ଅଭିଲେଖାଗାରର ନଥିପତ୍ର ଉତ୍ତରପିଢ଼ି ପାଇଁ ଡିଜିଟାଇଜେସନ୍ ମାଧ୍ୟମରେ ସୁରକ୍ଷିତ ରଖାଯିବ
ଅଭିଲେଖାଗାର ପକ୍ଷରୁ ‘ରାଜ୍ୟ ଅଭିଲେଖ ସପ୍ତାହ’ ପାଳିତ; ‘ଓଡ଼ିଶାରେ ପାଇକ ବିଦ୍ରୋହ’ ଆଲୋଚନାଚକ୍ର
ଭୁବନେଶ୍ୱର: ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ବିକାଶ କ୍ଷେତ୍ରରେ ଅଭିଲେଖାଗାରର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ। ଅଭିଲେଖାଗାରର ନଥିପତ୍ର କିପରି ଉତ୍ତରପିଢ଼ି ପାଇଁ ଡିଜିଟାଇଜେସନ ମାଧ୍ୟମରେ ସୁରକ୍ଷିତ ରଖାଯିବ। ଏହାସହିତ ଅଭିଲେଖାଗାରର କର୍ମଚାରୀ ଅଭାବ ଦୂର କରାଯିବ ବୋଲି ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ପ୍ରକାଶ କରିଛନ୍ତି। ରାଜ୍ୟ ଅଭିଲେଖାଗାରରେ ଅନୁଷ୍ଠିତ ରାଜ୍ୟ ଅଭିଲେଖ ସପ୍ତାହ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପାଢ଼ୀ ରାଜ୍ୟ ଖୋର୍ଦ୍ଧାଠାରେ ନିର୍ମିତ ହେବାକୁ ଥିବା ପାଇକ ବିଦ୍ରୋହର ସ୍ମାରକୀ କିପରି ଅନ୍ତର୍ଜାତୀୟ ମାନ୍ୟତା ପାଇପାରିବ ସେ ଦିଗରେ ସମସ୍ତଙ୍କର ମିଳିତ ପ୍ରଚେଷ୍ଟା ରହିବା ଉଚିତ ବୋଲି ଶ୍ରୀ ପାଢ଼ୀ ପ୍ରକାଶ କରିଥିଲେ।
ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ କାର୍ଯ୍ୟକ୍ରମରେ ଯୋଗଦେଇ ପାଇକମାନେ ସାଧାରଣ କୃଷକ ଓ ଅସାଧାରଣ ଯୋଦ୍ଧା ଥିଲେ। ସେମାନେ ଏକାଧାରାରେ ରାଜତନ୍ତ୍ର ଏବଂ ଓଡ଼ିଆ ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତିର ରକ୍ଷକ ଥିଲେ। ତେଣୁ ଓଡ଼ିଶା ଇତିହାସରେ ପାଇକ ବିଦ୍ରୋହ ଏକ ଅଗ୍ରଗଣ୍ୟ ସ୍ଥାନ ନିଶ୍ଚିତ ଭାବରେ ନେବ ବୋଲି ସେ ପ୍ରକାଶ କରିଥିଲେ।
ଏହି ଅବସରରେ ରାଜ୍ୟ ଅଭିଲେଖାଗାର ପକ୍ଷରୁ ଆୟୋଜିତ ‘ଓଡ଼ିଶାରେ ପାଇକ ବିଦ୍ରୋହ’ ବିଷୟ ସମ୍ବଳିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଉତ୍କଳ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ପ୍ରାକ୍ତନ ପ୍ରଫେସର ପ୍ରସନ୍ନ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇ ପାଇକ ବିଦ୍ରୋହକୁ କାହିଁକି ଭାରତର ପ୍ରଥମ ସ୍ୱାଧୀନତା ଆନ୍ଦୋଳନ କୁହାଯିବ ସେ ସଂକ୍ରାନ୍ତରେ ଐତିହାସିକ ତଥ୍ୟ ଉପସ୍ଥାପନ କରିଥିଲେ। ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ସ୍ୱାଗତ ଭାଷଣ ଦେଇଥିବାବେଳେ ଉପେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.