www.samajalive.in
Monday, December 15, 2025
24.1 C
Bhubaneswar

‘ଓଡ଼ିଶାର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ପ୍ରଭାବ ଓ ଅବଦାନ ଥିଲା ଅନନ୍ୟ’

ଭୁବନେଶ୍ୱର: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଜଣେ ପ୍ରଜାବତ୍ସଳ, ପରୋପକାରୀ ଓ ଦେଶପ୍ରେମୀ ଶାସକ ଭାବେ ଲୋକପ୍ରିୟ ଥିଲେ। ଓଡ଼ିଶାର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ତାଙ୍କର ପ୍ରଭାବ ଓ ଅବଦାନ ଥିଲା ଅନନ୍ୟ ବୋଲି ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଉଭୟ ପ୍ରତ୍ୟକ୍ଷ ଓ ଆଭାସୀ ମାଧ୍ୟମରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ପ୍ରାରମ୍ଭରେ ଅତିଥିମାନେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ବାଣିଜ୍ୟ ଭିତ୍ତିଭୂମିର ବିକାଶ କରି ପ୍ରଗତିଧାରାକୁ ଗତିଶୀଳ କରିଥିଲେ। ତାଙ୍କର ବହୁମୂଲ୍ୟ ଅବଦାନ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିଛି।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ଜଣେ ସଚ୍ଚୋଟ ଦେଶପ୍ରେମୀ, ପ୍ରଜାବତ୍ସଳ, ଆଦର୍ଶ ଓ ମାତୃଭୂମିର ସେବକ ଭାବେ ଅଭିିହିତ କରିଥିଲେ। ଶାସନ ବ୍ୟବସ୍ଥା ଓ ଲୋକକଲ୍ୟାଣ କାର୍ଯ୍ୟକ୍ରମର ସଫଳ ରୂପାୟନରେ ତାଙ୍କର ଅସାଧାରଣ ଦକ୍ଷତା ଥିଲା। ମହାରାଜାଙ୍କ ପ୍ରତ୍ୟେକ କାର୍ଯ୍ୟରୁ ତାଙ୍କ ଦୂରଦର୍ଶୀ ଚିନ୍ତାଧାରାର ପରିଚୟ ମିଳେ ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସଂପାଦକ ଡ. ଲେନିନ୍‌ ମହାନ୍ତି କହିଥିଲେ ଯେ ମହାରାଜା ଶ୍ରୀରାମଚନ୍ଦ୍ର ଓଡ଼ିଶାର ଗର୍ବ ଏବଂ ଗୌରବ ଥିଲେ। ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସୁଦୃଢ଼ କରି ସେ ରାଜ୍ୟର ସାଧାରଣ ନାଗରିକର ଜୀବନଧାରାର ମାନକୁ ଉନ୍ନତ କରିଥିଲେ। ସମ୍ମାନିତ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍‌ ତଥା ଗବେଷକ ଡ. ଗିରୀଶ ପ୍ରସାଦ ସ୍ୱାଇଁ କହିଥିଲେ ଯେ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ରାଜତ୍ୱକାଳରେ କୃଷି, ଶିକ୍ଷା, ଶାସନ ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ହୋଇଥିଲା ଏବଂ ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ ବିକାଶ ପାଇଁ ସେ ବହୁ କାର୍ଯ୍ୟ କରିଥିଲେ। ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ତାଙ୍କର ଉଦ୍ୟମ ସ୍ମରଣୀୟ। ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ସେ ସଭାପତିତ୍ୱ କରିଥିଲେ।
ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତି୍ରପାଠୀ କହିଥିଲେ ଯେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଜଣେ ଜାତୀୟବାଦୀ ଜନନାୟକ ଥିଲେ ଏବଂ ତାଙ୍କ ଶାସନ କାଳରେ ଶିକ୍ଷା, କୃଷି, ପ୍ରଶାସନ ଆଦି କ୍ଷେତ୍ରରେ ବହୁ ପରିବର୍ତ୍ତନ ଆଣିପାରିଥିଲେ। ମୟୂରଭଞ୍ଜ ସାଂସ୍କୃତିକ ସଂସଦ ତରଫରୁ ବିଶିଷ୍ଟ ଶିକ୍ଷାବିତ୍‌ ସନତ କୁମାର ଦାସପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପରେ ମୟୂରଭଞ୍ଜ ସାଂସ୍କୃତିକ ସଂସଦ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ପାରମ୍ପରିକ ସାନ୍ତାଳୀ ନୃତ୍ୟ ପରିବେଷଣ କରାଯାଇଥିଲା। ସୂଚନା ଅଧିକାରୀ ସଚ୍ଚିଦାନନ୍ଦ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ସାହିତ୍ୟପ୍ରେମୀଙ୍କ ସହ ସୂଚନା ଓ ଲୋକସଂପର୍କ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଆଜି ସକାଳେ ପାୱାରହାଉସ୍‌ ଛକଠାରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories