ସମାଜ ସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ଦାବିପତ୍ର ପ୍ରଦାନ

ବୌଦ୍ଧ: ଓଡ଼ିଶା ମାଟିର ଯୁବ ସମାଜସେବୀ ତଥା ପିପୁଲ ଫର ସେବାର ପ୍ରତିଷ୍ଠାତା ଆଦିତ୍ୟ ଦାସଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଅନେକ କଳ୍ପନା ଜଳ୍ପନା କରାଯାଉଥିବାବେଳେ ପୁଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଦିଗରେ ସେହିପରି ଆଗ୍ରହ ପରିଲକ୍ଷିତ ହୋଇନାହିଁ। ନିଶା ବିରୋଧୀ ଆନ୍ଦୋଳନରେ ସକ୍ରିୟ ଭାବରେ ସାମିଲ ହୋଇଥିବା ଆଦିତ୍ୟ ଦାସଙ୍କୁ ଷଡଯନ୍ତ୍ର କରି ମାରିବା ପରେ ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଯାଇ ତାଙ୍କ ମୃତଦେହକୁ ରେଳ ଧାରଣାରେ ଶୁଆଇ ଦିଆଯାଇଥିବା ଅଭିଯୋଗ କରି ଆଜି ବୌଦ୍ଧ ଜନସାଧାରଣଙ୍କ ପକ୍ଷରୁ ଘଟଣାର ସିବିଆଇ ତଦନ୍ତ କରାଯିବାକୁ ଜିଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ମୃତ ଆଦିତ୍ୟଙ୍କ ବାପା ମା’ଙ୍କ ସମେତ ବୌଦ୍ଧର ଅନେକ ଯୁବକ ଏକ ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ଏହି ଦାବିପତ୍ର ପ୍ରଦାନ କରିଥିଲେ। ଆଦିତ୍ୟ ଲୋକଙ୍କ ସେବା କରିବା ପାଇଁ ଘର ଛାଡିଥିଲେ ଏବଂ ନିଜର ଜୀବନକୁ ଲୋକ ସେବାରେ ସମର୍ପଣ କରିଥିଲେ। ତାଙ୍କୁ ଯେଉଁଭଳି ଭାବରେ ଷଡଯନ୍ତ୍ର କରି ହତ୍ୟା କରାଯାଇଛି ହତ୍ୟାକାରୀମାନଙ୍କୁ ଧରାଯାଇ ଉପଯୁକ୍ତ ଦଣ୍ଡବିଧାନ କରାନଗଲେ ସରକାର ଓ ନ୍ୟାୟ ବ୍ୟବସ୍ଥା ଉପରେ କେହି ଆଉ ବିଶ୍ୱାସ କରିବେ ନାହିଁ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ତେଣୁ ଏହି ଲଢେଇରେ ଆଦିତ୍ୟଙ୍କ ବାଲ୍ୟବନ୍ଧୁ, ଗ୍ରାମବାସୀ ଓ ବୌଦ୍ଧର ଅନେକ ସଚେତନ ଯୁବକ ସାମିଲ ହୋଇଥିବାବେଳେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏହି ଲଢେଇ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି।

Comments are closed.