ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ- ଆଠଗଡ଼ରେ ଘରକୁ ଘର ବୁଲି ପ୍ରାର୍ଥୀଙ୍କ ପ୍ରଚାର

ଆଠଗଡ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆହୁରି ୨୪ଦିନ ରହିଥିବାବେଳେ ଏବେ କେବଳ ଗାଁ କୁ ଗାଁ ଓ ଘରକୁ ଘର ବୁଲି ଜିଲ୍ଲା ପରିଷଦ, ସରପଞ୍ଚ, ସମିତିସଭ୍ୟ, ୱାର୍ଡସଭ୍ୟ ନିଜ ସପକ୍ଷରେ ପ୍ରଚାର କରୁଥିବା ଦେଖାଯାଇଛି। ଆଠଗଡ ବ୍ଲକର ୩ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୧ନଂ ଜୋନରେ ୩ ପ୍ରାର୍ଥୀ, ୨ନଂ ଜୋନରେ ୩ ପ୍ରାର୍ଥୀ ଏବଂ ୩ନଂ ଜୋନରେ ୫ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ୧ନଂ ଓ ୨ନଂ ଜୋନରେ ଶାସକ ବିଜେଡି ଏବଂ ବିରୋଧି ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ହେବା ନିଶ୍ଚିତ। ତେବେ ୩ନଂ ଜୋନରେ ୫ଜଣ ପ୍ରାର୍ଥୀ ରହିଥିଲେ ମଧ୍ୟ ଏଠାରେ ବି ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ ହେବା ନିଶ୍ଚିତ ଥିଲେ ମଧ୍ୟ ସେମାନଙ୍କର ପାଇଁ ୨ ସ୍ୱାଧୀନ ପ୍ରାର୍ଥୀ କେତେକ ପଞ୍ଚାୟତରେ ଭୋଟ ବିଭାଜନର କାରଣ ହୋଇପାରନ୍ତି ବୋଲି ଆଶା କରାଯାଉଛି। ଆଠଗଡ ବ୍ଲକର ୩୪ଟି ପଞ୍ଚାୟତ ମଧ୍ୟରୁ ୭ଟିରେ ସମିତିସଭ୍ୟ ପ୍ରାର୍ଥୀ ଓ ଗୋଟିଏରେ ସରପଞ୍ଚ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଏବେ ବାକି ରହିଥିବା ୩୩ଟି ପଞ୍ଚାୟତରେ ଲଢେଇ ମଇଦାନରେ ଥିବା ସହିତ ୧୩୪ଜଣ ସରପଞ୍ଚ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାରପତ୍ର ବାଣ୍ଟି ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। କରୋନା କଟକଣାକୁ ଦୃଷ୍ଟିରେ ରଖି ପ୍ରାର୍ଥୀମାନେ ସାଥିରେ ମାତ୍ର ୫-୬ଜଣ ସମର୍ଥକଙ୍କୁ ଧରି ଏହି ପ୍ରଚାର କାର୍ଯ୍ୟ ଚଳାଇଥିବାବେଳେ ପ୍ରଚାର କାର୍ଯ୍ୟରେ ଶାସକ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ସର୍ବାଗ୍ରେ ରହିଥିବା ଦେଖାଯାଇଛି।

 

prayash

ବିରୋଧି ବିଜେପି ଓ କଂଗ୍ରେସ ସମର୍ଥିତ ପ୍ରାର୍ଥୀମାନେ ମଧ୍ୟ ଘରକୁ ଘର ବୁଲି ନିଜ ସପକ୍ଷରେ ପ୍ରଚାର ଆରମ୍ଭ କରିଛନ୍ତି। ଠିକ୍‍ ସେହିପରି ସମିତି ସଭ୍ୟ ପାଇଁ ନିର୍ବାଚନ ହେବାକୁ ଥିବା ୨୭ଟି ପଞ୍ଚାୟତରେ ନିର୍ବାଚନ ରଣାଙ୍ଗନରେ ରହିଥିବା ୭୩ଜଣ ପ୍ରାର୍ଥୀ ଅନୁରୁପ ଭାବେ ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିଛନ୍ତି। ଏହି ନିର୍ବାଚନରେ ଆଠଗଡ ବ୍ଲକର ୩୪ଟି ପଞ୍ଚାୟତରେ ରହିଥିବା ୪୮୬ ୱାର୍ଡସଭ୍ୟ ପଦବୀ ମଧ୍ୟରୁ ୨୪୬ଟି ୱାର୍ଡସଭ୍ୟପଦବୀରେ ୨୪୬ଜଣ ପ୍ରାର୍ଥୀ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବାରୁ ବାକି ୨୪୦ ପଦବୀ ଲାଗି ୪୭୨ ପ୍ରାର୍ଥୀ ନିର୍ବାଚନ ମଇଦାନରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ସେମାନେ ମଧ୍ୟ ନିଜ ନିଜ ପଞ୍ଚାୟତର ୱାର୍ଡରେ ଘରକୁ ଘର ବୁଲି ପ୍ରଚାର କାର୍ଯ୍ୟ ଚଳାଇଛନ୍ତି। ଆଗାମୀ ଫେବୃଆରୀ ୨୨ତାରିଖରେ ଆଠଗଡ ବ୍ଲକରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ମୋଟ ୧୧୩୩୭୭ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ। ଫେବୃଆରୀ ୫ ତାରିଖ ସରସ୍ୱତୀ ପୂଜା ପରେ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା ଗ୍ରାମାଭିମୁଖୀ ହେବାକୁ ଥିବାବେଳେ ସେବେଠାରୁ ପ୍ରଚାର ଜମିବ ବୋଲି ଆଶା କରାଯାଉଛି।

kalyan agarbati

Comments are closed.