Patra electronics

ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

ଫୁଲବାଣୀ: ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣୀ କରି ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ଦୋଷୀକୁ ୨୦ ବର୍ଷ ଜେଲଦଣ୍ଡାଦେଶ ଦେଇଛନ୍ତି। ଏଥିସହିତ ୫୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଧାୟ ଦୋଷୀକୁ ଅଧିକ ୮ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ କୋଟଗଡ ଥାନା ଅଞ୍ଚଳର କିଶାନ୍ତ ସାନସେଠ୍ (୩୨)।

ମାମଲାର ବିବରଣୀ ଅନୁସାରେ, ୨୦୨୩ ମେ ୧୬ ତାରିଖ ଅପରାହ୍ନରେ ୧୦ ବର୍ଷୀୟା ନାବାଳିକା ଏବଂ ତାଙ୍କର ଜଣେ ସାଙ୍ଗ ଘର ଆଗରେ ଖେଳୁଥିବା ସମୟରେ କୌଣସି କାରଣ ବଶତଃ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଫଳରେ ସାଙ୍ଗ ଜଣକ ରାଗିଯିବା କିଶାନ୍ତ ତତେ ଦୁଷ୍କର୍ମ କରିଥିଲା ବୋଲି କହିଥିଲା। ଏହି କଥା ପାଖରେ ଥିବା ପୀଡିତାଙ୍କ ମା’ ଶୁଣିପାରି ଝିଅର ସାଙ୍ଗକୁ ଡାକି ପଚରାଉଚରା କରିଥିଲେ। ଏହା ପରେ  ଜଣାପଡିଥିଲା ଯେ, ୭ ମାସ ପୂର୍ବରୁ ଅଭିଯୁକ୍ତ ଘରକୁ ଉଭୟ ପୀଡିତା ଓ ତାର ସାଙ୍ଗ ଟିଭି ଦେଖିବାକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତର ସ୍ତ୍ରୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ପୀଡିତା ସାଙ୍ଗକୁ ତା’ ମା’ ଡାକୁଥିବା କହି ବାହାରକୁ ପଠେଇ ଦେଇ ପୀଡିତା ସହିତ ଦୁଷ୍କର୍ମ କରିଥିଲା। ଏ ବିଷୟରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା। ଫଳରେ ସେ ଭୟରେ କାହାକୁ କିଛି ଜଣାଇ ନ ଥିଲା। ଘଟଣା ବାବଦରେ ଜଣାପଡିବା ପରେ ପୀଡିତାର ପରିବାର ଲୋକେ ମେ ୨୦ ତାରିଖରେ କୋଟଗଡ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ କୋଟଗଡ ପୁଲିସ ୫୪/୨୦୨୩ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଆଜି ଏହି ମାମଲାର ଶୁଣାଣି କରି ପୋକ୍‌ସୋ କୋର୍ଟ ବିଚାରପତି  ରାଜେଶ ଦାସ ୧୨ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଏବଂ ପୀଡିତାଙ୍କ ବୟାନ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଉପରୋକ୍ତ ରାୟ ଶୁଣାଇଛନ୍ତି। ପୀଡିତାଙ୍କୁ ୬ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ  ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସିମ ପ୍ରହରାଜ ପରିଚାଳନା କରୁଥିଲେ।

Comments are closed.