Patra electronics

ଆସିବ ଅତିରିକ୍ତ ବଜେଟ୍ !

ଭୁବନେଶ୍ବର : ଚଳିତବର୍ଷ ଲାଗି ଅତିରିକ୍ତ ବଜେଟ ଆଣିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହେଉଛନ୍ତି। ଏହିକ୍ରମରେ ଅର୍ଥ ବିଭାଗ ପକ୍ଷରୁ ବଜେଟ ନିର୍ଦେଶକ ଡ. ଏସ ପି ରଥ ସବୁ ବିଭାଗ ମୁଖ୍ୟଙ୍କଠାରୁ ପ୍ରସ୍ତାବ ଲୋଡ଼ିଛନ୍ତି। ଯଦି କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା (ସିଏସଏସ) କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା କରାଯିବାର ରହିଛି ସେ ନେଇ ନିର୍ଦିଷ୍ଟ ଦୂରସଞ୍ଚାର ପୋର୍ଟାଲ(ବେଟା) ଜରିଆରେ ଅବଗତ କରାଇବାକୁ ଶ୍ରୀ ରଥ ଦର୍ଶାଇଛନ୍ତି।
ସେ ଉଲ୍ଲେଖ କରିଛନ୍ତି ଯେ, ଚଳିତବର୍ଷ ପଞ୍ଚାୟତ ଓ ପୌର ନିର୍ବାଚନ ଲାଗି ୨୦୨୨-୨୩ ଆର୍ଥିକବର୍ଷର କାମଚଳା ବଜେଟ ଅଧିବେଶନ ତରବରିଆ ଭାବେ ଅଣାଯାଇଥିଲା। ଏହାପରେ ଜୁଲାଇରେ ବାର୍ଷିକ ବଜେଟ୍ ଅଧିବେଶନ ହୋଇଛି। ଏହାସତ୍ତ୍ବେ ପ୍ରତିବର୍ଷ ନଭେମ୍ବରରେ ଅତିରିକ୍ତ ବଜେଟ ଅଧିବେଶନ ହେଉଥିବା ଦୃଷ୍ଟିରୁ ଚଳିତବର୍ଷ ଅତିରିକ୍ତ ବଜେଟ୍ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ପୂର୍ଣ୍ଣ ଦାରିଦ୍ର୍ୟ ଦୂରୀକରଣ ରାଜ୍ୟ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ। ଏହାସହିତ କୃଷକଙ୍କ ଆୟ ବୃଦ୍ଧି, ପାନୀୟଜଳ ଶତପ୍ରତିଶତ ନିଶ୍ଚିତ କରିବା, ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ସାଙ୍ଗକୁ ଉତ୍ତମମାନର ସେବା ଯୋଗାଇ ଦେବା, ବିଶ୍ବସ୍ତରରେ ପ୍ରତିଦ୍ବନ୍ଦ୍ବିତା ଲାଗି ଦକ୍ଷ ମାନବସମ୍ବଳ ସୃଷ୍ଟି କରିବା ପ୍ରଭୃତି ଲକ୍ଷ୍ୟ ରହିଛି। ୟୁକ୍ରେନ-ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ କରୋନା ମହାମାରୀ ଯୋଗୁଁ ବିଶ୍ବ ଅର୍ଥନୀତିରେ ଅସ୍ଥିରତା ଲାଗି ରହିଛି। ମୁଦ୍ରାସ୍ଫୀତି ଚାପ ଦେଶରେ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ରାଜସ୍ବ ଅଗଷ୍ଟ ସୁଦ୍ଧା ୧୬ ପ୍ରତିଶତ ବୃଦ୍ଧି ପାଇଛି। ଖର୍ଚ୍ଚ ଉପରେ ପ୍ରକଳ୍ପ କାର୍ଯ୍ୟାନ୍ବୟନ ନିର୍ଭର କରୁଥିବାବେଳେ ଏହି ଅନୁସାରେ ଆର୍ଥିକ ପ୍ରଗତି ହୋଇପାରିବ। ରାଜ୍ୟ ସରକାର ବିଶେଷକରି ରାଜ୍ୟବାସୀଙ୍କ ଜୀବନଧାରଣର ମାନ ବୃଦ୍ଧି କରିବା ଉପରେ ଗୁରୁତ୍ବ ଦେଉଛନ୍ତି। ଏବେ ଯେଉଁ ଅତିରିକ୍ତ ବଜେଟ କରାଯିବାର ପ୍ରସ୍ତାବ ରହିଛି ସେଥିରେ କେବଳ କାର୍ଯ୍ୟକ୍ରମ ବାବଦ ଖର୍ଚ୍ଚ ସାଙ୍ଗକୁ ନୂତନ ବାସ୍ତବଧର୍ମୀ ଯୋଜନା ରହିବ। ପ୍ରସ୍ତାବ ଅର୍ଥ ନୁହେଁ ଯେ, ବଜେଟରେ ଟଙ୍କା ବ୍ୟୟବରାଦ କରି ପରବର୍ତ୍ତୀ ସମୟରେ ରାଜକୋଷକୁ ସମର୍ପଣ କରିବା। ପ୍ରସ୍ତାବ ମଧ୍ୟରେ ଜମି ଅଧିଗ୍ରହଣ ବାବଦ ଖର୍ଚ୍ଚ କିମ୍ବା ବିଦ୍ୟୁତ୍ ବକେୟା ଦେୟ, ଘରଭଡ଼ା, ଜଳକର ପ୍ରଭୃତି ରହିପାରିବ। ଏହାକୁ ଦୃଷ୍ଟିରେ ରଖି ଯଦି ପ୍ରଶାସନିକ ଖର୍ଚ୍ଚ କିଛି ଥାଏ ତେବେ ମୁଖ୍ୟମାନେ ଚଳିତମାସ ୩୧ ତାରିଖ ସୁଦ୍ଧା ଅର୍ଥ ବିଭାଗକୁ ପ୍ରସ୍ତାବ ପ୍ରଦାନ କରିବେ। ସେହିପରି କାର୍ଯ୍ୟକ୍ରମ ବାବଦ ପ୍ରସ୍ତାବ ଏହି ମାସ ସୁଦ୍ଧା ଯୋଜନା ଓ ସଂଯୋଜନା ବିଭାଗକୁ ପ୍ରଦାନ କରିବେ।
ସୂଚନାଯୋଗ୍ୟ ଯେ, ୨୦୨୧-୨୨ ବର୍ଷର ଅତିରିକ୍ତ ବଜେଟ ଅଧିବେଶନ ଡିସେମ୍ବରରେ ଅନୁଷ୍ଠିତ ହୋଇଥିଲା। ୨୬ଦିନ ପାଇଁ ବଜେଟ ଅଧିବେଶନ ପ୍ରସ୍ତାବ ରହିଥିବାବେଳେ ୯ଦିନ ଗୃହ କାର୍ଯ୍ୟ ଚାଲିଥିଲା ଏବଂ ୧୯ହଜାର ୮୩୩କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁର ବିଧେୟକ ଗୃହରେ ପାରିତ ହୋଇଥିଲା। ଆଗକୁ ସାଧାରଣ ନିର୍ବାଚନ-୨୦୨୪ ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତିରାଜ ଓ ନଗର ଉନ୍ନୟନ, ମିଶନ ଶକ୍ତି, କୃଷି ଭଳି ବିଭାଗକୁ ସ୍ବତନ୍ତ୍ର ଗୁରୁତ୍ବ ଦେଇ ପାରନ୍ତି ବୋଲି ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି।

Comments are closed.