ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

ଆଠଗଡ଼: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବଂ ତଦ୍‌ଜନିତ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ବାତ୍ୟାର ମୁକାବିଲା ପାଇଁ ଆଠଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଶନିବାର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

prayash

ଏହି ବୈଠକରେ ଅଧ୍ୟକ୍ଷତା କରି ମଣ୍ଡଳ ଉନ୍ନୟନ୍ନ ଅଧିକାରୀ ଅରୁଣ କୁମାର ଦାସ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ଯଦିଓ ସମ୍ଭାବ୍ୟ ବାତ୍ୟା ଦ୍ୱାରା ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ କେତେ ପ୍ରଭାବିତ ହେବ ତାହା ସ୍ପଷ୍ଟ ହୋଇନଥିଲେ ବି ଆଠଗଡ଼ ଅଞ୍ଚଳରେ ବିଭିନ୍ନ ବିଭାଗ ଏବଂ କର୍ମଚାରୀ ସମସ୍ତ ପ୍ରସ୍ତୁତି ସହିତ ସଜାଗ ରହିବାକୁ ବିଡ଼ିଓ ଶ୍ରୀ ଦାସ ନିର୍ଦେଶ ଦେଇଥିଲେ । କଟକିଆସାହି ପଞ୍ଚାୟତର ପାଟେଣିଗାଁ ଏବଂ ମହାକାଳବସ୍ତ ପଞ୍ଚାୟତର ଦହିସରାସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ଦୁଇଟି ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯିବା ସହିତ କଚ୍ଚାଘର ଓ ଚାଳଛପର ଘରେ ରହୁଥିବା ଲୋକଙ୍କୁ ଆବଶ୍ୟକସ୍ଥଳେ ସ୍ଥାନାନ୍ତରିତ କରାଯିବା ଲାଗି ୧୬୮ଟି ବିଦ୍ୟାଳୟ ଗୃହ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ବାତ୍ୟା ଆଶ୍ରୟସ୍ଥଳ ୨ଟି ଲାଗି ୬ଜଣ ଏବଂ ୧୬୮ଟି ବିଦ୍ୟାଳୟ ଲାଗି ୩୧୪ଜଣ ଶିକ୍ଷକ, ୩୧୪ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ନିୟୋଜନ କରାଯାଇଛି ।

ସମସ୍ତ ଆଶ୍ରୟସ୍ଥଳୀରେ ବିଦ୍ୟୁତ୍‌ ସଂଯୋଗ, ପାନୀୟ ଜଳ ଓ ଆନୁଷଙ୍ଗୀକ ସୁବିଧା ସୁଯୋଗ ବ୍ୟବସ୍ଥା କରିବାକୁ ସମସ୍ତ କ୍ଷେତ୍ର କର୍ମଚାରୀଙ୍କୁ ସୂଚାଇ ଦିଆଯାଇଛି । ଆବଶ୍ୟକ ପଡ଼ିଲେ ଆଶ୍ରୟସ୍ଥଳ ଆଶ୍ରିତଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟର ବନ୍ଦୋବସ୍ତ କରାଇବା ଲାଗି ମଣ୍ଡଳ ଉନ୍ନୟନ୍ନ ଅଧିକାରୀ ପରାମର୍ଶ ଦେଇଥିଲେ । ଏହି ବୈଠକରେ ସହକାରୀ ଯନ୍ତ୍ରୀ ସୁବାସ କୁମାର ରାଉତ, ପ୍ରାଣୀ ଚିକିତ୍ସା ବିଭାଗ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ଅଗ୍ନିଶମ ବିଭାଗ, ତହସିଲ କାର୍ଯ୍ୟାଳୟ ଅଧିକାରୀ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଯୋଗଦେଇ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଗଗନ ବିହାରୀ ଷଡ଼ଙ୍ଗୀ ବୈଠକ ପରିଚାଳନାରେ ସହଯୋଗ କରିଥିଲେ ।

kalyan agarbati

Comments are closed.