ଆରଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବଦଳିବ ରୂପରେଖ, ଖର୍ଚ୍ଚ ହେବ ୨କୋଟି ଟଙ୍କା
ଆରଡି: ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ବଦଳିବ ରୂପରେଖ। ଏଥିପାଇଁ ଖର୍ଚ୍ଚ ହେବ ୨କୋଟି ଟଙ୍କା ବୋଲି ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ ସୂଚନା ଦେଇଛନ୍ତି। ଆରଡିପୀଠକୁ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ପ୍ରତିଦିନ ଓ ବିଭିନ୍ନ ପର୍ବପର୍ବାଣୀରେ ଅଗଣିତ ଶ୍ରଦ୍ଧାଳୁଭକ୍ତଙ୍କ ଭିଡ ଲାଗିଥାଏ। ଏହିପୀଠକୁ ଗମନାଗମନ, ସ୍ବାସ୍ଥ୍ୟ, ପରିମଳ, ପାନୀୟଜଳ ଆଦି ପ୍ରାଥମିକ ଯୋଜନା ଉପରେ ବେଶ ଗୁରୁତ୍ବର ଦେଇ ଆସିଛନ୍ତି ସ୍ଥାନୀୟ ବିଧାୟକ ଓ ଜିଲା ପ୍ରଶାସନ। ଏପରିକି ପୀଠରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତିକରଣ ନିମନ୍ତେ ବିଧାୟକ ଓ ପ୍ରଶାସନ ନିକଟରେ ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଦାବି କରିଆସୁଥିଲେ। ବିଶେଷକରି ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଚାନ୍ଦବାଲି ବ୍ଲକର ୪ଟି ପଞ୍ଚାୟତର ୨୫ଟି ଗାଁ ଲୋକଙ୍କ ସହ ତିହିଡିବ୍ଲକର ୧୨ଗୋଟି ଗାଁ ଓ ପଡୋଶୀ ଜିଲା କେନ୍ଦ୍ରାପଡାର ୪ଟି ଗାଁର ଲୋକ ପ୍ରାଥମିକ ଚିକିତ୍ସା ନିମନ୍ତେ ନିର୍ଭର କରି ଆସୁଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ର ନୂଆରୂପରେଖ ପାଇଲେ ଆଗନ୍ତୁକ ଭକ୍ତ ଓ ପର୍ୟ୍ୟଟକଙ୍କ ସହ ସ୍ଥାନୀୟ ଆଖପାଖ ଲୋକ ସହଜରେ ସ୍ବାସ୍ଥ୍ୟ ସେବା ପାଇପାରିବେ ବୋଲି ଜଣାପଡ଼ିଛି।
Comments are closed.