ଏଏମୟୁରୁ ଜିନ୍ନାଙ୍କ ଫଟୋ ନେଇ ବିବାଦ

0

ଆଲିଗଡ : ଉତ୍ତରପ୍ରଦେଶର ଆଲିଗଡ ମୁସଲିମ୍‌ ୟୁନିଭର୍ସିଟି (ଏଏମ୍‌ୟୁ)ରୁ ମହମ୍ମଦ ଅଲି ଜିନ୍ନାଙ୍କ ଫଟୋ ହଟାଇବା ଦାବି ଜୋର ଧରିଛି। ଏଏମ୍‌ୟୁର ଛାତ୍ର ସଂସଦ କାର୍ଯ୍ୟାଳୟରେ ଥିବା ଜିନ୍ନାଙ୍କ ଫଟୋ ହଟାଇବା ଲାଗି ବିଜେପିର ଦୁଇ ସାଂସଦ ଦାବି ଉଠାଇଥିବାବେଳେ ଏହାକୁ ରାଜ୍ୟର ମୁସଲମାନ ସଂଗଠନ ସମର୍ଥନ ଜଣାଇଛି। ରାଜ୍ୟର ମୁସଲମାନ ସଂଗଠନ ଜାମିଆତ ଉଲେମା-ଇ-ହିନ୍ଦ ମୁଖ୍ୟ ମୌଲାନା ମେହମୁଦ ମାଦାନି ସମର୍ଥନ ଜଣାଇଛନ୍ତି। ଜିନ୍ନାଙ୍କ ଫଟୋ ହଟାଇବା ଲାଗି ବିଜେପି ନେତା ତଥା ଆଲିଗଡ ସାଂସଦ ସତୀଶ ଗୌତମ ଓ ବିଜେପି ରାଜ୍ୟସଭା ସାଂସଦ ହରନାଥ ସିଂହ ଦାବି କରିଛନ୍ତି। ସତୀଶ ଗୌତମ ବିଶ୍ୱବିଦ୍ୟାଳୟ କୁଳପତି ତାରିକ ମନସୁରଙ୍କ ନିକଟକୁ ପତ୍ର ଲେଖି ଛାତ୍ର ସଂସଦ କାର୍ଯ୍ୟାଳୟରୁ ଜିନ୍ନାଙ୍କ ଫଟୋ ହଟାଇବା ଲାଗି ଦାବି କରିଛନ୍ତି।
ଏଏମୟୁର ଛାତ୍ର ସଂସଦ କାର୍ଯ୍ୟାଳୟରୁ ଜିନ୍ନାଙ୍କ ଫଟୋ ହଟାଇବା ଲାଗି ବିଜେପିର ଦୁଇ ସାଂସଦ ଦାବି କରିଥିବାବେଳେ ଏହାକୁ ଦଳର ଅନ୍ୟତମ ନେତା ତଥା ଉତ୍ତରପ୍ରଦେଶ ସରକାରର ବରିଷ୍ଠ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିରୋଧ କରିଛନ୍ତି। ମୌର୍ଯ୍ୟ କହିଛନ୍ତି ଯେ ଦେଶ ବିଭାଜନ ପୂର୍ବରୁ ଜିନ୍ନା ଭାରତର ସ୍ୱାଧୀନତା ପାଇଁ ଯେଉଁ କାର୍ଯ୍ୟ କରିଛନ୍ତି ତାହା ପ୍ରଶଂସନୀୟ। ତେଣୁ ଏଏମୟୁରୁ ତାଙ୍କ ଫଟୋ ହଟାଇବା ଲଜ୍ଜାକର ପରିସ୍ଥିତି ସୃଷ୍ଟି କରିବ। ମୌର୍ଯ୍ୟଙ୍କର ଏପରି ମନ୍ତବ୍ୟକୁ ବିଜେପିର ଦୁଇ ସାଂସଦ ନିନ୍ଦା କରିବା ସହ ତାଙ୍କର ବହିଷ୍କାର ଦାବି କରିଛନ୍ତି। ମୌର୍ଯ୍ୟଙ୍କର ବହିଷ୍କାର ଦାବି କରି ସାଂସଦ ହରନାଥ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ବିଜେପି ରାଜ୍ୟ ସଭାପତି ମହେନ୍ଦ୍ର ନାଥ ପାଣ୍ଡେଙ୍କୁ ଟ୍ୱିଟ୍‌ କରିଛନ୍ତି।
ଜିନ୍ନାଙ୍କ ଫଟୋ ହଟାଇବା ଦାବିକୁ ନେଇ ରାଜନୀତି ଜୋର ଧରିଛି। କଂଗ୍ରେସ କହିଛି ଯେ ବିଜେପି ଦାବିର କିଛି ଗୁରୁତ୍ୱ ନାହିଁ। ରାଜନୀତି ବୟାନବାଜି କରିବାକୁ ବିଜେପି ଏପରି ଦାବି ଉଠାଇଛି। କଂଗ୍ରେସ ନେତା କରନ ଦଲାଲ କହିଛନ୍ତି ଯେ ଦେଶ ବିଭାଜନ ପୂର୍ବରୁ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଜିନ୍ନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏ ପ୍ରସଙ୍ଗରେ ଏଏମୟୁ ମୁଖପାତ୍ର କହିଛନ୍ତି ଯେ ଜିନ୍ନାଙ୍କ ଫଟୋ ଅନେକ ଦଶନ୍ଧି ଧରି ଛାତ୍ର ସଂସଦ କାର୍ଯ୍ୟାଳୟରେ ଲାଗି ଆସିଛି। ଜିନ୍ନା ବିଶ୍ୱବିଦ୍ୟାଳୟ କୋର୍ଟର ପ୍ରତିଷ୍ଠାତା ସଦସ୍ୟ। ୧୯୩୮ରେ ତାଙ୍କୁ ଛାତ୍ର ସଂସଦର ଆଜୀବନ ସଦସ୍ୟତା ମିଳିଥିଲା। ସେବେଠାରୁ ତାଙ୍କ ଫଟୋ ବିଶ୍ୱବିଦ୍ୟାଳୟରେ ସ୍ଥାନ ପାଇଆସୁଛି। ଆଜୀବନ ସଦସ୍ୟତା ଲାଭ କରିଥିବା ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ଫଟୋ ଛାତ୍ର ସଂସଦ କାର୍ଯ୍ୟାଳୟରେ ଲଗାଯାଇଛି। ଏମାନଙ୍କ ମଧ୍ୟରେ ଜିନ୍ନାଙ୍କ ଫଟୋ ଅନ୍ୟତମ। ଏଏମୟୁ ଛାତ୍ର ସଂସଦ ସଭାପତି ଏମ୍‌ ଏ ଉସମାନି କହିଛନ୍ତି ଯେ ଜିନ୍ନାଙ୍କ ଫଟୋ କାର୍ଯ୍ୟାଳୟରୁ ହଟିବାର ପ୍ରଶ୍ନ ଉଠୁ ନାହିଁ। ଜିନ୍ନାଙ୍କ ଫଟୋ ହଟାଇବା ଦାବିରେ ଦକ୍ଷିଣ ପନ୍ଥୀ ଛାତ୍ର ଗୋଷ୍ଠୀ ବିଶ୍ୱବିଦ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କୁ ହଟାଇବା ଲାଗି ପୁଲିସ ଲାଠିମାଡ କରିବା ସହ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିବା ଜଣାଯାଇଛି। ଏହି ଘଟଣା ପରେ ବିଶ୍ୱବିଦ୍ୟାଳୟର ସମସ୍ତ ଫାଟକ ବନ୍ଦ କରିଦିଆଯାଇଛି।

Leave A Reply