ଡଙ୍ଗା ଭସାଣ ସହିତ ଶେଷ ହେଲା କାର୍ତ୍ତିକ ବ୍ରତ, ସ୍ୱପ୍ନେଶ୍ୱର ମନ୍ଦିରରେ ପାରାୟଣ ଉଦ୍‍ଯାପିତ

ଆଠଗଡ: ଆଠଗଡ ସହରର ବାଣୀକଣ୍ଠନଗରସ୍ଥିତ ନୀଳକଣ୍ଠେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ କାର୍ତ୍ତିକେଶ୍ୱର ପୂଜା ଏକ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ପଞ୍ଚକର ପ୍ରଥମ ଦିନରେ କଳସ ଶୋଭାଯାତ୍ରା ଓ ଘଟସ୍ଥାପନ ପରେ ପାରମ୍ପରିକ ପୂଜାନୀତି ସଂପନ୍ନ ହୋଇଥିଲା। କାର୍ତ୍ତିକ ପୂଣ୍ଣିମାରେ କାର୍ତ୍ତିକେଶ୍ୱର ପୂଜାର ଶେଷ ଦିନରେ ଶତାଧିକ ଶ୍ରଦ୍ଧାଳୁଙ୍କ ଜନ ସମାଗମ ଦେଖିବାକୁ ମିଳିଥିଲା। ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ସେଠାରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ସାହିର ସଭାପତି ନିଳାଦ୍ରୀ ବିହାରୀ ସାହୁ ଓ ସଂପାଦକ ରମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅନୁଷ୍ଠିତ ଏହି କାର୍ତ୍ତିକେଶ୍ୱର ପୂଜା ଆୟୋଜନରେ ପୂର୍ବତନ କାଉନସିଲର ଶିଶିର ପ୍ରସାଦ ମାନସିଂହ, ସୁରେଶ ଚନ୍ଦ୍ର ଦାସ, ଅନିଲ କୁମାର ମହାପାତ୍ର, ଇଂ ପ୍ରଫୁଲ୍ଲ କୁମାର ଦାସ, ରାଜେନ୍ଦ୍ର ରାୟ, ବିକାଶ ରଞ୍ଜନ ପଣ୍ଡା, ସରୋଜ ବେହେରା, ଅଶ୍ୱିନୀ ଆୟୁଷ୍ମାନ ପ୍ରଧାନଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ। ଆସନ୍ତା ୩ ତାରିଖରେ ସେଠାରେ କାର୍ତ୍ତିକେଶ୍ୱର ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୁତ୍ରରୁ ପ୍ରକାଶ।

prayash

ଆଠଗଡର ପୁରପଲ୍ଲୀରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ବିଭିନ୍ନ ଜଳାଶ୍ରୟରେ ଡଙ୍ଗା ଭସାଣ କରି କାର୍ତ୍ତିକ ବ୍ରତ ସମାପନ କରିଛନ୍ତି। ଆଠଗଡ ସହରର ଭାଗୀରଥି ସାଗର, ବିଶ୍ୱନାଥ ସାଗର(କନ୍ତୋଲ), ଶାସନ ପୋଖରୀ, ସାପୁଆ ନଦୀ, ବେନୁସାଗର ସମେତ ବିଭିନ୍ନ ଜଳାଶ୍ରୟରେ ଭୋର ୪ଟା ବେଳରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ଡଙ୍ଗା ଭସାଇବା ବେଳେ ଆ କା ମା ବୈ, ଧର୍ମଗୀତରେ ପ୍ରକମ୍ପିତ ହୋଇଥିଲା ଜଳାଶ୍ରୟ ଅଞ୍ଚଳରେ। ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇବା ପରେ ବିଭିନ୍ନ ମନ୍ଦିରରେ ଦିଅଁ ଦର୍ଶନ ପାଇଁ ଯିବା ଦ୍ୱାରା ମନ୍ଦିରଗୁଡିକରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁଙ୍କ ପାଇଁ ଖିରି ପ୍ରସାଦ ବଣ୍ଟନ କରାଯାଇଥିଲା।

ଆଠଗଡର ରାଜା ରାଜୁଡା ଅମଳରୁ ପ୍ରତିଷ୍ଠିତ ପ୍ରାଚୀନ ଶୈବପୀଠ ସ୍ୱପ୍ନେଶ୍ୱର ମନ୍ଦିରରେ ଚାଲିଥିବା ଭାଗବତ ପାରାୟଣ ସପ୍ତାହ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଉଦ୍‍ଯାପିତ ହୋଇଯାଇଛି। ଅଁଳାନବମୀଠାରୁ ସ୍ୱପ୍ନେଶ୍ୱର ରୁଦ୍ରଗୋଷ୍ଠୀ ପକ୍ଷରୁ ଜଳକଳସ ଶୋଭାଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ। ଘଟ ସ୍ଥାପନ ସହିତ ଯଜ୍ଞ ଓ ପାରାୟଣ ଆରମ୍ଭ ହୋଇଥିଲା। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରଥମେ ଗୁରୁ ନିମନ୍ତ୍ରଣ ଓ ଗୀତା ଆହୁତି ପରେ ଯଜେ୍ଞାତ୍ସବ ପୂର୍ଣ୍ଣାହୁତି ସହିତ ଶେଷ ହୋଇଥିଲା। ସୁଧାଂଶୁ ପଟ୍ଟନାୟକ କର୍ତ୍ତା ଭାବେ ଯଜ୍ଞ ପରିଚାଳନା କରିଥିଲେ। ରୁଦ୍ରଗୋଷ୍ଠୀର ସଦସ୍ୟ ସୌମ୍ୟରଞ୍ଜନ ରଥ, ପ୍ରତାପ ମହାପାତ୍ର, ନିଳକଣ୍ଠ ଦୋରା, ଅମିତ ପଣ୍ଡା, ଶୁଭମ ବେହେରା, ଦିବ୍ୟଭୂଷଣ ମିଶ୍ର, ଦେବାଶିଷ ମହାନ୍ତି, ଦିପ୍ତୀରଞ୍ଜନ ପ୍ରଧାନ, ଆଶୁତୋଷ ତ୍ରିପାଠୀ ପ୍ରମୁଖ ଏହିି ଯଜ୍ଞ ଓ ପାରାୟଣ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.