ଆଠଗଡ଼ ନାଗରୀ ପାହାଡ଼ରୁ ଶିଳାଲିପିର ସନ୍ଧାନ, ରହିଛି ତେଲୁଗୁ ଓ ଓଡ଼ିଆ ମିଶ୍ରିତ ୬୫୭ଟି ଅକ୍ଷର
ଆଠଗଡ଼: ଆଠଗଡ଼ ପାଟଣା ଗ୍ରାମ ନିକଟସ୍ଥ ନାଗରୀ ପାହଡ଼ରୁ ତେଲୁଗୁ ଏବଂ ଓଡ଼ିଆ ମିଶ୍ରିତ ୬୫୭ଟି ଅକ୍ଷର ଥିବା ଏକ ଶିଳାଲିପିର ସନ୍ଧାନ କରାଯାଇଛି। ଶିଳାଲିପି ବ୍ୟତୀତ ନାଗରୀ ପାହାଡ଼ ପାଦଦେଶରେ ଅନେକ ଖପରା ମଧ୍ୟ ମିଳିଛି। ଉକ୍ତ ଖପରାରୁ ଅନୁମାନ କରାଯାଏ ଏହି ନାଗରୀ ପାହାଡ଼ ନିକଟବର୍ତ୍ତୀ ଅଞ୍ଚଳରେ ପ୍ରାଗ୍ ଐତିହାସିକ ଯୁଗର ନୂତନ ପ୍ରସ୍ତର ସଂସ୍କୃତି ମଧ୍ୟ ସେଠାରେ ବିକାଶ ଲାଭ କରିଥିଲା। ନାଗରୀ ପାହାଡ଼ ମଧ୍ୟଭାଗରେ ଏକ ଛୋଟ ପ୍ରାକୃତିକ ଝରଣା ବର୍ଷ ତମାମ ପ୍ରବାହିତ ହେଉଛି। ଏଥିରୁ ଏହାମଧ୍ୟ ପ୍ରମାଣିତ ହୁଏ ଜଳର ଉପସ୍ଥିତି ପ୍ରାଗ୍ ଐତିହାସିକ ଯୁଗରୁ ଏହି ଅଞ୍ଚଳରେ ମନୁଷ୍ୟ ବସବାସ କରି ଆସୁଥିଲା ବୋଲି ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରାଚୀନ ଭାରତ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ବ ବିଭାଗର ସହାୟକ ପ୍ରଫେସର ଅନାମ ବେହେରା ସୂଚନା ଦେଇଛନ୍ତି। ଏହା ଉପରେ ଅଧିକ ଗବେଷଣା ଏବଂ ଏହାର ରକ୍ଷଣାବେକ୍ଷଣା ଏକାନ୍ତ ଜରୁରୀ ବୋଲି ସେ କହିଛନ୍ତି। ଉକ୍ତ ଅଞ୍ଚଳକୁ ଶ୍ରୀ ବେହେରାଙ୍କ ସମେତ ଅଜିତ୍ ସାହୁ ଓ ତାରାପ୍ରସାଦ ଷଡ଼ଙ୍ଗୀ ପ୍ରତ୍ନତାତ୍ତ୍ବିକ ସେର୍ବକ୍ଷଣ କରିଥିଲେ। ଯାହା ଫଳରେଏହି ଶିଳାଲିପିଟି ଲୋକଲୋଚନକୁ ଆସିପାରିଛି।
ନାଗରୀ ପାହାଡ଼ରେ ସନ୍ଧାନ କରାଯାଇଥିବା ଶିଳାଲିପିଟି ୩ଫୁଟ ୮ଇଞ୍ଚ ଲମ୍ବା ଏବଂ ୨ଫୁଟ ୮ ଇଞ୍ଚ ଓସାର। ମସୃଣ ପଥର ଉପରେ ୪୨୫ ତେଲୁଗୁ ଶବ୍ଦ ଏବଂ ୨୩୨ଟି ଓଡ଼ିଆ ଶବ୍ଦ ଲେଖାଯାଇଛି। ୧୫ଟି ଧାଡ଼ିରେ ତେଲୁଗୁ ଏବଂ ୧୧ ଧାଡ଼ିରେ ଓଡ଼ିଆ ଶବ୍ଦ ରହିଛି। ସେହିପରି ଶିଳାଲିପିର ଚାରିକୋଣିକିଆ ଘରରେ ଫୁଲର ଚିତ୍ର ଅଙ୍କାଯାଇଛି। ଏହାର ସଠିକ୍ ଏବଂ ସବିଶେଷ ପାଠୋଦ୍ଧାର ପାଇଁ ଶିଳାଲିପିରେ ଅଭିଜ୍ଞତା ଥିବା ଓଡ଼ିଶା ଏବଂ ଆନ୍ଧ୍ର ବିଶେଷଜ୍ଞମାନଙ୍କ ନିକଟକୁ ପଠାଯାଇଛି। ଶିଳାଲିପିରେ ଉଲ୍ଲେଖ ଥିବା ଅକ୍ଷରଗୁଡ଼ିକ ସମ୍ଭବତଃ ଗଙ୍ଗବଂଶର ଶେଷ ପର୍ଯ୍ୟାୟ ଅଥବା ଗଜପତିମାନଙ୍କ ଶାସନର ଆରମ୍ଭ ସମୟର ହୋଇଥାଇ ପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରିଥିବା ଜଣାପଡ଼ିଛି। ଏହାର ସଠିକ୍ ପାଠୋଦ୍ଧାର କରାଯାଇପାରିଲେ ଓଡ଼ିଆ ଭାଷା ସାହିତ୍ୟ ଇତିହାସ ଉପରେ ଅଧିକ ତଥ୍ୟ ଉନ୍ମୋଚିତ ହୋଇପାରିବ।
ନାଗରୀ ପାହାଡ଼ ଆଠଗଡ଼ ପାଟଣା ଗ୍ରାମ କବିସୂର୍ଯ୍ୟ ନଗର ବ୍ଲକ ଗଞ୍ଜାମ ଜିଲାରେ ଅବସ୍ଥିତ। ଏହା ଭୁବନେଶ୍ବରଠାରୁ ୧୫୧କିଲୋମିଟର ହୋଇଥିବାବେଳେ ଆସ୍କାଠାରୁ ୧୮କିଲୋମିଟର ଦୂରରେ ଅବସ୍ଥିତ। ଜଣାଶୁଣା ଅଶୋକଙ୍କ ଶିଳାଲିପ ଜଉଗଡ଼ଠାରୁ ୨୨କିଲୋମିଟର ଦୂରରେ ଅବସ୍ଥିତ। ପୂର୍ବରୁ ପୁରୀ ସମୁଦ୍ରକୂଳ ନିଟକସ୍ଥ ନରସିଂହପୁର ପାଟଣାରୁ ଏକ ମଠ ମଧ୍ୟରୁ ଅଲଗା ଅଲଗା ଭାବରେ ତେଲୁଗୁ, ଓଡ଼ିଆ ଏବଂ ଆରବ ଭାଷାର ସମାନ ବିଷୟବସ୍ତୁ ଥାଇ ଶିଳାଲିପିମାନ ଉଦ୍ଧାର କରାଯାଇଥିଲା। କିନ୍ତୁ ନାଗରୀ ପାହାଡ଼ରୁ ଉଦ୍ଧାର କରାଯାଇଥିବା ଓଡ଼ିଆ ଏବଂ ତେଲୁଗୁ ଶିଳାଲିପି ଏକକାଳୀନ ଭାବରେ କ୍ରମାନୁସାରେ ଲେଖାଯାଇଛି। ଦକ୍ଷିଣ ଓଡ଼ିଶାରେ ତେଲଗୁ ଚଳଣି, ତେଲଗୁ ଭାଷାର ପ୍ରଭାବ, ଓଡ଼ିଆ ଚଳଣି ଦେଖିବାକୁ ମିଳେ। ଶିଳାଲିପିଟି ଐତିହାସିକ ଉତ୍ସ ଭାବରେ ପ୍ରତିପାଦିତ କରୁଛି। ଐତିହାସିକ ଦୃଷ୍ଟିକୋଣରୁ ଜଉଗଡ଼, ପୋତାଗଡ଼, ଋଷିକୂଲ୍ୟା ଅବବାହିକାର ଗୌରବମୟ ଅତୀତକୁ ପ୍ରମାଣିତ କରୁଛି।
Comments are closed.