ପୁଣି ଚର୍ଚ୍ଚାରେ ୧୪୦୦ କିମି ସ୍କୁଟର ଚଳାଇ ପୁଅକୁ ଆଣିଥିବା ତେଲଙ୍ଗାନା ଶିକ୍ଷୟିତ୍ରୀ

ନୂଆଦିଲ୍ଲୀ, : କରୋନା ମହାମାରୀ ଜନିତ ତାଲାବନ୍ଦ ସମୟରେ ପୁଅକୁ ଉଦ୍ଧାର କରି ଘରକୁ ଆଣିବା ପାଇଁ ୧୪୦୦ କିଲୋମିଟର ସ୍କୁଟର ଚଳାଇ ଚର୍ଚ୍ଚାକୁ ଆସିଥିବା ତେଲଙ୍ଗାନାର ମହିଳା ଏବେ ପୁଣି ସେହି ପୁଅକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ପୁଅ ମହମ୍ମଦ ନିଜାମୁଦ୍ଦିନ ଅମନ (୨୧) ୟୁକ୍ରେନ୍‌ର ପ୍ରମୁଖ ସହର ସୁମିସ୍ଥିତ ଷ୍ଟେଟ୍‌ ୟୁନିଭର୍ସିଟିରେ ଡାକ୍ତରୀ ପଢ଼ୁଛନ୍ତି। ଅଦ୍ୟାବଧି ସେ ଫେରିପାରି ନ ଥିବାରୁ ଚିନ୍ତାରେ ପଡ଼ିଛନ୍ତି ମାଆ ରାଜିଆ ବେଗମ୍‌। ସୁମିରୁ କିଛି ଭାରତୀୟ ଛାତ୍ରଛାତ୍ରୀ ଦୁର୍ଦ୍ଦିନରେ ଥିବାର ଭିଡିଓ ପ୍ରସାରିତ ହେବା ପରେ ରାଜିଆଙ୍କ ଚିନ୍ତା ବଢ଼ିଯାଇଛି।
୨୦୨୦ ଏପ୍ରିଲରେ କଠୋର ତାଲାବନ୍ଦ ଯୋଗୁଁ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ଜଣେ ସାଙ୍ଗଙ୍କ ଘରେ ଅଟକି ରହିଥିବା ପୁଅକୁ ଆଣିବା ପାଇଁ ୫୦ବର୍ଷୀୟା ରାଜିଆ ୧୪୦୦ କିଲୋମିଟର ସ୍କୁଟର ଚଳାଇ ଯାଇଥିଲେ ଏବଂ ପୁଅକୁ ପଛରେ ବସାଇ ଫେରୁଥିବାର ଦୃଶ୍ୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଏବେ ପ୍ରାୟ ସମାନ ପରିସ୍ଥିତି ଉପୁଜିଛି; କିନ୍ତୁ ହାତ ପାଆନ୍ତାରେ ନାହାନ୍ତି ପୁଅ। ସ୍କୁଟର ଚଳାଇ ତ’ ସେ ୟୁକ୍ରେନ୍‌ ଯାଇପାରିବେ ନାହିଁ; ତେଣୁ ସରକାରଙ୍କ ଉଦ୍ୟମକୁ ଅପେକ୍ଷା କରି ବସିଛନ୍ତି। ସେଠାକାର ପରିସ୍ଥିତି ନେଇ ପ୍ରତି ମୁହୂର୍ତ୍ତରେ ତାଙ୍କର ଅକୁହା ଉତ୍କଣ୍ଠା ବଢ଼ିଚାଲିଛି। ପୁଅ ସମ୍ପ୍ରତି ସୁମିସ୍ଥିତ ତାଙ୍କ ମହାବିଦ୍ୟାଳୟ ଛାତ୍ରାବାସ ତଳେ ନିର୍ମିତ ଆଶ୍ରୟ କେନ୍ଦ୍ରରେ ଅନ୍ୟ ସାଥୀଙ୍କ ସହ ଅଛନ୍ତି। ତାଙ୍କ ସହ ପ୍ରାୟ ୮୦୦ ଛାତ୍ରଛାତ୍ରୀ ରହିଥିବାବେଳେ ସେମାନଙ୍କୁ ଖାଦ୍ୟ କିମ୍ବା ପାନୀୟ ଜଳ ମିଳୁ ନ ଥିବା ସୂଚନା ମିଳିଛି। ସେଠାରେ ସାମାନ୍ୟ ବିଦ୍ୟୁତ୍‌ ସେବା ଉପଲବ୍ଧ ଥିବାବେଳେ ଇଣ୍ଟରନେଟ୍‌ ସେବା ନାହିଁ। ଏଭଳି ଅବସ୍ଥାରେ ପ୍ରତି ମୁହୂର୍ତ୍ତରେ ନିଜ ଫୋନ୍‌କୁ ଦେଖୁଛନ୍ତି ସିନା ଈଶ୍ବରଙ୍କୁ ଡାକିବା ଛଡ଼ା ଅନ୍ୟ ଉପାୟ ନାହିଁ ବୋଲି କହୁଛନ୍ତି ରାଜିଆ। ତେଲଙ୍ଗାନାର ବୋଧନ ଜିଲା ଅନ୍ତର୍ଗତ ସଲାମପଦ୍‌ ଗ୍ରାମରେ ରାଜିଆଙ୍କ ଘର। ସେ ସ୍ଥାନୀୟ ଏକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅଛନ୍ତି। ସ୍ଥାନୀୟ ଜିଲାପାଳ ତଥା ବିଧାୟକ ତାଙ୍କୁ ପୁଅକୁ ଫେରାଇ ଆଣିବାରେ ସାହାଯ୍ୟର ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି।

Comments are closed.