ଅର୍ଚ୍ଚନା ନାଗ ମାମଲା : ଇଡି ନେଲା ଏତଲା, କ୍ଷମତା ଅଳିନ୍ଦରେ କମ୍ପନ
ଭୁବନେଶ୍ବର : ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାେର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତଦନ୍ତ କରିବ। କମିସନରେଟ ପୁଲିସ ଯେଉଁ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି ସେ ସଂକ୍ରାନ୍ତ ୨ଟି ଏତଲା କପି ଇଡିକୁ ଆଜି ହସ୍ତାନ୍ତର କରିଛି। ଏଣିକି ଏହି ମାମଲାର ତଦନ୍ତ ଇଡି କରିବ ବୋଲି ଜାଣିବା ପରେ କ୍ଷମତା ଅଳିନ୍ଦରେ କମ୍ପନ ସୃଷ୍ଟି ହୋଇଛି। କାରଣ ନାଗ-ଫାଶରେ ଏକାଧିକ ରାଜନେତା, ମନ୍ତ୍ରୀ, ବ୍ୟୁରୋକ୍ରାଟ, ପୁଲିସ ଅଧିକାରୀ ଓ ମୁଷ୍ଟିମେୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା ଚାଲିଛି। ଏପରିକି ଅର୍ଚ୍ଚନାଙ୍କ ସହ କିଛି ନେତା, ମନ୍ତ୍ରୀ ଓ ପୁଲିସ ଫଟୋ ଲୋକ ଲୋଚନକୁ ଆସି ସାରିଛି। ନାଗ-ଫାଶରେ ପଡ଼ିଥିବା କେତେକ ହେଭିୱେଟ ଅର୍ଚ୍ଚନା ଓ ସ୍ବାମୀ ଜଗବନ୍ଧୁ ଚାନ୍ଦକୁ କୋଟି କୋଟି ଟଙ୍କା ଦେଇଥିବା ଅଭିଯୋଗ ହୋଇଆସୁଛି। ଟଙ୍କା ଦେଇଥିବା ବ୍ୟକ୍ତିମାନେ ଇଡି ଜେରାର ସମ୍ମୁଖୀନ ହେବା ନିଶ୍ଚିତ ହୋଇଛି। ଏତଲା କପି ପାଇବା ପରେ ଇଡି ପକ୍ଷରୁ ସ୍ବତନ୍ତ୍ର ଦଳ ଗଠନ କରାଯାଇଛି। ଉକ୍ତ ଦଳ ଚାନ୍ଦ ଦମ୍ପତିଙ୍କ ବେଆଇନ ଆର୍ଥିକ କାରବାର ଖୋଳତାଡ଼ କରିବ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ, ଅର୍ଚ୍ଚନା ଚାକିରି କରିବାକୁ ଭୁବନେଶ୍ବର ପଳାଇ ଆସିଥିଲେ। ପ୍ରଥମେ ଏକ ଏଫଏମ ରେଡିଓ ସଂସ୍ଥାରେ ଚାକିରି କରି ନିଜ ଗୁଜୁରାଣ ମେଣ୍ଟାଉଥିଲେ। ଏହି ସମୟରେ ସେ ରସୁଲଗଡ଼ ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ। ୬ ମାସ ଚାକିରି କରିବା ମଧ୍ୟରେ ଜଗବନ୍ଧୁଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପ୍ରଥମେ ଉକ୍ତ ରେଡିଓ ସଂସ୍ଥାର ମାଲିକଙ୍କୁ ସେ ବ୍ଲାକମେଲ କରିଥିବା ଅଭିଯୋଗ ହୋଇଥିଲା। ଚାକିରି ଛାଡ଼ି ସେ ଜଗବନ୍ଧୁଙ୍କ ସହ ମିଶି ରାଜଧାନୀରେ ବ୍ଲାକମେଲିଂର ଜାଲ ବିଛାଇ ଥିଲେ। ତାଙ୍କ ଜାଲରେ ଏକାଧିକ ଆଇଏଏସ, ନେତା, ମନ୍ତ୍ରୀ ଓ ପୁଲିସ ପଡ଼ିଥିବା ନେଇ ଅାଲୋଚନା ଚାଲିଛି। ମାତ୍ର ୪ ବର୍ଷ ମଧ୍ୟରେ ସେ କୋଟି କୋଟି ଟଙ୍କାର ମାଲିକ ବନିଯାଇଥିଲେ। ଦୁଇ ଦୁଇଟି କମ୍ପାନୀ, ପୁରୁଣା ଗାଡ଼ି ଶୋ’ ରୁମ୍, ଏକାଧିକ ସ୍ଥାନରେ ବିରାଟ ବିରାଟ ଅଟ୍ଟାଳିକା ଛିଡ଼ା କରାଇଥିଲେ। କମ୍ ବୟସରେ ଏତେ ପରିମାଣର ଅର୍ଥ କମାଇବା ସମ୍ପର୍କରେ ସମସ୍ତେ ଜାଣି ମଧ୍ୟ କେହି କେବେ ମୁହଁ ଖୋଲିବାକୁ ସାହସ କରିନଥିଲେ। ଗତ ମାସ ୩୦ ତାରିଖରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ନୂଆପଲ୍ଲୀ ଥାନାରେ ଏତଲା ଦେବା ପରେ ଘଟଣା ପଦାକୁ ଆସିଥିଲା। ପରେ ତାଙ୍କ ବିରୋଧରେ ଗୀତାଞ୍ଜଳି ବେହେରା ନାମ୍ନୀ ମହିଳାଙ୍କ ସଙ୍ଗିନ ଅଭିଯୋଗକୁ ଆଧାର କରି ଖଣ୍ଡଗିରି ପୁଲିସ ଗତ ୬ ତାରିଖ ରାତିରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ଇଡି କମିସନରେଟ ପୁଲିସକୁ ଚାନ୍ଦ ଦମ୍ପତିଙ୍କ ବିରୋଧରେ ନୂଆପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ଏତଲାର କପି ମାଗିଥିଲା। ତାଙ୍କ ଆର୍ଥିକ କାରବାର ନେଇ ଇଡି ଅନୁସନ୍ଧାନ କରିବ ବୋଲି ସୂଚନା ମିଳିଛି। ଅର୍ଚ୍ଚନା ଗିରଫ ହେବାର ୧୫ ଦିନ ପରେ ଅର୍ଥାତ ଗତ ୨୧ ତାରିଖରେ ସ୍ୱାମୀ ଜଗବନ୍ଧୁଙ୍କୁ ପୁଲିସ ଗିରଫ କରିଥିଲା। ଉଭୟ ଏବେ ଝାରପଡ଼ା କାରାଗାରରେ ଅଛନ୍ତି। ତେବେ ଅର୍ଚ୍ଚନା କଳା କାରନାମାର ମାଷ୍ଟରମାଇଣ୍ଡ ଖଗେଶ୍ବର ପାତ୍ର ଓରଫ ବାଇନ ଏବେସୁଦ୍ଧା ଫେରାର ଅଛି। ତାକୁ ଏପର୍ଯ୍ୟନ୍ତ ଧରିବାରେ ପୁଲିସ ସଫଳ ହୋଇନାହିଁ।
Comments are closed.