ଗଠନ ହେଲା ଏକ କୋଟିର ପାଣ୍ଠି

0

ମୃତକଙ୍କ କ୍ଷେତ୍ରରେ ୨ଲକ୍ଷ, ଆହତଙ୍କୁ ୫୦ ହଜାର

ଭୁବନେଶ୍ୱର  : ସଡ଼କ ସୁରକ୍ଷା ଉପରେ ଗଠିତ ସୁପ୍ରିମକୋର୍ଟ କମିଟି ନିର୍ଦେଶ କ୍ରମେ ରାଜ୍ୟ ସରକାର ଏକ କ୍ଷତିପୂରଣ ପାଣ୍ଠି ଗଠନ କରିଛନ୍ତି। ଏଥିରେ ୧କୋଟି ଟଙ୍କାର ବ୍ୟବସ୍ଥା(ଟୋକନ ​‌େ​‌ପ୍ରାଭିଜନ) ରହିଛି। ଏହି ପାଣ୍ଠିରୁ ମୋଟର ଦୁର୍ଘଟଣାରେ ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ। ଏଥିନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
କ୍ଷତିପୂରଣ ପାଣ୍ଠି ପରିବହନ କମିଶନରଙ୍କ ଦ୍ୱାରା ପରିଚାଳିତ ହେବ। ରିଜର୍ଭ ବ୍ୟାଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଯେ କୌଣସି ବ୍ୟାଙ୍କରେ ଉପରୋକ୍ତ ପାଣ୍ଠି ପୃଥକ ଆକାଉଣ୍ଟରେ ରଖାଯିବ। ଏଥିପାଇଁ ପରିବହନ କମିଶନରଙ୍କୁ ‘କ୍ଳେମ ସେଟଲମେଣ୍ଟ ଅଧିକାରୀ’ ଏବଂ ଆରଟିଓଙ୍କୁ କ୍ଲେମ ଅନୁସନ୍ଧାନକାରୀ ଅଧିକାରୀ ଭାବେ ଘୋଷଣା କରାଯାଇଛି। ଦୁର୍ଘଟଣାରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ପରିବାରକୁ ୨ଲକ୍ଷ ଟଙ୍କା
ପ୍ରଦାନ କରାଯିବ ଏବଂ ଗୁରୁତର ଆହତଙ୍କୁ ୫୦ହଜାର ଟଙ୍କା ଦିଆଯିବ। କ୍ଷତିପୂରଣ ପାଇବା ପାଇଁ ଅତି ବେଶିରେ ଦୁର୍ଘଟଣା ଘଟିବାର ୬ମାସ ମଧ୍ୟରେ ଆବେଦନ କରାଯାଇପାରିବ। ଏଥିପାଇଁ ଆବେଦନକାରୀ ଅନୁସନ୍ଧାନକାରୀ ଅଧିକାରୀଙ୍କୁ ଏକ ଅଣ୍ଡରଟେକିଂ ଦେବେ ଏବଂ ଯଦି ସମ୍ପୃକ୍ତ ଅଧିକାରୀ ଏହାକୁ ଗ୍ରହଣ ନକରନ୍ତି ତେବେ କେଉଁ କାରଣରୁ ଗ୍ରହଣ କରିନାହାନ୍ତି ସେ ସମ୍ପର୍କରେ ଆବେଦନକାରୀ ତଦନ୍ତକାରୀ ଅଧିକାରୀଙ୍କ ନିର୍ଦେଶ ରେକର୍ଡ଼ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇପାରିବେ।
ଆବେଦନପତ୍ର ପାଇବା ପରେ ଆରଟିଓ ଏତଲାର ନକଲ, ଇନକ୍ୱେଷ୍ଟ ରିପୋର୍ଟ, ଶବ ବ୍ୟବଚ୍ଛେଦ ରିପୋର୍ଟ, ଅନୁସନ୍ଧାନ ରିପୋର୍ଟ ଆଧାରରେ ଦୁର୍ଘଟଣାର ତଦନ୍ତ କରିବେ। ଏକାଧିକ ଆବେଦନକାରୀଙ୍କ କ୍ଷେତ୍ରରେ କ୍ଷତିପୂରଣ ପାଇବାକୁ ପ୍ରକୃତରେ କିଏ ହକଦାର ସେ ବିଷୟରେ ଆରଟିଓ ନିଷ୍ପତ୍ତି ନେବେ। ଅନୁସନ୍ଧାନ କରିବାର ମାସକ ଭିତରେ ଆରଟିଓ ଅଭିଯୋଗ ସମାଧାନ ଅଧିକାରୀଙ୍କ ନିକଟରେ ଏ ସମ୍ପର୍କରେ ସୁପାରିସ କରିବେ। ଆରଟିଓଙ୍କଠାରୁ ରିପୋର୍ଟ ପାଇବା ପରେ ପରିବହନ କମିଶନର ୧୫ଦିନ ଭିତରେ କ୍ଷତିପୂରଣ ରାଶି ମଞ୍ଜୁର କରିବା ସହିତ ଏ ସମ୍ପର୍କରେ ଅଭିଯୋଗକାରୀ ଏବଂ ଓ ଆରଟିଓଙ୍କୁ ଅବଗତ କରାଇବେ।
ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷତିପୂରଣ କ୍ଷେତ୍ରରେ ଆରଟିଓଙ୍କ ନିଷ୍ପତ୍ତି କ୍ରମେ ମୃତକଙ୍କ ଉତ୍ତରାଧିକାରୀଙ୍କୁ କ୍ଷତିପୂରଣ ମିଳିବ। ଦୁର୍ଘଟଣାରେ ଆହତଙ୍କ କ୍ଷେତ୍ରରେ ସମ୍ପୃକ୍ତ ଆହତଙ୍କୁ ଚେକ ବା ଡ଼ିମାଣ୍ଡ ଡ୍ରାଫ୍ଟ ଆକାରରେ ଅର୍ଥରାଶି ଦିଆଯିବ। ଯଦି ଦୁର୍ଘଟଣା ଘଟାଇଥିବା ଗାଡ଼ି ପରବର୍ତ୍ତୀ କାଳରେ ଚିହ୍ନଟ ହୁଏ ସେ କ୍ଷେତ୍ରରେ ବୀମା କମ୍ପାନୀ/ କ୍ଲେମ୍ସ ଟ୍ରିବୁନାଲ ଦ୍ୱାରା ମାମଲାର ସମାଧାନ ପରେ ଅଭିଯୋଗକାରୀ କ୍ଷତିପୂରଣ ରାଶି ପାଇଥିଲେ ପୂର୍ବରୁ ସରକାରଙ୍କ କ୍ଷତିପୂରଣ ପାଣ୍ଠିରୁ ନେଇଥିବା ଅର୍ଥ ପରିବହନ କମିଶନରଙ୍କୁ ଫେରାଇବାକୁ ହେବ।

Leave A Reply