କଟକ: ଶୁଆ ନିରୁଦ୍ଦିଷ୍ଟ। ତାକୁ ଖୋଜିଦେବା ପାଇଁ ବିଜ୍ଞାପନ ଓ ପୁରସ୍କାର ରାଶି ଘୋଷଣା କରାଯାଇଛି। ଏଭଳି କୌତୂହଳ କଥା ଦେଖିବାକୁ ମିଳିଛି କଟକ ତୁଳସୀପୁର ଅଞ୍ଚଳରେ। ପ୍ରଫେସର ସୁସ୍ମିତା ବେହେରାଙ୍କ ପାଳିତ ଶୁଆ ‘କୋକୋ’ ପାଇଁ ପୂରା ପରିବାର ଏବେ ଚିନ୍ତିତ ହୋଇପଡିଛନ୍ତି। ଘରର ପୁଅ ଭଳି ସ୍ନେହଶ୍ରଦ୍ଧା କରିଆସୁଥିବା କୋକୋକୁ ଖୋଜିଦେଲେ ୫ ହଜାର ଟଙ୍କା ପୁରସ୍କାର ଦେବେ ବୋଲି ପରିବାର ପକ୍ଷରୁ ଘୋଷଣା କରାଯାଇଥିବା ସୁସ୍ମିତା କହିଛନ୍ତି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରଚାରପତ୍ର (ଲିଫଲେଟ୍) ମଧ୍ୟ ବାଣ୍ଟିଛନ୍ତି। ପ୍ରଫେସରଙ୍କ ଏଭଳି ପକ୍ଷୀପ୍ରେମକୁ ସାଧାରଣରେ ପ୍ରଶଂସା କରାଯାଉଛି।
ତୁଳସୀପୁର ମଧୁସୂଦନ ନଗରର ସୁସ୍ମିତା ବେହେରା ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଷ୍ଟାଣ୍ଡାର୍ଡସ୍ ଆଣ୍ଡ୍ ଟେକ୍ନୋଲୋଜି (ନିଷ୍ଟ)ର ପ୍ରଫେସର ଅଛନ୍ତି। ବର୍ଷେ ତଳେ ନିଷ୍ଟରେ ପଢ଼ାଉଥିବାବେଳେ ଏକ ଛୋଟ ଶୁଆ ଆହତ ଅବସ୍ଥାରେ ବାହାରେ ପଡ଼ିଥିଲା। ଶ୍ରୀମତୀ ବେହେରା ତା’ର ଚିକିତ୍ସା କରାଇଥି ତାକୁ ସୁସ୍ଥ କରାଇଥିଲେ। ପଶୁପକ୍ଷୀପ୍ରେମୀ ହୋଇଥିବାରୁ ଶୁଆକୁ ନିଜ ଘରକୁ ନେଇ ଆସିଥିଲେ। ଶୁଆର ନାଁ ଦିଆଯାଇଥିଲା ‘କୋକୋ’। ସେବେଠୁ କୋକୋ ସୁସ୍ମିତାଙ୍କ ପରିବାର ସଦସ୍ୟ ଜଣେ ଅନ୍ତରଙ୍ଗ ତଥା ଘନିଷ୍ଠ ସଦସ୍ୟ ଭାବେ ରହୁଥିଲା। ସ୍ୱାମୀ ଇଂ ଦୁର୍ଗେଶ କୁମାର ଏବଂ ପୁଅ ଧବମନ୍ୟୁ ମଧ୍ୟ କୋକୋକୁ ଭାରି ଯତ୍ନ କରୁଥିଲେ । ସବୁଠୁ ବଡ଼ କଥା ହେଉଛି କୋକୋ ପଞ୍ଜୁରୀରେ ରହେ ନାହିଁ। ଘରେ ଖୋଲାରେ ବିଚରଣ କରେ। ସବୁ ଘରକୁ ତା’ର ଅବାଧ ପ୍ରବେଶ। ଏପରିକି ବିଛଣାରେ ବସେ। ଗୀତ ଗାଏ, ଡାକେ, କଥା ଶୁଣେ। ବାହାରକୁ ଗଲେ ଅନ୍ୟ ସଦସ୍ୟଙ୍କ ଭଳି ସାଙ୍ଗରେ ଯାଉଥିଲା। ଘରର ଖାସ୍ ସଦସ୍ୟ ପାଲଟିଯାଇଥିଲା କୋକୋ।
ଗଲା ୫ ତାରିଖ ଜଣେ ପଡ଼ୋଶୀ ମାସ୍କ ପିନ୍ଧି ପାଖକୁ ଆସିବାରୁ ଡରି କୁଆଡ଼େ ଉଡ଼ିଗଲା। ଯେତେ ଖୋଜିଲେ ବି ମିଳୁନି କୋକେ। ବହୁତ ଖୋଜା ଖୋଜି କଲେଣି। ପୋଷା ଶୁଆ ହୋଇଥିବାରୁ କାହା ଘରକୁ ଉଡିଯାଇଥିବ ବୋଲି ପ୍ରଫେସର ସୁସ୍ମିତା ଆଶା କରୁଛନ୍ତି। ତେଣୁ ବାଧ୍ୟ ହୋଇ ଲିଫ୍ଟଲେଟ୍ ମାଧ୍ୟମରେ ଶ୍ରୀମତୀ ବେହେରା ବିଜ୍ଞାପନ ଦେବା ସହ ୫ ହଜାର ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଶ୍ରୀମତୀ ବେହେରା ଆଶା ବାନ୍ଧିଛନ୍ତି ନିଶ୍ଚୟ କୋକୋ ଫେରିଆସିବ।



