୪ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୩୩ ମୃତ
ଭୋପାଳ/ହାଇଦରାବାଦ/ : ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ରିବିବାର ୪ ସଡ଼କ ଦୁର୍ଘଟଣାରେ ୩୩ ଜଣ ପ୍ରାଣ ହରାଇଛନ୍ତି ଓ ୩୦ ଜଣ ଆହତ ହୋଇଛନ୍ତି।
ତେଲଙ୍ଗାନାର ୟାଦାଦ୍ରି-ଭୁବନନଗରୀ ଜିଲାରେ ରବିବାର ସକାଳେ ଏକ ଟ୍ରାକ୍ଟର କେନାଲକୁ ଖସିପଡି ୧୪ ମହିଳା ଓ ଜଣେ ଶିଶୁ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ୭ଜଣ ଆହତ ହୋଇଛନ୍ତି। ପ୍ରାୟ ୩୦ଜଣ ଲୋକ ଏକ ଟ୍ରାକ୍ଟର ଟ୍ରଲିରେ ବସି ଯାତ୍ରା କରୁଥିବାବେଳେ ଏହା ନିୟନ୍ତ୍ରଣ ହରାଇ ମୂଷି ନଦୀ କେନାଲକୁ ଖସିପଡିଥିଲା। ଲକ୍ଷ୍ମୀପୁରମ ଗ୍ରାମ ନିକଟରେ ଏହି ଦୁର୍ଘଟଣା ହୋଇଥିଲା। ପ୍ରତ୍ୟଦର୍ଶୀଙ୍କ କହିବା ଅନୁଯାୟୀ ସାମନାରୁ ଆସୁଥିବା ଦୁଇଟି ମୋଟର ସାଇକଲକୁ ରାସ୍ତା ଦେବାକୁ ଯାଇ ଟ୍ରାକ୍ଟରର ଟ୍ରଲିଟି କେବଳ କେନାଲକୁ ଖସିପଡିଥିଲା। ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଇଛି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ଚିକିତ୍ସା ସୁବିଧା କରାଇବାକୁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ମୃତ ମହିଳାମାନେ କୃଷି ଶ୍ରମିକ। ସେମାନେ କପା ତୋଳିବାକୁ ନିକଟସ୍ଥ କୃଷିକ୍ଷେତକୁ ଯାଉଥିଲେ। ଅନ୍ୟ ଏକ ଘଟଣା କ୍ରମେ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲାରେ ଏକ ଅଟୋ ରିକ୍ସା ଉପରେ ବସ୍ ମାଡିଯିବାରୁ ୯ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ ୧୩ଜଣ ଲୋକ ଏକ ଅଟୋରିକ୍ସା ଯୋଗେ କୋଡୁମୁରୁ ବ୍ଲକର କାଲାପାରି ଗ୍ରାମରୁ ମହାନନ୍ଦୀ ଗ୍ରାମକୁ ଔଷଧ ଆଣିବା ଉଦ୍ଦେଶ୍ୟରେ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ବସ୍ ଏହାକୁ ଧକ୍କା ଦେଇଥିଲା। ପୁଲିସ କହିବା ଅନୁଯାୟୀ ଅଟୋ ରିକ୍ସାଟି ରାସ୍ତାର ଭୁଲ୍ ମାର୍ଗରେ ଯାଉଥିବାରୁ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଏଡାଇବାକୁ ଅଟୋ ଚାଳକ ଉଦ୍ୟମ କରିଥିଲେ ମଧ୍ୟ ବସ୍ଟିର ବେଗ ଅଧିକ ଥିବାରୁ ଏହା ଅଟୋକୁ ଧକ୍କା ଦେଇଥିଲା। ଏହି ଘଟଣାରେ ଅଟୋ ଚାଳକ ଓ ଅନ୍ୟମାନେ ଗୁରୁତର ଆହତ ହୋଇଛନ୍ତି।
ସେହିପରି ଉତ୍ତରପ୍ରଦେଶ ମହାରାଜଗଂଜ ଜିଲାରେ ଏକ ଟ୍ରକ୍ ଏବଂ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶର ଆଷ୍ଠା ନିକଟରେ ଏକ ଟ୍ରକ୍ ଧକ୍କାରେ ଦୁଇ ଶିଶୁଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି।
ଦୁର୍ଘଟଣାରେ ଆହତ ଏବଂ ମୃତକଙ୍କ ସଂଖ୍ୟା
ତେଲଙ୍ଗାନା : ୧୫ ମୃତ, ୧୫ ଆହତ
ଆନ୍ଧ୍ରପ୍ରଦେଶ : ୯ ମୃତ, ୪ ଆହତ
ଉତ୍ତରପ୍ରଦେଶ : ୫ ମୃତ, ୯ ଆହତ
ମଧ୍ୟପ୍ରଦେଶ : ୪ ମୃତ, ୨ ଆହତ