ବିଜ୍ଞାନ କ୍ଷେତ୍ରରେ ଭାରତ ବିଶ୍ୱରେ ଶ୍ରେଷ୍ଠ
ଆଠଗଡ ବ୍ଲକସ୍ତରୀୟ ଶିଶୁ ବୈଜ୍ଞାନିକ ମେଳା
ଆଠଗଡ: ଆଠଗଡ ବ୍ଲକସ୍ତରୀୟ ବାଲ୍ (ଶିଶୁ) ବୈଜ୍ଞାନିକ ମେଳା ଶୁକ୍ରବାର ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏବେ ବିଜ୍ଞାନ ଆମ ଦୈନନ୍ଦିନ ଜୀବନ ପ୍ରବାହରେ ଅବିଛିନ୍ନ ହୋଇଛି ଏବଂ ବିଜ୍ଞାନର ବିକାଶ ବିନା ଦେଶର ପ୍ରଗତି ଅସମ୍ଭବ ବୋଲି ପ୍ରକାଶ କରିଥିଲେ। ବିଜ୍ଞାନ କ୍ଷେତ୍ରରେ ଭାରତ ବିଶ୍ୱରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିବା ସହିତ ଏପରି ବିଜ୍ଞାନ ମେଳା ଆୟୋଜନ ଦ୍ବାରା କୁନି ବିଦ୍ୟାର୍ଥୀଙ୍କର ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତି ଆଗ୍ରହ ନିଶ୍ଚିତ ବୃଦ୍ଧି ପାଇବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ଵାଇଁ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ସମ୍ବନ୍ଧିତ ବିଭିନ୍ନ ପ୍ରଶ୍ନ ପଚାରିବା ସହ ସଠିକ ଉତ୍ତର ରଖିଥିବା ବିଦ୍ୟାର୍ଥୀଙ୍କୁ ଅର୍ଥରାଶି ପୁରସ୍କାର ସ୍ୱରୂପ ପ୍ରଦାନ କରିଥିଲେ।
ଏଥିସହିତ ଉଚ୍ଚମାନର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ଜାଗିଆପଡା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ଛାତ୍ରୀଙ୍କୁ ୧୦ ହଜାର ଓ ଆଠଗଡ ସରକାରୀ ବିଦ୍ୟାଳୟ ଛାତ୍ରୀଙ୍କୁ ୧ହଜର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ। ଏହି ବିଜ୍ଞାନ ମେଳାରେ ଆଠଗଡ ବ୍ଲକର ୧୭୪ଟି ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ଦ୍ବାରା ୩୦୨ ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା। ସକାଳେ ଉଦଘାଟନୀ ଉତ୍ସବରେ ମୁଖ୍ଯଅତିଥି ଭାବେ ନଗରପାଳ ସସ୍ମିତା ରାଉତ ଓ ବରେଣ୍ୟ ଅତିଥି ରୂପେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଯୋଗଦେଇ ଶିଶୁ
ବୈଜ୍ଞାନିକ ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଉଦବୋଧନ ଦେଇଥିଲେ। ଜିଲ୍ଲାପରିଷଦ ସଭ୍ଯ ବଳଭଦ୍ର ବାଘ, ସଭ୍ଯା ଶାନ୍ତିଲତା ବେହେରା ଶିକ୍ଷାବିତ ଶ୍ରୃତିଧର ପ୍ରଧାନ, ହୃଷିକେଶ ବେହେରା, ସହକାରୀ ବ୍ଲକ ଶିକ୍ଷାଧିକାରୀ ନବକିଶୋର ସାହୁ, ଶିକ୍ଷାବିତ ନୀଳମଣି ନାୟକ, ଶିକ୍ଷକ ସଂଘ ସଭାପତି କିଶୋର ଚନ୍ଦ୍ର ବେହେରା, ସରକାରୀ ବାଳିକା ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ସାମନ୍ତରାୟ, ପ୍ରଧାନଶିକ୍ଷକ ପବିତ୍ର କୁମାର ସାହୁ ପ୍ରମୁଖ ଉଭୟ ଉଦଘାଟନ ଓ ଉଦଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଜ୍ଞାନ ମେଳାରେ ଶ୍ରେଷ୍ଠ ପ୍ରକଳ୍ପ ପ୍ରଦର୍ଶନ କରିଥିବା ଦିବ୍ୟକାନ୍ତ ସାହୁ, ଅସ୍ମିତ କୁମାର ପଣ୍ଡା, ମଧୁସ୍ମିତା ନାୟକ, ଅରମାନ୍ ଲେଙ୍କା, କୀର୍ତ୍ତିସ୍ୱରୂପା ବେଉରା ପ୍ରମୁଖ ୫ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଥିଲେ। ଶିକ୍ଷକ ଶଶଧର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶେଷରେ ଅନ୍ୟତମ ସହକାରୀ ବ୍ଲକ ଶିକ୍ଷାଧିକାରୀ ରଞ୍ଜିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.