୮ଶହ ଲୋକଙ୍କ ପାଇଁ ଗୋଟିଏ ନଳକୂପ
ଆରଡି : ଗ୍ରୀଷ୍ମଋତୁ ପ୍ରାରମ୍ଭରୁ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଞ୍ଚାୟତ ଅଧିନସ୍ଥ ଖଟୁଆପାଟଣା ଗାଁ ଗୋପାଳସାହିରେ ପାନୀୟଜଳ ସମସ୍ୟା ଦେଖାଦେଇଛି। ଏହି ସାହିରେ ୮ଶହରୁ ଉର୍ଦ୍ଧ ଲୋକ ବସବାସ କରୁଥିଲେ ମଧ୍ୟ ହାତ ଗଣତିରେ ୩ଟି ନଳକୂପ ଥିବାରୁ ତାହା ଗ୍ରୀଷ୍ମଋତୁରେ ଶୋଷ ମେଣ୍ଟାଇ ପାରୁନଥିବା ସାହି ଲୋକମାନେ ପ୍ରକାଶ କରିଛନ୍ତି। ସବୁଠାରୁ ବଡକଥା ହେଲା ୩ଟି ନଳକୂପ ମଧ୍ୟରୁ ଗୋଟିଏ ଭଲ ଥିବା ବେଳେ ଅନ୍ୟ ୨ଟିରୁ ଲୁଣା ଓ ମାଟିଆଗୁଣ୍ଡି ପାଣି ବାହାରୁଥିବାରୁ ତାହା ଉପେଯାଗୀ ହୋଇ ପାରୁନାହିଁ। ଫଳରେ ସ୍ଥାନୀୟ ବାସିନ୍ଧା ନିକଟରେ ଥିବା ନଈ ପାଣିକୁ ସାହାଭରଷା କରିଛନ୍ତି। ଯେଉଁ ଗୋଟିଏ ନଳକୂପରୁ ପାଣି ବାହାରୁଛି ଗ୍ରୀଷ୍ମଋତୁରେ ଜଳସ୍ତର କମିଯିବା ଫଳରେ ସ୍ଥାନୀୟ ବାସିନ୍ଧା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଉକ୍ତ ଅଞ୍ଚଳ ସମୁଦ୍ର ମୁହାଣର ନିକଟବର୍ତ୍ତୀ ହୋଇଥିବାରୁ ୪ଶହ ରୁ ୫ଶହ ଫୁଟ ଗଭିରରୁ ମଧୁରଜଳ ବାହାରିଥାଏ। ଯାହାକି ସରକାରୀ ନଳକୂପକୁ ବାଦ ଦେଲେ ନିଜସ୍ୱ ନଳକୂପ ଖନନ କରିବା ସ୍ଥାନୀୟ ଲୋକଙ୍କ ପକ୍ଷରୁ ସମ୍ଭବ ହୋଇନଥାଏ। ଫଳରେ ବର୍ଷବର୍ଷ ଧରି ସରକାରୀ ନଳକୂପ ଉପରେ ନିର୍ଭର କରି ଚଳିବାକୁ ପଡିଥାଏ। ଏପରି ପାନୀୟଜଳ ସମସ୍ୟା ବାବଦରେ ପ୍ରତିବର୍ଷ ପ୍ରଶାସନ ଓ ଲୋକପ୍ରତିନିଧିଙ୍କ ନିକଟରେ ଗୁହାରୀ କରୁଥିଲେ ମଧ୍ୟ ମଧୁରଜଳ ପ୍ରକଳ୍ପ କିମ୍ବା ଅଧିକ ନଳକୂପ ଖନନ କରାଯାଉନଥିବାରୁ ଗ୍ରୀଷ୍ମଋତୁ ଆସିଲେ ଗାଁରେ ପାନୀୟଜଳ ସଂକଟ ଦେଖାଦେଉଛି।