୨୦୧୯-୨୦ ସୁଦ୍ଧା ସବୁ ବ୍ଲକରେ ଆଦର୍ଶ ବିଦ୍ୟାଳୟ

0

ଭୁବନେଶ୍ୱର  : ଆସନ୍ତା ୨୦୧୯-୨୦ ଶିକ୍ଷାବର୍ଷ ସୁଦ୍ଧା ରାଜ୍ୟର ସମସ୍ତ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଯେପରି କାର୍ଯ୍ୟକ୍ଷମ ହେବ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ ସବୁ ଆଦର୍ଶ ବିଦ୍ୟାଳୟର ହଷ୍ଟେଲ ବ୍ୟବସ୍ଥା ମଧ୍ୟ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟର ସମସ୍ତ ୩୧୪ ବ୍ଲକରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ପ୍ରଦାନ କରିଛନ୍ତି। ତେଣୁ ଏ ନେଇ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି।
୦୧୭-୧୮ ଶିକ୍ଷାବର୍ଷ ସୁଦ୍ଧା ରାଜ୍ୟର ୧୬୦ଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଥିଲା। ଚଳିତ ଶିକ୍ଷାବର୍ଷରେ ଆଉ ୩୦ଟି ବିଦ୍ୟାଳୟରେ ପିଲାମାନେ ନାମ ଲେଖାଇଛନ୍ତି। ଅବଶିଷ୍ଟ ୧୨୪ଟି ବ୍ଲକରେ ବିଦ୍ୟାଳୟ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ଏଥିରୁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୭୨ଟି, ଜିଲା ଖଣିଜ ପାଣ୍ଠିରୁ ୧୯ଟି, ଖଣି ନିଗମ ୮ଟି ଏବଂ ଟାଟା ୨୫ଟି ବିଦ୍ୟାଳୟ ନିର୍ମାଣ କରିବ।
ପ୍ରତି ଆଦର୍ଶ ବିଦ୍ୟାଳୟ କୋଠା ପାଇଁ ୪କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ୨୦୮ଟି ହଷ୍ଟେଲ ମଧ୍ୟରୁ ୫୫ଟି ସମ୍ପୂର୍ଣ୍ଣ ହୋଇଛି। ଅବଶିଷ୍ଟ ହଷ୍ଟେଲ କାର୍ଯ୍ୟ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ କୁହାଯାଇଛି। ଏ ସମସ୍ତ ହଷ୍ଟେଲ କାର୍ଯ୍ୟ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ କରୁଛନ୍ତି। ପ୍ରତି ହଷ୍ଟେଲ ପାଇଁ ଦୁଇ କୋଟି ଟଙ୍କା ବ୍ୟୟ ବ୍ୟବସ୍ଥା ହୋଇଛି। ଆଦର୍ଶ ବିଦ୍ୟାଳୟ ପାଇଁ ଆସନ୍ତା ଜୁଲାଇ ମାସ ସୁଦ୍ଧା ୧୫୪୪ ଶିକ୍ଷକ ଓ ଅଣ ଶିକ୍ଷକ ପଦ ପୂରଣ କରାଯିବ। ବିଦ୍ୟାଳୟରେ ଉନ୍ନତମାନର ପାଠାଗାର ବ୍ୟବସ୍ଥା କରିବା ଏବଂ ଏଥିରେ ଅନ୍ୟ ଭାଷାର ପୁସ୍ତକ ସମେତ ଓଡ଼ିଆ ବହି ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ଆଦର୍ଶ ବିଦ୍ୟାଳୟ ପାଇଁ ୨୦ କୋଟି ଟଙ୍କାର ଓଡ଼ିଆ ବହି କିଣିିବାକୁ ସଂସ୍କୃତି ବିଭାଗକୁ ପ୍ରସ୍ତାବ ଦିଆଯାଇଛି।

kalyan agarbati
Leave A Reply