ପ୍ରଧାନମନ୍ତ୍ରୀଙ୍କ ଆବାସ ଘେରିବେ ଆପ୍‍ କାର୍ଯ୍ୟକର୍ତ୍ତା, ୪ ମେଟ୍ରୋ ଷ୍ଟେସନ୍‍ ବନ୍ଦ

0

ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି (ଆପ) ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଆବାସ ଘେରାଉ କରିବ ବୋଲି ଘୋଷଣା କରିବା ପରେ ଦିଲ୍ଲୀ ପୁଲିସ୍‍ ସୁରକ୍ଷା ଦୃଷ୍ଟିରୁ ୪ଟି ମେଟ୍ରୋ ଷ୍ଟେସନ୍‍କୁ ବନ୍ଦ କରିଦେଇଛି। ଦିଲ୍ଲୀ ଡିଏସ୍‍ପି ମାଧୁର ବର୍ମା କହିଛନ୍ତି ଯେ ଆପ ପକ୍ଷରୁ ପ୍ରଦର୍ଶନ ଶୋଭାଯାତ୍ରା ପାଇଁ କୌଣସି ଅନୁମତି ନିଆଯାଇନାହିଁ। ପଦର୍ଶନକୁ ଦୃଷ୍ଟିରେ ରଖି ୪ଟି ମେଟ୍ରୋ ଷ୍ଟେସନ୍‍ ଫାଟକ ବନ୍ଦ କରିଦିଆଯାଇଛି। ଏପଟେ ଆଇଏଏସ୍‍ ଅଧିକାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବିରୋଧରେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜାଲଙ୍କ ବାସଭବନ ରାଜଭବନର ପ୍ରତୀକ୍ଷାଳୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ ଓ ଗୋପାଳ ରାୟ ପ୍ରମୁଖ ଅନଶନରେ ବସିଛନ୍ତି। ଆଇଏଏସ୍‍ ଅଫିସରମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଉପରାଜ୍ୟପାଳ ନିର୍ଦେଶ ନ ଦେବ ପର୍ଯ୍ୟନ୍ତ ସେମାନେ ଅନଶନରେ ବସିବେ ବୋଲି କେଜରିୱାଲ କହିଛନ୍ତି।
ଅପରପକ୍ଷରେ ଆପ ନେତା ସୌରଭ ଭରଦ୍ୱାଜ ଏକ ସାମ୍ବାଦିକ ସମ୍ମିଳନୀ ଡାକି ପ୍ରଦର୍ଶନ ସମୟରେ କୌଣସି ପ୍ରକାର ହିଂସା ହେବ ନାହିଁ ବୋଲି ଦଳ ସୁନିଶ୍ଚିତ କରିବାକୁ ଚାହୁଁଛି। ଆମେ କୌଣସି ରାଜ୍ୟକୁ ସମର୍ଥନ ମାଗିନଥିଲୁ। କିନ୍ତୁ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ଆମ ସମର୍ଥନରେ ଆଗକୁ ଆସିଛନ୍ତି। କେଜେରିୱାଲ ଟ୍ୱିଟ୍‍ କରି ମୋଦୀଙ୍କ ଉପରେ ବର୍ଷିଛନ୍ତି। ସେ ଟ୍ୱିଟ୍‍ରେ ଲେଖିଛନ୍ତି ଯେ ଯେଉଁ ପ୍ରଧାନମନ୍ତ୍ରୀ ଗୋଟିଏ ରାଜ୍ୟର ସରକାରୀ ଅଧିକାରୀଙ୍କ ଦ୍ୱାରା ଆନ୍ଦୋଳନ କରାଇ ସେଠାକାର କାର୍ଯ୍ୟ ଠପ୍‍ କରିଦେଉଛନ୍ତି, ସେଭଳି ପ୍ରଧାନମନ୍ତ୍ରୀଙ୍କ ହାତରେ କ’ଣ ଦେଶର ଗଣତନ୍ତ୍ର ସୁରକ୍ଷିିତ ଅଛି ? ଉଲ୍ଲେଖ ଯେ ପ୍ରାୟ ୪ମାସ ହେଲା ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବା ଆଇଏଏସ୍‍ ଅଫିସରମାନେ ଆପ୍‍ ମନ୍ତ୍ରୀମାନଙ୍କ ଦ୍ୱାରା ଆହୂତ କୌଣସି ବୈଠକରେ ଯୋଗ ଦେଉ ନାହାନ୍ତି। ଏହାଦ୍ୱାରା ସରକାରଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସାମ୍ବିଧାନିକ ଦାୟିତ୍ୱ ଦୃଷ୍ଟିରୁ ଉପରାଜ୍ୟପାଳ ଅଫିସରମାନଙ୍କୁ କାର୍ଯ୍ୟରେ ଯୋଗଦେବାକୁ ଆବଶ୍ୟକ ନିର୍ଦେଶ ଦେବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆପ୍‍ ସରକାର ଦାବି କରିଛି। ସୂଚନା ଯୋଗ୍ୟ ଦିଲ୍ଲୀ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଆପ୍‍ ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମାଡ ମାରିବା ନେଇ ଅଭିଯୋଗ ହେବା ପରେ ଏପରି ଅପ୍ରୀତିକର ପରିସ୍ଥିତି ଦେଖାଯାଇଛି। ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପରାଜ୍ୟପାଳଙ୍କ ବାସଭବନରେ କେଜେରିୱାଲଙ୍କୁ ଭେଟିବା ପାଇଁ ଲୋଡିଥିବା ଅନୁମତିକୁ ଅଗ୍ରାହ୍ୟ କରିଦିଆଯାଇଛି। ଏହାକୁ ନେଇ ଆପ ନେତମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହା ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତ ରହିଛି ବୋଲି ଦଳ ଅଭିଯୋଗ କରିଛି। ସେହିପରି ମେଟ୍ରୋ ଷ୍ଟେସନ୍‍ ଫାଟକ୍‍ ବନ୍ଦକୁ ନେଇ ଦିଲ୍ଲୀ ରାଜ୍ୟ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ପ୍ରଦର୍ଶନରେ ଲୋକଙ୍କ ପହଞ୍ଚିବାକୁ ରୋକିବା ପାଇଁ ଏପରି କରାଯାଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‍.ଡି କୁମାରସ୍ୱାମୀ ଏହାକୁ ସାମ୍ବିଧାନିକ ସଂକଟ ବୋଲି କହିଛନ୍ତି।

ଚନ୍ଦ୍ରବାବୁ ନାଇଡୁ : ଆମେ ଉରାଜ୍ୟପାଳଙ୍କୁ ପତ୍ର ଲେଖି କେଜେରିୱାଲଙ୍କୁ ଭେଟିବାକୁ ଅନୁମତି ମାଗିଥିଲୁ। କିନ୍ତୁ କୌଣସି ଉତ୍ତର ମିଳିଲା ନାହିଁ। ଏହା ଦୁର୍ଭାଗ୍ୟଜନକ। ୪ ମୁଖ୍ୟମନ୍ତ୍ରୀ କେଜେରିୱାଲଙ୍କୁ ଭେଟିବାକୁ ଚାହାଁନ୍ତି। ବିରୋଧୀ ଦଳଙ୍କ ସରକାରୀ କାର୍ଯ୍ୟରେ କେନ୍ଦ୍ର ହସ୍ତକ୍ଷେପ କରିବା ଅନୁଚିତ।

ପିନରାଇ ବିଜୟନ : ଗଣତନ୍ତ୍ରରେ କେନ୍ଦ୍ର ସରକାର ରାଜ୍ୟର ଅଧିକାର ଉପରେ ଅଙ୍କୁଶ ଲଗାଉଛି। ଏହା କେବଳ ଦିଲ୍ଲୀ ନୁହେଁ ଦେଶ ପାଇଁ ବିପଦ।

ମମତା ବାନାର୍ଜୀ : ଆଜି ସାମ୍ବିଧାନିକ ସଂକଟ ସୃଷ୍ଟି ହୋଇଛି। ଦିଲ୍ଲୀର ଲୋକେ ଚିନ୍ତାରେ ଅଛନ୍ତି। ଜଣେ ମୁଖ୍ୟମନ୍ତ୍ରୀ ୬ ଦିନ ଧରି ଧାରଣାରେ ବସିଛନ୍ତି, ସେଠୁ ବୁଝାପଡୁଛି ଦେଶର ଭବିଷ୍ୟତ କ’ଣ ହେବ।

ଏଚ୍‍.ଡି କୁମାରସ୍ୱାମୀ : ଦିଲ୍ଲୀ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କୁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ।

Leave A Reply