ଆଦିବାସୀ କୁଇନ୍ ପଲ୍ଲବୀ
ଭୁବନେଶ୍ୱର: ଓଡ଼ିଶାର ପଲ୍ଲବୀ ଦୁରୁଆ ଭାରତର ପ୍ରଥମ ଆଦିବାସୀ କୁଇନ୍ ଭାବେ ମନୋନୀତ ହୋଇଥିବାବେଳେ ଟିଟଲାଗଡ଼ର ପଞ୍ଚମୀ ମାଝୀ ଦ୍ୱିତୀୟ ଓ ମୟୂରଭଞ୍ଜର ରଶ୍ମିରେଖା ହାସଦା ତୃତୀୟସ୍ଥାନ ମଣ୍ଡିତ କରିଛନ୍ତି।
କୋରାପୁଟ ଜିଲାର ପଲ୍ଲବୀ ଦୁରୁଆ ଭାରତର ପ୍ରଥମ ଆଦିବାସୀ ସୁନ୍ଦରୀଭାବେ ମନୋନୀତ ହୋଇଛନ୍ତି। ଭୁବନେଶ୍ୱର ଉତ୍କଳ ମଣ୍ଡପଠାରୁ ଆୟୋଜିତ ଆଦିବାସୀ ସୁନ୍ଦରୀ ପ୍ରତିଯୋଗିତାରେ ଏହି ତିନି ଜଣଙ୍କୁ ସମ୍ମାନୀତ କରାଯାଇଛି। ଆଦିବାସୀ ପରମ୍ପରା ସମ୍ପର୍କିତ ଏକ ଛୋଟ ସିନେମାରେ ଏହି ୩ଜଣଙ୍କୁ ସ୍ଥାନୀତ କରାଯିବ। ଆଦିବାସୀ ପରମ୍ପରା ଅନୁଯାୟୀ ଜଣେ ଯୁବତୀକୁ ବାହାରେ ପାଠ ପଢିବା କିମ୍ବା ବାହାରେ ବୁଲିବାର ଅନୁମତି ମିଳି ନଥାଏ। ଆଦିବାସୀ ସୁନ୍ଦରୀ ପ୍ରତିଯୋଗିତା ଦ୍ୱାରା ସମଗ୍ର ବିଶ୍ୱ ଆଦିବାସୀମାନଙ୍କ ସମ୍ପର୍କରେ ଜାଣିବା ସହ ଆଦିବାସୀ ପରମ୍ପରାରେ ବ୍ୟାପକ ପରିବର୍ତ୍ତନ ଆସିବ ବୋଲି ସୁନ୍ଦରୀ ମୁକୁଟ ବିଜୟୀ ପଲ୍ଲବୀ ଏ ସମ୍ପର୍କରେ ଆଶାପ୍ରକାଶ କରିଥିଲେ। ୭ଟି ପର୍ଯ୍ୟାୟରେ ଏହି ସୁନ୍ଦରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆଦିବାସୀ ସାଜସଜ୍ଜା, ଫଟୋଜେନିକ ଚେହେରା, ସୁନ୍ଦର ତ୍ୱଚା, ସୁ୍ନ୍ଦର ବ୍ୟକ୍ତିତ୍ୱ ପରି ପର୍ଯ୍ୟାୟରେ ଏହି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଏହି ପ୍ରତିଯୋଗିତାର ଆମ୍ବାସେଡ଼ର ଭାବେ କାର୍ଯ୍ୟ କରୁଛନ୍ତି। ମୋଟ୍ ୨୦ଜଣ ପ୍ରତିଯୋଗୀ ଚୂଡ଼ାନ୍ତ ପ୍ରତିଯୋଗିତାରେ ଚୟନ କରାଯାଇ ଥିଲା।
ରାଜ୍ୟ ପର୍ଯ୍ୟଟନ ବିଭାଗ, ଏସସି ଏସଟି ବିଭାଗ ସମେତ ଓଡ଼ିଶା ସରକାରଙ୍କ ପ୍ରମୁଖ ସହଯୋଗରେ ଏହି ଅନୁଷ୍ଠାନ ସମ୍ପନ୍ନ ହୋଇଥିଲା।