ଶାନ୍ତି ଦ୍ୱାରା ବିଶ୍ୱର ସମୃଦ୍ଧି ସମ୍ଭବ

0

କଟକ: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ମହାରାଷ୍ଟ୍ରର ୱାର୍ଦ୍ଧାସ୍ଥିତ ସେବାଗ୍ରାମ ଆଶ୍ରମ ପରିସରରେ ୪୭ତମ ସର୍ବୋଦୟ ସମାଜ ସମ୍ମେଳନ ଆୟୋଜିତ ହୋଇ ଯାଇଛି। ଏହି ସମ୍ମେଳନ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏହାକୁ ଗାନ୍ଧିଜୀଙ୍କ ନାତି ରାଜମୋହନ ଗାନ୍ଧି ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଅତିଥିଭାବେ ଦେଶର ପୂର୍ବତନ ନିର୍ବାଚନ କମିସନର ଡ. ସାହାବୁଦ୍ଦିନ ୟାକୁମ୍‌ କ୍ୟୁରେସି ଓ ସ୍ୱତନ୍ତ୍ର ଅତିଥିଭାବେ ଜଷ୍ଟିସ୍‌ ଚନ୍ଦ୍ର ଶେଖର ଧର୍ମାଧିକାରୀ ଯୋଗ ଦେଇଥିଲେ। ଦେଶରେ ବୃଦ୍ଧି ପାଉଥିବା ଅସହିଷ୍ଣୁତା ଓ ବିଶ୍ୱରେ ବୃଦ୍ଧି ପାଉଥିବା ହିଂସାକୁ ନେଇ ସର୍ବୋଦୟ ନେତାଗଣ ଚିନ୍ତା ପ୍ରକଟ କରିଥିଲେ। କେବଳ ଅହିଂସା ଓ ଶାନ୍ତି ଦ୍ୱାରା ବିଶ୍ୱର ସମୃଦ୍ଧି ସମ୍ଭବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।
ଅନ୍ତର୍ଜାତୀୟ ସ୍ତରରେ ବୃଦ୍ଧି ପାଉଥିବା ଆତଙ୍କବାଦ, ରକ୍ତପାତ, ସାମ୍ପ୍ରଦାୟିକ ମନୋଭାବ ବିଶ୍ୱ ଶାନ୍ତି ପାଇଁ ଆହ୍ୱାନ ସୃଷ୍ଟି କରିଛି। ଜଗତୀକରଣ ନାମରେ ଜନସାଧାରଣଙ୍କୁ ଶୋଷଣ କରାଯାଉଛି। ଉପନିବେଶବାଦ ଓ ବିସ୍ତାରବାଦ ଏଯାଏଁ ବିଶ୍ୱରୁ ଦୂରୀଭୂତ ହୋଇପାରି ନାହିଁ। ଏବେବି ଅଧିକାଂଶ ଦେଶରେ ବର୍ଣ୍ଣ-ବୈଷମ୍ୟଜନିତ ଭେଦଭାବ ଜାରି ରହିଛି ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଯୁବଗୋଷ୍ଠୀ ଦେଶରୁ ଦୁର୍ନୀତି, ସାମ୍ପ୍ରଦାୟିକ ଭେଦଭାବ ଓ ପ୍ରଦୂଷଣମୁକ୍ତ ସମାଜ ଗଠନ ଦିଗରେ କାର୍ଯ୍ୟ କରିବା ଉଚିତ୍‌। ଖଦି-ଗ୍ରାମଦ୍ୟୋଗ, ଜଙ୍ଗଲ, ଜଳ ସମ୍ପଦ, ଜମି, ଖଣିଜ ସମ୍ପଦ ସୁରକ୍ଷା (ଜଳ-ଜଙ୍ଗଲ-ଜମି-ଖଣିଜ) ଓ ମହିଳା ସଶକ୍ତୀକରଣ ପାଇଁ ସର୍ବୋଦୟ କର୍ମୀମାନେ ଧ୍ୟାନ ଦେବେ ବୋଲି ସମ୍ମେଳନରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ପରିତାପର ବିଷୟ, ସ୍ୱାଧୀନତାର ୭୦ ବର୍ଷ ବିତିଯାଇଥିଲେ ମଧ୍ୟ ଦେଶରୁ ଗରିବୀ ଓ ନିରକ୍ଷରତା ସମ୍ପୂର୍ଣ୍ଣଭାବେ ଦୂର ହୋଇ ପାରିନାହିଁ। ଶୋଷଣ, ଅତ୍ୟାଚାର ଓ ନାରୀ ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି। ଗାନ୍ଧିଜୀଙ୍କ ସ୍ୱପ୍ନର କେନ୍ଦ୍ରବିନ୍ଦୁ ଥିଲା ଗାଁ। ସାମ୍ପ୍ରତିକ ପରିସ୍ଥିତିରେ ଚାଷ ଜମି ଉଜୁଡ଼ିବାରେ ଲାଗିଛି, କୃଷକ ଆତ୍ମହତ୍ୟା ବୃଦ୍ଧି ପାଇବାରେ ଲାଗିଛି, ଚାଷିଙ୍କ ଜମିକୁ ବଳ ପ୍ରୟୋଗ ପୂର୍ବକ ଅକ୍ତିଆର କରାଯାଇ କଳକାରଖାନା ପ୍ରତିଷ୍ଠା କରାଯାଉଛି। ବିକାଶ ନାମରେ କୃଷକଙ୍କ ଜମିକୁ ସରକାର ଶକ୍ତି ପ୍ରୟୋଗ କରି ଅକ୍ତିଆର କରୁଛନ୍ତି। ଏବେ ଗାଁ ଲୋକେ ସହରାଭିମୁଖୀ ହେବାରେ ଲାଗିଛନ୍ତି। ଏସବୁକୁ ରୋକା ଯାଇପାରିଲେ ସମୃଦ୍ଧ ଭାରତ ଗଠନ ସମ୍ଭବ। ଏକ ହିଂସାମୟ ବିଶ୍ୱରେ ରହିବାକୁ ସେ ଚାହାନ୍ତି ନାହିଁ ବୋଲି ମହାତ୍ମା ଗାନ୍ଧି କହିଥିଲେ। ତେବେ ଦୁଃଖର ବିଷୟ, ବିଶ୍ୱରେ ହିଂସା ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି।
ଯୁବଗୋଷ୍ଠୀଙ୍କ ଦେଶ ହେଉଛି ଭାରତ। ଭାରତର ଯୁବଗୋଷ୍ଠୀଙ୍କ ସଂଖ୍ୟା ବିଶ୍ୱରେ ସର୍ବାଧିକ। ଏଠାରେ ପ୍ରାୟ ୬୩ ପ୍ରତିଶତ ଯୁବଗୋଷ୍ଠୀ ବାସ କରନ୍ତି। ଏହି ଯୁବକମାନଙ୍କୁ ସରକାର ସଠିକ୍‌ଭାବେ ବିନିଯୋଗ କରି ପାରୁ ନାହାନ୍ତି। ଫଳରେ ବେକାରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗ୍ରାମରେ ରୋଜଗାର, ସ୍ୱାସ୍ଥ୍ୟ ସେବା ଓ ଅନ୍ୟ ମୌଳିକ ସୁବିଧା-ସୁଯୋଗ ଯୋଗାଇ ଦିଆଯାଇ ପାରିଲେ ଲୋକମାନେ ଆଉ ସହରାଭିମୁଖୀ ହୁଅନ୍ତେ ନାହିଁ। ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ହିଂସା ସାମାଜିକ ସୁରକ୍ଷା ପ୍ରତି ଆହ୍ୱାନ ସୃଷ୍ଟି କରିଛି। ସମ୍ମେଳନର ପ୍ରବକ୍ତାମାନେ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପ୍ରତି ଚିନ୍ତା ପ୍ରକଟ କରିଥିଲେ। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଉପରୁ ଜନସାଧାରଣଙ୍କ ଆସ୍ଥା ଧୀରେ ଧୀରେ ତୁଟିବାରେ ଲାଗିଛି। ଏହାକୁ ଯଦି ରୋକା ନଯାଏ ଦେଶରେ ଆର୍ଥିକ ସଙ୍କଟ ସୃଷ୍ଟି ହେବ। ପାନସରେ, କଲବୁର୍ଗୀ ଓ ଗୌରି ଲଙ୍କେଶଙ୍କୁ ହତ୍ୟା କରାଯିବା ଦେଶର ବାକ୍‌ ସ୍ୱାଧୀନତା ପ୍ରତି କୁଠାରାଘାତ ସଦୃଶ। ଧର୍ମ-ବିଦ୍ୱେଷ ଓ ଅସହିଷ୍ଣୁତା ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ଏହିସବୁ ଘଟଣା ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଛି।
ନିଶା ବେପାର, ହତ୍ୟା, ମହିଳା ନିର୍ଯାତନା ଓ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦେଶକୁ ସମ୍ପୂର୍ଣ୍ଣ ରୂପେ ନିଶାମୁକ୍ତ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବାକୁ ସର୍ବୋଦୟ କର୍ମୀମାନେ ଦାବି କରିଛନ୍ତି। ବିତ୍ତଶାଳୀ ରାଷ୍ଟ୍ରମାନେ ସମଗ୍ର ବିଶ୍ୱକୁ ବାରୁଦଗଦାରେ ପରିଣତ କଲେଣି। ବିଶ୍ୱ ଶାନ୍ତି ପାଇଁ ଏହା ଆହ୍ୱାନ ସୃଷ୍ଟି କରିଛି। ଏପରି ବିପଦରୁ ତ୍ରାହି ପାଇବାକୁ ହେଲେ ସମଗ୍ର ବିଶ୍ୱ ଗାନ୍ଧିଜୀଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହେବା ଆବଶ୍ୟକ। ବିଶ୍ୱରେ ଭ୍ରାତୃତ୍ୱଭାବ ବଜାୟ ରଖିବା, ନିଶାମୁକ୍ତ ସମାଜ ଗଠନ, ଶିକ୍ଷା, ସଚେତନତା ଓ ଯୁବବର୍ଗଙ୍କ ମଧ୍ୟରେ ସତ୍ୟାଗ୍ରହ ଜାଗ୍ରତ କରାଇବାକୁ ସର୍ବୋଦୟ ସମ୍ମେଳନ ନିବେଦନ କରିଛି। ମହାତ୍ମାଗାନ୍ଧିଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ସମସ୍ତ ଗାନ୍ଧିବାଦୀ ସଂଗଠନ ଖଦି ବିକ୍ରି ଓ ଗ୍ରାମ ସ୍ୱରାଜ ଉପରେ ଦୃଷ୍ଟି ଦେବାକୁ ସମ୍ମେଳନ ପକ୍ଷରୁ କୁହାଯାଇଛି।
ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ସମ୍ମେଳନରେ ଦେଶ-ବିଦେଶରୁ ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ବ ଗାନ୍ଧିବାଦୀ ଯୋଗ ଦେଇଥିଲେ। ଯୁବଗୋଷ୍ଠୀ, ଆଦିବାସୀ ଓ ଦଳିତ ସମାଜର ଅଧିକାଂଶ ଜନସାଧାରଣ ଏଥିରେ ଯୋଗ ଦେଇଥିଲେ।
ଏହି ସମ୍ମେଳନରେ ଓଡ଼ିଶାରୁ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ପଦ୍ମ ଚରଣ ନାୟକ, ଆଦିତ୍ୟ ପଟ୍ଟନାୟକ, ଗୀତାଞ୍ଜଳି ପଟ୍ଟନାୟକ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଉଷା ଶତପଥି, ମଧୁ ଭାଇଙ୍କ ସମେତ ସର୍ବୋଦୟ ସମାଜର ପ୍ରାୟ ୪ଶହ ପ୍ରତିନିଧି ଯୋଗ ଦେଇଥିଲେ। ୭୦ ବର୍ଷ ତଳେ ସେବାଗ୍ରାମଠାରେ ସର୍ବୋଦୟ ସମାଜ ପ୍ରତିଷ୍ଠା ହୋଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ସମାଜ ଗାନ୍ଧିଜୀଙ୍କ ବିଚାରଧାରାକୁ ପାଥେୟ କରି ଦେଶରେ ଶାନ୍ତି ଓ ସଦ୍‌ଭାବନା ପ୍ରତିଷ୍ଠା ପାଇଁ ନିରବଚ୍ଛିନ୍ନ ଉଦ୍ୟମ ଜାରି ରଖିଛି।

Leave A Reply