ନିଶା ସେବନ ଦ୍ୱାରା ଶାରୀରିକ ଅସୁସ୍ଥତା ବ୍ୟତୀତ ପାରିବାରିକ ଓ ସାମାଜିକ ଅଶାନ୍ତି ସୃଷ୍ଟି ହୋଇଥାଏ

ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ (କନିଷ୍ଠ କଲେଜ)ର ଯୁବ ରେଡକ୍ରସ ଆନୁକୁଲ୍ୟରେ ଗୁରୁବାର ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଆଠଗଡ ଉପଖଣ୍ଡ ଡାକ୍ତରଖାନାର ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପାଣି ନିଶା ସେବନ ଦ୍ୱାରା କିପରି ଓ କେଉଁ ପ୍ରକାରର ଶାରିରୀକ ଅସୁସ୍ଥତାର ଶିକାର ହୁଅନ୍ତି ସେ ସଂପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ।

ନିଶା ସେବନ ଦ୍ୱାରା ଶାରୀରିକ ଅସୁସ୍ଥତା ବ୍ୟତୀତ ପାରିବାରିକ ଓ ସାମାଜିକ ଅଶାନ୍ତି ସୃଷ୍ଟି ହୋଇଥାଏ। ଯୁବପୀଢି ଦେଶର ଭବିଷ୍ୟତ ଏବଂ ନିଜର ଏକ ଉଜ୍ଜଳ ଭବିଷ୍ୟତ ପାଇଁ କୌଣସି ପ୍ରକାର ନିଶା ସେବନରୁ ବିରତ ରହିବା ଲାଗି ଡାକ୍ତର ପାଣି ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ର ନିଶାମୁକ୍ତ ସମାଜ ଗଠନରେ ଛାତ୍ରଛାତ୍ରୀ ଓ ଯୁବସମାଜର ଗୁରୁଦାୟିତ୍ୱ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଯୁବରେଡକ୍ରସ ପରାମର୍ଶଦାତ୍ରୀ ପ୍ରାଧ୍ୟାପିକା ପୁଷ୍ପମଞ୍ଜରୀ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରାଧ୍ୟାପିକା ଡଃ ସ୍ନେହଲତା ତ୍ରିପାଠୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.