୨୦୧୯ ପରେ ଏକ କ୍ୟାଲେଣ୍ଡର ବର୍ଷରେ କୋହଲିଙ୍କ ୧୦୦୦ ରନ୍
ସିଡ୍ନୀ : ୨୦୨୨ରେ ବୋଧହୁଏ ବିରାଟ କୋହଲିଙ୍କ ୨ୟ ସଂସ୍କରଣ ଦେଖିବାକୁ ମିଳିଛି । ଏହି ବର୍ଷର ଦ୍ବିତୀୟାର୍ଦ୍ଧ କୋହଲିଙ୍କ ପାଇଁ ଶୁଭଫଳ ଆଣିଛି। ୨୦୧୯ ପରେ କୋହଲି ଏକ ଆନ୍ତର୍ଜାତିକ ଶତକ ମାରିଛନ୍ତି । ଦୀର୍ଘ ୩ ବର୍ଷ ପରେ ଶତକ ମାରିବା ପରେ କୋହଲି ପୁଣିଥରେ ମ୍ୟାଚ୍ ବିଜେତା ଭାବେ ଉଭା ହୋଇଛନ୍ତି। ଗତ ରବିବାର ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ପାକିସ୍ତାନ ବିପକ୍ଷରେ କୋହଲି ଯେପରି ଅପରାଜିତ ୮୨ ରନ୍ର ଇନିଂସ ଖେଳିଲେ; ଏହାକୁ ଟ୍ବେଣ୍ଟି-୨୦ କ୍ରିକେଟ୍ ଇତିହାସରେ ସର୍ବଶ୍ରେଷ୍ଠ ଇନିଂସ ବୋଲି କୁହାଯାଉଛି । କେବଳ ଏତିକି ନୁହେଁ; ୨୦୧୯ ପରେ ପ୍ରଥମଥର ଏକ କ୍ୟାଲେଣ୍ଡର ବର୍ଷରେ କୋହଲି ୧୦୦୦ ଆନ୍ତର୍ଜାତିକ ରନ୍ ଅତିକ୍ରମ କରିଛନ୍ତି।
୨୦୨୨ରେ ଅଦ୍ୟାବଧି କୋହଲି ୩ଟିଯାକ ଫର୍ମାଟକୁ ମିଶାଇ ୨୮ଟି ମ୍ୟାଚ୍ର ମୋଟ ୩୧ଟି ଇନିଂସରୁ ୧୦୨୪ ରନ୍ କରି ସାରିଲେଣି । ତାଙ୍କର ଆଭ୍ରେଜ୍ ହେଉଛି ୩୬.୬୦। ଗୁରୁବାର ନେଦରଲାଣ୍ଡ୍ସ ବିପକ୍ଷରେ ଚଳିତ ବିଶ୍ବକପ୍ର ଲିଗ୍ ମ୍ୟାଚ୍ରେ କୋହଲି ଅପରାଜିତ ୬୨ ରନ୍ କରିଥିଲେ। ଏହି ଇନିଂସ ମଝିରେ କୋହଲି ୧୦୦୦ ଆନ୍ତର୍ଜାତିକ ରନ୍ ଅତିକ୍ରମ କରିଛନ୍ତି। ଚଳିତବର୍ଷ କୋହଲି ଗୋଟିଏ ଶତକ (ଆଫ୍ଗାନିସ୍ତାନ ବିପକ୍ଷରେ ଟି୨୦ରେ ଅପରାଜିତ ୧୨୨ ରନ୍) ଏବଂ ୯ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଭାରତୀୟ ରନ୍ ମେସିନ୍ ବିରାଟ କୋହଲି ଆନ୍ତର୍ଜାତିକ କ୍ରିକେଟ୍ରେ ଜଣେ ସୁପରଷ୍ଟାର। ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ କୋହଲି ପ୍ରତ୍ୟେକ ବର୍ଷ ୨୪୦୦ରୁ ଅଧିକ ରନ୍ ସ୍କୋର୍ କରିଛନ୍ତି । ହେଲେ ୨୦୨୦ରେ ସେ ଫର୍ମ ହରାଇଥିଲା । ଏହି ବର୍ଷ ବିରାଟ ୨୨ଟି ଆନ୍ତର୍ଜାତିକ ମ୍ୟାଚ୍ର ୨୪ଟି ଇନିଂସରୁ ୩୬.୬୦ ଆଭ୍ରେଜ୍ରେ ମାତ୍ର ୭ଟି ଅର୍ଦ୍ଧଶତକ ସହ ୮୪୨ ରନ୍ କରିଥିଲେ। ୨୦୨୧ରେ କୋହଲି ୨୪ଟି ମ୍ୟାଚ୍ର ୩୦ଟି ଇନିଂସରୁ ୧୦ଟି ଅର୍ଦ୍ଧଶତକ ସହ ୯୬୪ ରନ୍ କରିଥିଲେ। ୨୦୨୨ ଏସିଆ କପ୍ରେ ଭାରତୀୟ ଦଳକୁ ଫେରିବା ପରେ ବିରାଟ ଚମତ୍କାର ଫର୍ମରେ ଅଛନ୍ତି। ଏସିଆ କପ୍ରେ ସେ ଜୀବନର ୭୧ତମ ଆନ୍ତର୍ଜାତିକ ଶତକ ହାସଲ କରିଛନ୍ତି। ଠିକ୍ ୧୦୦୦ ଦିନ ପରେ କୋହଲିଙ୍କ ବ୍ୟାଟ୍ରୁ ଶତକ ଦେଖିବାକୁ ମିଳିଥିଲା। ଏସିଆ କପ୍ରେ କୋହଲି ୫ଟି ଇନିଂସରୁ ସର୍ବାଧିକ ୨୭୬ ରନ୍ କରିଥିଲେ। ପରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି୨୦ ଶୃଙ୍ଖଳାରେ କୋହଲି ଆଉ ୨ଟି ଅର୍ଦ୍ଧଶତକ ମାରିଥିଲେ। ଚଳିତ ବିଶ୍ବକପ୍ରେ କୋହଲି ୨ଟି ମ୍ୟାଚ୍ ଖେଳି ଉଭୟ ଇନିଂସରେ ଅପରାଜିତ ରହି କ୍ରମାଗତ ୨ଟି ଅର୍ଦ୍ଧଶତକ ସହ ୧୪୪ ରନ୍ କରି ସାରିଲେଣି। ଫେରିବା ପରଠାରୁ ବିରାଟ ୧୨ଟି ଟ୍ବେଣ୍ଟି୨୦ ଇନିଂସରେ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ସହ ୫୪୮ ରନ୍ କରି ସାରିଲେଣି।
Comments are closed.