ଉପନିର୍ବାଚନରେ ବିଜେପି ନିରାଶ : ଆସାନସୋଲରୁ ଜିତି ଲୋକସଭାକୁ ଗଲେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ : ଦେଶର ୪ ରାଜ୍ୟରେ ଅନୁଷ୍ଠିତ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପିକୁ ପରାଭବ ଭୋଗିବାକୁ ପଡ଼ିଛି। ଗୋଟିଏ ଲୋକସଭା ଓ ୪ଟି ବିଧାନସଭା ଉପନିର୍ବାଚନ ପାଇଁ ୧୨ରେ ମତଦାନ ହୋଇଥିବାବେଳେ ଶନିବାର ଫଳାଫଳ ପ୍ରକାଶ ପାଇଛି। ପଶ୍ଚିମବଙ୍ଗର ଆସାନସୋଲ ଲୋକସଭା ନିର୍ବାଚନ ମଣ୍ଡଳୀରୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନା ବିପୁଳ ଭୋଟ୍‌ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। ବିଜେପିରୁ ପ୍ରାର୍ଥୀ ହୋଇଥିବା ମଡେଲ ତଥା ଡିଜାଇନର ଅଗ୍ନିମିତ୍ରା ପାଲଙ୍କୁ ୩ ଲକ୍ଷରୁ ଅଧିକ ଭୋଟ୍‌ରେ ହରାଇଛନ୍ତି। ପୂର୍ବରୁ କଂଗ୍ରେସ ଓ ବିଜେପି ଦଖଲରେ ରହିଆସିଥିବା ଏହି ଆସନ ପ୍ରଥମ ଥର ତୃଣମୂଳ ହାତକୁ ଆସିଛି। ସେହିଭଳି ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ମୃତ୍ୟୁ ଯୋଗୁଁ ଖାଲି ପଡ଼ିଥିବା ବାଲିଗଞ୍ଜ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ମଧ୍ୟ ତୃଣମୂଳ କଂଗ୍ରେସ ପ୍ରାର୍ଥୀ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ ବିଜୟ ହାସଲ କରିଛନ୍ତିି। ସୁପ୍ରିୟ ବିଜେପି ଛାଡ଼ିବା ସହ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେବାରୁ ଆସାନସୋଲରେ ଉପନିର୍ବାଚନ ହୋଇଥିଲା। ବିହାରର ବୋଚାହନ୍‌ ସଂରକ୍ଷିତ ବିଧାନସଭା ଆସନରେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଆରଜେଡି ପ୍ରାର୍ଥୀ ଅମର କୁମାର ପାଶ୍ୱାନ ୩୬ହଜାର ଭୋଟ୍‌ରେ ବିଜେପି ପ୍ରାର୍ଥୀଙ୍କୁ ହରାଇଛନ୍ତି। ବିକାଶଶୀଳ ଇନ୍‌ସାନ ପାର୍ଟି (ଭିଆଇପି) ବିଧାୟକ ମୁଶାଫିର ପାଶ୍ବାନଙ୍କ ମୃତ୍ୟୁ ଯୋଗୁଁ ଏଠାରେ ଉପନିର୍ବାଚନ ହୋଇଥିଲା। ତାଙ୍କ ପୁଅ ଅମର ଆରଜେଡିରୁ ପ୍ରାର୍ଥୀ ହୋଇଥିଲେ। ଛତିଶଗଡ଼ର ଖଇରାଗଡ଼ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଯଶୋଦା ନୀଳାମ୍ବର ବର୍ମା ୨୦ହଜାରରୁ ଅଧିକ ଭୋଟ୍‌ରେ ବିଜେପି ପ୍ରାର୍ଥୀଙ୍କୁ ପରାଜିତ କରିଛନ୍ତି। ମହାରାଷ୍ଟ୍ରର କୋହ୍ଲାପୁର (ଉତ୍ତର) ବିଧାନସଭା ଆସନରୁ କଂଗ୍ରେସର ଜୟଶ୍ରୀ ଯାଦବ ବିଜୟୀ ହୋଇଛନ୍ତି। ସେ କ୍ଷମତାସୀନ ‘ମହାବିକାଶ ଅଘାଡ଼ି’ରୁ ପ୍ରାର୍ଥୀ ହୋଇଥିଲେ। ବିଜେପି ପ୍ରାର୍ଥୀଙ୍କୁ ୧୮ହଜାର ଭୋଟ୍‌ରେ ପରାଜିତ କରିଛନ୍ତି। ଏଠାରେ ଜୟଶ୍ରୀଙ୍କ ସ୍ବାମୀ ଚନ୍ଦ୍ରକାନ୍ତ ଯାଦବ ବିଧାୟକ ଥିଲେ। କରୋନାରେ ତାଙ୍କର ମୃତ୍ୟୁ ଯୋଗୁଁ ଉପନିର୍ବାଚନ ହୋଇଥିଲା।

Comments are closed.