ପଞ୍ଚଭୂତରେ ଲୀନ ହେଲେ ସୁଷମା, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ
ନୂଆଦିଲ୍ଲୀ : ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବୁଧବାର ଅପରାହ୍ଣରେ ଲୋଧୀ ରୋଡସ୍ଥିତ ଶ୍ମଶାନରେ ତାଙ୍କୁ ଶେଷ ବିଦାୟ ଦିଆଯାଇଛି। ଅପରାହ୍ଣ ୩ଟାରେ ଅଶୋକ ରୋଡ଼ସ୍ଥିତ ବିଜେପି ମୁଖ୍ୟାଳୟରୁ ତାଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ଲୋଧୀ ଶ୍ମଶାନ ପଡ଼ିଆକୁ ନିଆଯାଇଥିଲା। ଏହି ଶୋଭାଯାତ୍ରାରେ ଦଳ, ମତ ନିର୍ବିଶେଷରେ ସହସ୍ରାଧିକ ଲୋକ ସାମିଲ ହୋଇଥିଲେ।
ବିଜେପି ଅଧ୍ୟକ୍ଷ ଅମିତ ଶାହା, କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଦଳର ମୁଖ୍ୟାଳୟରେ ସୁଷମା ସ୍ୱରାଜଙ୍କ ଶେଷ ଦର୍ଶନ କରିବା ସହ ପାର୍ଥିବ ଶରୀର ଉପରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ତାଙ୍କ ପାର୍ଥିବ ଶରୀରକୁ ଦଳୀୟ ପତାକାରେ ଘୋଡା ଯାଇଥିଲା। ରାଜ୍ୟସଭାରେ ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଥିଲେ ଯେ ସୁଷମାଙ୍କ ଅକାଳ ମୃତ୍ୟୁରେ ଦେଶ ଜଣେ ସକ୍ଷମ ପ୍ରଶାସକ, ପ୍ରଭାବୀ ସାଂସଦ ଏବଂ ଏକ ସତ୍ୟର ସ୍ୱରକୁ ହରାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନିର୍ମଳା ସୀତାରମଣ, ଥବରଚନ୍ଦ୍ର ଗେହଲୋଟ ସମେତ ଅନେକ ନେତା ଉପସ୍ଥିତ ଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବିଜେପି ବରିଷ୍ଠ ନେତା ଲାଲକୃଷ୍ଣ ଆଡୱାଣି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ୟୁପିଏ ଅଧ୍ୟା ସୋନିଆ ଗାନ୍ଧୀ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରମୁଖ ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସୁଷମାଙ୍କ ବିୟୋଗରେ ଦିଲ୍ଲୀ ସରକାର ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।
ଲୋଧୀ ରୋଡସ୍ଥିତ ଶ୍ମଶାନରେ ସୁଷମାଙ୍କ ପାର୍ଥିବ ଶରୀରକୁ ତ୍ରିରଙ୍ଗାରେ ଗୁଡ଼ାଯାଇଥିଲା। ସେଠାରେ ତୋପ ସଲାମି ସହ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା। ଶବଦାହସ୍ଥଳରେ ତାଙ୍କ ପାର୍ଥିବ ଶରୀରରେ ବିଶିଷ୍ଟ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ମଙ୍ଗଳବାର ରାତିରେ ହୃଦଘାତରେ ସୁଷମା ସ୍ବରାଜଙ୍କ ପରଲୋକ ଘଟିଥିଲା । ଦିଲ୍ଲୀସ୍ଥିତ ଏମ୍ସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା ।
ସୁଷମା ସ୍ୱରାଜ ଏକ ଧାରାରେ ଜଣେ ସଫଳ ଲୋକପ୍ରିୟ ରାଜନୀତିଜ୍ଞ, ସୁପ୍ରିମକୋର୍ଟର ପୂର୍ବତନ ଆଇନଜୀବୀ ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ଥିଲେ। ଇନ୍ଦିରା ଗାନ୍ଧୀଙ୍କ ପରେ ସେ ଥିଲେ ଭାରତର ଦ୍ଵିତୀୟ ବିଦେଶ ମନ୍ତ୍ରୀ ଯେ ସଫଳତାର ସହ ୨୦୧୪ ମେ ୨୬ରୁ ୨୦୧୯ ମେ ୩୦ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସୁଷମା ଥିଲେ ସାଧାରଣ ଜନତାର ଅସାଧାରଣ ନେତ୍ରୀ। ଯେ କେହି ବି ଟ୍ୱିଟ କଲେ ଉତ୍ତର ଦେଉଥିଲେ ସୁଷମା। ସୁଷମା ସ୍ୱରାଜ ସଂସଦକୁ ୭ ଥର ଓ ବିଧାନସଭାକୁ ୩ ଥର ନିର୍ବାଚିତ ହୋଇଥିଲେ ।
Comments are closed.