୧୮ ଏଆଇଏଡିଏମ୍କେ ବିଧାୟକ ଅଯୋଗ୍ୟ ଘୋଷଣା ପ୍ରସଙ୍ଗ: ଜଷ୍ଟିସ ସତ୍ୟନାରାୟଣନ ପୀଠର ତୃତୀୟ ବିଚାରପତି ନିଯୁକ୍ତ
ନୂଆଦିଲ୍ଲୀ : ତାମିଲନାଡୁର ଶାସକ ଦଳ ଏଆଇଏଡିଏମ୍କେର ୧୮ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପ୍ରସଙ୍ଗ ଉପରେ ବିଚାର ପାଇଁ ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ ଏମ୍ ସତ୍ୟନାରାୟଣନ୍ଙ୍କୁ ସୁପ୍ରିମକୋର୍ଟ ଗଠିତ ପୀଠର ତୃତୀୟ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ବିଧାୟକଙ୍କ ଅଯୋଗ୍ୟ ଘୋଷଣାକୁ ଚାଲେଞ୍ଜ କରି ଦାୟର ପିଟିସନ ଉପରେ ମାଡ୍ରାସ ହାଇକୋର୍ଟଙ୍କ ଦୁଇଜଣିଆ ବିଚାରପତି ପୀଠ ଶୁଣାଣି କରିଥିଲେ। ତେବେ ପୀଠର ଦୁଇ ବିଚାରପତି ଭିନ୍ନ ଭିନ୍ନ ମତ ପୋଷଣ କରିବାରୁ ଏହାର କୌଣସି ସମାଧାନ ହୋଇପାରି ନଥିଲା। ଫଳରେ ଏହାକୁ ତିନିଜଣିଆ ପୀଠରେ ଶୁଣାଣି ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ଦୁଇ ବିଚାରପତିଙ୍କ ବ୍ୟତୀତ ପୀଠରେ ତୃତୀୟ ବିଚାରପତି ନିଯୁକ୍ତି ଲାଗି ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡା ଯାଇଥିଲା। ଏବେ ହାଇକୋର୍ଟଙ୍କ ତିନିଜଣିଆ ବିଚାରପତି ପୀଠ ଏହି ମାମଲାର ଶୁଣାଣି କରିବେ। ୨୦୧୭ ସେପ୍ଟେମ୍ବର ୧୮ରେ ବାଚସ୍ପତି ପି ଧନପାଲ ଦଳ ବିରୋଧୀ ଆଇନ ଅନୁଯାୟୀ ୧୮ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ବହିଷ୍କୃତ ନେତା ଟି ଦିନାକରନଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିବା ଅଭିଯୋଗରେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।