ଜୈବ ବିବିଧତା ଏବଂ ପ୍ରକୃତିର ସୁରକ୍ଷା ଭବିଷ୍ୟତ ପାଇଁ ଗୁରୁତ୍ଵପୂର୍ଣ୍ଣ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବନ୍ୟପ୍ରାଣୀ ଫଟୋଗ୍ରାଫିର ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର: ବନ୍ୟପ୍ରାଣୀ ଏବଂ ଜୈବବିବିଧତା ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ସହିତ ଏହାର ସୁରକ୍ଷା ଦିଗରେ ସଚେତନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଲୋକସେବା ଭବନ ପରିସରରେ ଶୁକ୍ରବାର ଦିନ ଏକ ଆଲୋଚନା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ସ୍ତରର ପ୍ରସିଦ୍ଧ ତଥା ଖ୍ୟାତିସମ୍ପନ୍ନ ବନ୍ୟପ୍ରାଣୀ ଫୋଟୋଗ୍ରାଫର ତଥା ମାଉଣ୍ଟେନର ଧ୍ରୀତିମାନ୍ ମୁଖାର୍ଜୀ ଯୋଗ ଦେଇ, ସେ ସାମ୍ନା କରିଥିବା ଆହ୍ୱାନ ଓ ପ୍ରାକୃତିକ ଜୈବ ବିବିଧତା ସଂପର୍କରେ ନିଜର ଅନୁଭୂତି ଛାତ୍ରଛାତ୍ରୀଙ୍କୁ କହିଥିଲେ।

ପୃଥିବୀରେ ତଥା ଆମ ଦେଶରେ ଏଭଳି ଅନେକ ସ୍ଥାନ ଏବଂ ଗୁମ୍ଫା ଅଛି ଯେଉଁଠି ସୂର୍ଯ୍ୟକିରଣ ପହଞ୍ଚି ନଥାଏ କିନ୍ତୁ ସେହି ସବୁ ସ୍ଥାନରେ କିପରି ଜୀବଜଗତ ତିଷ୍ଠି ରହିବା ସହିତ ଜୈବ ବିବିଧତାର ଏକ ଅଂଶ ହେଇପାରିଛନ୍ତି ସେ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ । ସେହିପରି ଗଭୀର ସମୁଦ୍ର ଭିତରେ ମଧ୍ଯ କିପରି ବିଭିନ୍ନ ସରୀସୃପ, ମତ୍ସ୍ୟ, ବିଭିନ୍ନ ଜର୍ଜ ପ୍ରାଣୀ ଓ ଜର୍ଜ ଉଦ୍ଭିଦ ବଞ୍ଚି ରହିଛନ୍ତି ତା ଉପରେ ନିଜର ବିଭିନ୍ନ ଫଟୋଚିତ୍ର ଛାତ୍ରଛାତ୍ରୀଙ୍କୁ ଦେଖାଇଥିଲେ। ଏହାସହ ସେହି ଫଟୋଚିତ୍ର ସହ ଜଡ଼ିତ ତାଙ୍କର ବିଶେଷ ଅନୁଭୂତ ବର୍ଣ୍ଣନା କରିଥିଲେ । ପ୍ରକୃତି କିପରି ଆମମାନଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଏବଂ ଏହାର ସୁରକ୍ଷାକୁ ନେଇ ଭବିଷ୍ୟତରେ ଛାତ୍ରଛାତ୍ରୀଙ୍କର କର୍ତ୍ତବ୍ୟ କ’ଣ, ସେ ନେଇ ଅନେକ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରଶ୍ନୋତ୍ତର ସେସନ୍ ଦ୍ବାରା ଛାତ୍ରଛାତ୍ରୀଙ୍କ ମନରେ ବନ୍ୟପ୍ରାଣୀ ଏବଂ ଜୈବ ବିବିଧତାକୁ ନେଇ ଥିବା ଦ୍ବନ୍ଦକୁ ଶ୍ରୀଯୁକ୍ତ ମୁଖାର୍ଜୀ ଦୂର କରିଥଲେ।

ଶ୍ରୀଯୁକ୍ତ ମୁଖାର୍ଜୀ ଏକ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଥିଲେ ମଧ୍ୟ ଫୋଟୋଗ୍ରାଫି ପ୍ରତି ତାଙ୍କର ଏକାନ୍ତ ନିଷ୍ଠା ତାଙ୍କୁ ଆଜି ଏହି ସଫଳତା ଆଣିଦେଇଛି। ପାରିବାରିକ ଆର୍ଥିକ ସ୍ଥିତି ଏତେଟା ସୁଦୃଢ଼ ନଥିଲେ ମଧ୍ୟ ଅନେକ ସଂଘର୍ଷ ପରେ ମଧ୍ୟ ସେ ନିଜ ଲକ୍ଷ୍ୟସ୍ଥଳରୁ ବିଚ୍ୟୁତି ହୋଇନଥିଲେ। ସେହିପରି ଜୀବନରେ କଠିନ ପରିଶ୍ରମ କରିବା ସହିତ ଲକ୍ଷ୍ୟ ପଥରୁ ନଓହରିବା ପାଇଁ ସେ ପିଲାମାନଙ୍କୁ ଉପଦେଶ ଦେଇଥିଲେ।

ଏହି ଜୈବ ବିବିଧତା ସୁରକ୍ଷା କର୍ମଶାଳାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵରର ୩୦ରୁ ଅଧିକ ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟ, ଓଡ଼ିଶା ଆଇକନିକ୍ ଆଦର୍ଶ ବିଦ୍ୟାଳୟ(ଅନ୍ଧାରୁଆ) ସମେତ ବିଭିନ୍ନ ଘରୋଇ ବିଦ୍ୟାଳୟର ୪ଶହରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

Comments are closed.