’ଉର୍ତ୍ସଗ’ର ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଲୋକାର୍ପିତ, ଶରୀରଦାନ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା
ସମ୍ବଲପୁର : ସମ୍ବଲପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉର୍ତ୍ସଗ ପକ୍ଷରୁ ଶନିବାର ସନ୍ଧ୍ୟାରେ ଅନୁଷ୍ଠାନ ଜରିଆରେ ମୃତ୍ୟୁ ପରେ ନିଜର ସମ୍ପୁର୍ଣ୍ଣ ଶରୀର ଦାନ କରିଥିବା ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେହିପରି ଅନୁଷ୍ଠାନକୁ ପ୍ରଦାନ କରାଯାଇଥିବା ଆମ୍ବୁଲାନ୍ସ ସେବାର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଓଡିଶା ସାଂସ୍କୃତିକ ସମାଜର ସମ୍ମିଳନୀ କକ୍ଷରେ ଆୟୋଜତି ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଉର୍ତ୍ସଗ ଜରିଆରେ ମୃତ୍ୟୁ ପରେ ଭିମସାରକୁ ଗବେଷଣା ନିମନ୍ତେ ଶରୀର ଦାନ ପାଇଁ ଇଚ୍ଛାପତ୍ର ପ୍ରଦାନ କରିଥିବା ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଆୟୋଜିତ ସଭା କାର୍ଯ୍ୟରେ ବରିଷ୍ଠ ସଦସ୍ୟ ଡ. ବିଜୟ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ବରଗଡ ସାଂସଦ ସୁରେଶ ପୂଜାରୀ ମୁଖ୍ୟ ଅତିଥି, ବିକାଶ ଗ୍ରୁପର ଜି. ଭାସ୍କର ରାଓ, ଉର୍ତ୍ସଗର ଆଇନ ପରାମର୍ଶଦାତା ଲକ୍ଷ୍ମଣ ପାଣିଗ୍ରାହୀ, ସଂଯୋଜକ ପ୍ରଶାନ୍ତ ପାଟ୍ଟଯୋଶୀ ମଞ୍ଚାସୀନ ରହିଥିଲେ। କାର୍ଯ୍ୟକ୍ରମରେ ଶରୀରଦାନ ପାଇଁ ଇଚ୍ଛାପତ୍ର ପ୍ରଦାନ କରିଥିବା ୭ ଜଣ ବ୍ୟକ୍ତି, ବୁଢ଼ାରଜା ସହଯୋଗ ନଗର ନିବାସୀ ଚକ୍ରଧର ପାଣିଗ୍ରାହୀ (୭୮), ମହାବୀରପଡା ଧନୁପାଲି ନିବାସୀ ସଂଘମିତ୍ର ପଣ୍ଡା (୬୫), ବୁଢ଼ାରଜା କଲ୍ୟାଣ ନଗର ନିବାସୀ ସୁବ୍ରତ କୁମାର ନାଥ (୪୦), ପୁଟିବନ୍ଧ ନିବାସୀ ସ୍ନେହଲତା ରାୟଗୁରୁ (୬୨), ବ୍ରୃକ୍ସହିଲ ନିବାସୀ ସୁରେଶ୍ୱରୀ ନାୟକ (୪୬) ଓ ଅର୍ଜୁନ ନାୟକ (୫୩) ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ସ୍ୱେଚ୍ଛାସେବୀ ଅନୁଷ୍ଠାନର ସେବା କାର୍ଯ୍ୟ ଉପରେ ଅତିଥି ମାନେ ଆଲୋକପାତ କରି ଉଚ୍ଚ ପ୍ରଂଶସା କରିଥିଲେ।
କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ସୁଧିର ପୂଜାରୀ ଅନୁଷ୍ଠାନର ଆମ୍ବୁଲାନ୍ସ ସେବା ଉପରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ସରୋଜ ଦାଶଙ୍କ ସଂଯୋଜନାରେ ମୁଖ୍ୟ ଅତଥି ସାଂସଦ ପୂଜାରୀ ଓ ସମ୍ମାନୀତ ଅତିଥି ଭାସ୍କର ରାଓ ଉର୍ତ୍ସଗର ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବାକୁ ଲୋକାର୍ପିତ କରିଥିଲେ । ସଂଯୋଜକ ପ୍ରଶାନ୍ତ ପାଟ୍ଟଯୋଶୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଜନୀକାନ୍ତ ନାଗ ସ୍ୱାଗତ ଭାଷଣ ଓ ଶେଷରେ ହରିଶଙ୍କର ମେହେର ଧନ୍ୟବାଦ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ, ବିଗତ ଦିନରେ ରାଷ୍ଟ୍ରାୟତ୍ତ କୋଇଲା କମ୍ପାନୀ ମହାନଦୀ କୋଲ ଫିଲଡ୍ସ ପକ୍ଷରୁ ସିଏସଆର ପାଣ୍ଠିରୁ ପଶ୍ଚିମ ଓଡିଶାର ବିଭିନ୍ନ ଜିଲାକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଥିଲା।
Comments are closed.