ତିନିମୂର୍ତ୍ତି ଭବନରେ ଏଣିକି ମିଳିବ ସବୁ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ସୂଚନା

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାରର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କ୍ରମେ ରାଜଧାନୀ ନୂଆଦିଲ୍ଲୀର ତିନିମୂର୍ତ୍ତି ଭବନସ୍ଥିତ ନେହେରୁ ସ୍ମୃତି ସଂଗ୍ରହାଳୟ ଏବଂ ପୁସ୍ତକାଳୟ (ଏନ୍‌ଏମ୍‌ଏମ୍‌ଏଲ)ରେ ଏଣିକି ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ତଥ୍ୟ ଉପଲବ୍ଧ ହେବ। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏ ସମ୍ବନ୍ଧୀୟ ବିଚାରଧାରା ସର୍ବପ୍ରଥମେ ୨୦୧୭ ଅଗଷ୍ଟରେ ଏନ୍‌ଏମ୍‌ଏମ୍‌ଏଲ୍‌ର ବୈଠକରେ ଉପସ୍ଥାପନ କରାଯାଇଥିଲା। ପୂର୍ବରୁ ଏଠାରେ କେବଳ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ୍‌ ନେହେରୁଙ୍କ ସମ୍ପର୍କରେ ତଥ୍ୟ ଉପଲବ୍ଧ ହେଉଥିଲା। ଏଣିକି ଏଠାରେ ମୋଦିଙ୍କ ବାଲ୍ୟକାଳର ସଂଘର୍ଷ ସମ୍ବନ୍ଧିୟ ସୂଚନା ମଧ୍ୟ ପ୍ରଦାନ କରାଯିବ। ଭାରତୀୟ ସ୍ୱାଧୀନତା ସଂଗ୍ରାମ ତଥା ନବ ଭାରତ ଗଠନରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ପ୍ରମୁଖ ନେତୃବର୍ଗଙ୍କ ଜୀବନୀ ଏଠାରେ ଉପଲବ୍ଧ ହେବା ଉଚିତ। ଲକ୍ଷାଧିକ ଲୋକ ନବଭାରତ ଗଠନରେ ସାମିଲ ଥିବା ବେଳେ କେବଳ ନେହରୁ ଏବଂ ତାଙ୍କ ପରିବାର ହିଁ ଏହି କାର୍ଯ୍ୟ ସମ୍ପାଦନ କରିଥିବା କଂଗ୍ରେସ ଭାବୁଛି ବୋଲି କେନ୍ଦ୍ର ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ମହେଶ ଶର୍ମା କହିଛନ୍ତି। ବର୍ତ୍ତମାନ ତିନି ମୂର୍ତ୍ତି ଭବନଠାରେ ଥିବା ଏହି ସଂଗ୍ରହାଳୟ ତଥା ପୁସ୍ତକାଳୟ ଏକଦା ନେହରୁଙ୍କ ବାସଭବନ ଥିଲା।

Leave A Reply