ବିମାନ ବନ୍ଦରରୁ କଟକଣା ପ୍ରତ୍ୟାହାର

ଭୁବନେଶ୍ୱର: ତୃତୀୟ ଲହରକୁ ଶୀଘ୍ର ପ୍ରତିହତ ପାଇଁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ କରୋନା କଟକଣାକୁ କଡ଼ାକଡ଼ି କରାଯାଉଥିଲା। ଶୁକ୍ରବାର ଅପରାହ୍ଣରୁ ଲାଗୁ ହୋଇଥିବା ସମସ୍ତ କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି। ଏନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଗତ ୭ ତାରିଖରୁ ବିମାନ ବନ୍ଦରକୁ ଆସୁଥିବା‌ ସମସ୍ତ ଯାତ୍ରୀଙ୍କ ଆରଟି-ପିସିଆର ପରୀକ୍ଷା ବାଧ୍ୟତାମୂଳକ ହୋଇଥିଲା। ଯାତ୍ରୀଙ୍କୁ ଅଟକାଇ ନମୁନା ସଂଗ୍ରହ କରାଯାଉଥିଲା। ପରୀକ୍ଷା ପାଇଁ ଆଇଏଲ୍‌ଏସ୍‌ ଏବଂ ଆର୍‌ଏମ୍‌ଆର୍‌ସିକୁ ପଠାଯାଉଥିଲା। କିନ୍ତୁ ଏସବୁ ନିୟମକୁ ଏବେ ପ୍ରତ୍ୟାହାର କରି ନିଆଯାଇଛି।

ଏଣିକି ବିଏମ୍‌ସି ପକ୍ଷରୁ କୌଣସି ଯାତ୍ରୀଙ୍କୁ ବାଧ୍ୟତାମୂଳକ ଆରଟି-ପିସିଆର ପରୀକ୍ଷା କରିବାକୁ କୁହାଯିବ ନାହିଁ। ଯାତ୍ରୀ ଚାହିଁଲେ ସ୍ବ-ଇଚ୍ଛାରେ ଆରଟି-ପିସିଆର ପରୀକ୍ଷା କରିପାରିବେ। ଏଥିପାଇଁ ନମୁନା ସଂଗ୍ରହ କେନ୍ଦ୍ର ରହିଛି। ବିମାନ ବନ୍ଦରରୁ ବାହାରକୁ ଆସିବା ସମୟରେ ଯାତ୍ରୀଙ୍କ ତାପମାତ୍ରା ଯାଞ୍ଚ (ଥର୍ମାଲ ସ୍କ୍ରିନିଂ) ମଧ୍ୟ ବନ୍ଦ କରାଯାଇଛି।

Comments are closed.