ ପୁଲିସ ବାହିନୀ ସମେତ ରାଜ୍ୟର ଶତାଧିକ ସଶସ୍ତ୍ର ଫୋର୍ସ ମୁତୟନ କରାଯାଇଛି।

ନିର୍ବାଚନ ମଣ୍ଡଳିର ୨୫୪ବୁଥରେ ଶାନ୍ତିପୂର୍ଣ୍ଣ ମତଦାନ ଏବଂ କୌଣସି ଅପ୍ରୀତିକର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ୨୦ଟି ଭ୍ରାମ୍ୟମାଣ ପୁଲିସ ଦଳ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ପଇଁତରା ମାରିବେ ବୋଲି ଏସଡିପିଓ ରବିନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି। ପୁଲିସ ସୁରକ୍ଷା ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ଏଠାରେ ବାଲିଗୁଡା ଏସଡିପିଓ ଶ୍ରୀ ଗୋଏଲଙ୍କ ସମେତ କଳାହାଣ୍ଡିର ଅତିରିକ୍ତ ଏସ ଟିଗ୍‌‌ଗା ଓ କଟକ ଗ୍ରାମାଞ୍ଚଳ ପୁଲିସ ଜିଲ୍ଲା ମୁଖ୍ୟାଳୟର ଡିଏସପି ନିରଞ୍ଜନ ଶବର ଏଠାରେ ରହିଛନ୍ତି।

Comments are closed.