ବରଗଡ଼ ଓ ସୋନପୁର ଜିଲାରେ ‘ଅହିଂସା ରଥ’, ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ-ସମ୍ବର୍ଦ୍ଧନା
ଭୁବନେଶ୍ୱର: ଆଜାଦି କା ଅମୃତ ମହୋତ୍ସବ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ବୀର ଗାଥାକୁ ମନେ ପକାଇବା ପାଇଁ ସାରା ରାଜ୍ୟରେ ଅହିଂସା ରଥ ପରିକ୍ରମା କରୁଛି। ଆଜି ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରୁପାଲି ବ୍ଲକ୍ର ସ୍ୱାଧୀନତା ସଂଗ୍ରାମୀଙ୍କ ଶହୀଦ ସ୍ତମ୍ଭ ସମ୍ମୁଖରେ ଅହିଂସା ରଥକୁ ବିଡ଼ିଓ ତ୍ରିପୁରା ମହାନନ୍ଦ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଛାତ୍ରଛାତ୍ରୀ, ସ୍ଥାନୀୟ ପଞ୍ଚାୟତ ସମିତି ସଦସ୍ୟ ଓ ଜନସାଧାରଣ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଚରଖା ବଣ୍ଟାଯିବା ସହ ଦେଶାତ୍ମବୋଧକ ଭିଡ଼ିଓ ସୋ ଆୟୋଜିତ ହୋଇଥିଲା। ଉଲୁଣ୍ଡା ଗ୍ରାମ ପଞ୍ଚାୟତର ଦକ୍ଷିଣିପାଲି ଗ୍ରାମର ହକି ଷ୍ଟାଡିୟମ୍ଠାରେ ସରପଞ୍ଚ ପ୍ରବୀଣ ଦେହେରି ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଅହିଂସା ରଥକୁ ସ୍ୱାଗତ କରାଯିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ପ୍ରଜା ଆନ୍ଦୋଳନର ଗ୍ରାମ ସିନ୍ଦୁରପୁରଠାରେ ବିନ୍କା ବ୍ଲକ୍ ଅଧ୍ୟକ୍ଷ, ବିଡ଼ିଓ ଏବଂ ସ୍ୱାଧୀନତା ସଂଗ୍ରାମୀ ବନମୁକୁନ୍ଦ ନାୟକଙ୍କ ପୁତ୍ର ଏବଂ ସିନ୍ଦୁରପୁର ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଉପସ୍ଥିତ ରହି ଅହିଂସା ରଥକୁ ସ୍ୱାଗତ କରିବା ସହ ବିଭିନ୍ନ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ସହ ସଭା ଅନୁଷ୍ଠିତ ହୋଇଥିଲା। ତରଭା ଏନ୍ଏସି ଅଫିସ ଛକଠାରେ ଏନ୍ଏସି ଅଧ୍ୟକ୍ଷ, ବିଡ଼ିଓ, ତରଭା ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରର ସଦସ୍ୟ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଅତିରିକ୍ତ ତହସିଲଦାର, ସ୍କୁଲ ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକବୃନ୍ଦ, ପ୍ରେସ ପ୍ରତିନିଧିମାନେ ଉପସ୍ଥିତ ରହି ଅହିଂସା ରଥକୁ ଭବ୍ୟ ସ୍ୱାଗତ କରିଥିଲେ। ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଦେଶାତ୍ମବୋଧକ ସଂଗୀତ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା
ସେହିପରି ବରଗଡ଼ର ଅତାବିରାଠାରେ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଅହିଂସା ରଥକୁ ସ୍ୱାଗତ କରିଥିଲେ। ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ, ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ଗ୍ରାମ ଉନ୍ନୟନ କର୍ତ୍ତୃପକ୍ଷର ପ୍ରକଳ୍ପ ନିର୍ଦ୍ଦେଶକ ସବୁଜ ପତାକା ଦେଖାଇ ରଥକୁ ସ୍ୱାଗତ ଜଣାଇଥିଲେ। ପ୍ରଶାସନ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଚଳିତ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ରଥ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନ ପରିକ୍ରମା କରିବ। ଅତାବିରାଠାରେ କୁଲୁଣ୍ଡା ସ୍ୱାଧୀନତା ସଂଗ୍ରାମୀ ହୃଷିକେଶ ନାୟକଙ୍କ ପତ୍ନୀ ଶ୍ରୀମତୀ ପଞ୍ଚମୀ ନାୟକ ଅହିଂସା ରଥକୁ ସ୍ୱାଗତ ଜଣାଇଥିଲେ।
ଅହିଂସା ରଥ ଆଜି ଉଭୟ ଜିଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଅହିଂସା ରଥ ଦ୍ୱାରା ପ୍ରସାରିତ ଭିଡ଼ିଓ ବାର୍ତ୍ତା ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଅନୁପ୍ରାଣିତ କରୁଛି।
Comments are closed.