ବାଇଡେନଙ୍କ ସୁରକ୍ଷା ବଳୟ ଲଙ୍ଘିଲା ବିମାନ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସୁରକ୍ଷା ବଳୟ ଲଙ୍ଘନ ହୋଇଛି । ରାଷ୍ଟ୍ରପତି ବାଇଡେନ ଓ ତାଙ୍କ ପତ୍ନୀ ଜିଲ୍‌ ବାଇଡେନ ଶନିବାର ଡେଲୱାରେ ପ୍ରଦେଶକୁ ନିଜର ଛୁଟି କଟାଇବାକୁ ଯାଇଥିଲେ । ରାଷ୍ଟ୍ରପତି ଦମ୍ପତି ଡେଲୱାରେର ସମୁଦ୍ର କୂଳ ବାସଭବନରେ ଅବସ୍ଥାନ କରୁଥିବାରୁ ଏହାର ବାୟୁସୀମାକୁ ଅନ୍ୟ ବିମାନ ଉଡାଣ ନିମନ୍ତେ ନିଷିଦ୍ଧ (ନୋ ଫ୍ଲାଏ ଜୋନ୍) ଘୋଷଣା କରାଯାଇଥିଲା। ନିଷେଧାଦେଶ ସତ୍ତ୍ବେ ଏକ ଛୋଟ ବିମାନ ଭୁଲ୍ କ୍ରମେ ନୋ ଫ୍ଲାଏ ଜୋନ୍ ମଧ୍ୟକୁ ପ୍ରବେଶ କରିଯାଇଥିଲା। ଫଳରେ ରାଷ୍ଟ୍ରପତି ଦମ୍ପତିଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ ବିମାନର ପାଇଲଟ୍‌ ଫ୍ଲାଇଟ୍ ମାର୍ଗଦର୍ଶିକା ଅନୁସରଣ କରି ନଥିଲେ। ଏହା ନିୟମିତ ରେଡିଓ ଚାନେଲ ଦେଇ ଗତି କରି ନଥିଲେ । ହ୍ବାଇଟ୍ ହାଉସ୍ ସିକ୍ରେଟ୍ ସର୍ଭିସର କହିବା ଅନୁଯାୟୀ ପ୍ରାଥମିକ ଅନୁସନ୍ଧାନ ପରେ ରାଷ୍ଟ୍ରପତି ଦମ୍ପତିଙ୍କୁ ପୁନର୍ବାର ସମୁଦ୍ର କୂଳ ବାସଭବନକୁ ଫେରାଇ ଅଣାଯାଇଥିଲା। ସାଧାରଣ ନିୟମ ଅନୁଯାୟୀ ରାଷ୍ଟ୍ରପତି ୱାଶିଂଟନ ବାହାରକୁ ଗଲେ ବାୟୁସୀମାର ୧୦ ମାଇଲ ଅଞ୍ଚଳକୁ ନୋ ଫ୍ଲାଏ ଜୋନ୍ ଘୋଷଣା କରାଯାଇଥିଲା। ଏହି ସୀମା ମଧ୍ୟରେ କୌଣସି ବିମାନ ଚଳାଚଳକୁ ଅନୁମତି ଦିଆଯାଇ ନଥାଏ।

kalyan agarbati

Comments are closed.