କରୋନା ଚତୁର୍ଥ ଲହର ଭୟ ; ପୁଣି ତୁଣ୍ଡି ପିନ୍ଧିବା ବାଧ୍ୟତାମୂଳକ ହେଲା
ନୂଆଦିଲ୍ଲୀ : ଦେଶରେ କରୋନା ଚତୁର୍ଥ ଲହର ଆସିବାର ଆଶଙ୍କା ପ୍ରକାଶ ପାଇଛି। ଦୈନିକ ସଂକ୍ରମଣ ବୃଦ୍ଧିକୁ ନେଇ ଏହି ଆଶଙ୍କା ବଢିଛି। ଏହି ଆଶଙ୍କାକୁ ନେଇ କେତେକ ଅଞ୍ଚଳରେ କରୋନାର କଟକଣାକୁ ପୂନର୍ବାର ଲାଗୁ କରାଯାଇଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ଦ୍ରୁତବେଗରେ ବୃଦ୍ଧି ପାଉଥିବାରୁ ଏଠାରେ ତୁଣ୍ଡି ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର୍) ସହିତ ଲକ୍ଷ୍ନୌ, ଗୌତମବୁଦ୍ଧ ନଗର, ଗାଜିଆବାଦ, ହାପୁର, ମିରଟ୍, ବୁଲନ୍ଦସର ଓ ଭାଗପତ ଅଞ୍ଚଳରେ ତୁଣ୍ଡି ପିନ୍ଧିବାକୁ ପ୍ରଶାସନ ପକ୍ଷରୁ ବାଧ୍ୟତାମୂଳକ କରାଯାଇଛି। ସର୍ବସାଧାରଣ ସ୍ଥାନରେ ଲୋକଙ୍କ ପାଇଁ ତୁଣ୍ଡି ପିନ୍ଧିବା ବାଧ୍ୟତାମୂଳକ। ଗତ ୨୪ ଘଣ୍ଟାରେ ଗୌତମବୁଦ୍ଧ ନଗରରେ ୬୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗାଜିଆବାଦରେ ୨୦ ଓ ଲକ୍ଷ୍ନୌରେ ୧୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପରିସ୍ଥିତିକୁ ଅନୁଧ୍ୟାନ ପାଇଁ ନିର୍ଦେଶ ଦେଇଛନ୍ତି।
ସେହିପରି ଦେଶରେ ଦୈନିକ ସଂକ୍ରମଣ ୨ହଜାର ଅତିକ୍ରମ କରିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ
ଦେଶରେ ୨୧୮୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୧୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। କେରଳର ୨୧୩ ପୁରୁଣା ମୃତ୍ୟୁସଂଖ୍ୟାକୁ ମିଶାଯାଇଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ଫଳରେ ଦେଶରେ ମୋଟ କରୋନା ମୃତ୍ୟୁସଂଖ୍ୟା ୫,୨୧,୯୬୫ରେ ପହଞ୍ଚିଛି। ଦେଶରେ ଏବେ ୧୧,୫୪୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଦେଶରେ ଦୈନିକ ସଂକ୍ରମଣ ହାର ୦.୮୩% ରହିଛି।
ଓମିକ୍ରନ ଶିଶୁଙ୍କ ପାଇଁ ଘାତକ ହେବ
ଓମିକ୍ରନ ପ୍ରଜାତି ଭୂତାଣୁ ଯୋଗୁଁ ଦେଶରେ କରୋନାର ଚତୁର୍ଥ ଲହର ଆଣିବାର ଆଶଙ୍କା ସୃଷ୍ଟି କରିଛି। ଏହି ଚତୁର୍ଥ ଲହର ଶିଶୁଙ୍କ ପାଇଁ ଘାତକ ହେବ ବୋଲି କୁହାଯାଉଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଓମିକ୍ରନ ପ୍ରଜାତି ଯୋଗୁଁ ଶିଶୁଙ୍କ ଶ୍ବାସନଳୀ ସଂକ୍ରମିତ ହେବ। ଫଳରେ ପିଲାମାନେ ହୃଦ୍ଘାତ ଜନିତ ମୃତ୍ୟୁର ଶିକାର ହେବେ। ଓମିକ୍ରନ ପ୍ରଜାତି ଭୂତାଣୁ ଯୋଗୁଁ ଚୀନ ସମେତ ବିଶ୍ବର ଅନ୍ୟ ଅଞ୍ଚଳରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। କଲରାଡୋ ବିଶ୍ବବିଦ୍ୟାଳୟର ଏକ ଗବେଷକ ଦଳ କରୋନା ସଂକ୍ରମିତ ୧୮,୮୪୯ ଶିଶୁଙ୍କୁ ପରୀକ୍ଷା କରି ଜାଣିବାକୁ ପାଇଛନ୍ତି ଯେ ଓମିକ୍ରନ ସଂକ୍ରମଣ ଯୋଗୁଁ ଶିଶୁଙ୍କ ଶ୍ବାସନଳୀ ସଂକ୍ରମିତ ହେଉଛି। ଗବେଷକଙ୍କ ଗବେଷଣାତ୍ମକ ସନ୍ଦର୍ଭ ପ୍ରକାଶିତ ତଥ୍ୟ ଅନୁଯାୟୀ ଓମିକ୍ରନ ସଂକ୍ରମଣ ବୃଦ୍ଧି ସମୟରେ ପିଲାମାନଙ୍କ ଶ୍ବାସନଳୀ ସଂକ୍ରମିତ ହେବାକୁ ନେଇ ଏକ ପଞ୍ଚମାଂଶ ପିଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
Comments are closed.