ଯୋଡାରେ ଖଣି ମନ୍ତ୍ରଣାଳୟର ରୁଦ୍ଧଦ୍ୱାର ବୈଠକ,ମଳିଲାନି ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ ଅନୁମତି

ଯୋଡା: ପୂର୍ବରୁ କେବଳ ଖଣି ନିର୍ଦ୍ଦେଶାଳୟ ପରିସରରେ ସମୀକ୍ଷା ବୈଠକ ସମ୍ପନ୍ନ ହେଉଥିବା ରାଜ୍ୟରେ ପ୍ରଥମ ଥର ନିମନ୍ତେ ଯୋଡା ଅଞ୍ଚଳରେ ଖଣି ମନ୍ତ୍ରଣାଳୟର ବିଧିବଦ୍ଧ ରୁଦ୍ଧକୋଠରୀ ସମୀକ୍ଷା ବୈଠକକୁ କେନ୍ଦ୍ର କରି ବୁଦ୍ଧିଜୀବୀ ମହଲରେ ବିଭିନ୍ନ ପ୍ରକାର ଆଶଙ୍କା ପ୍ରକାଶ ପାଇଛି । କେନ୍ଦୁଝର ଜିଲାପାଳ ଆଶିଷ ଠାକରେଙ୍କ ପୌରହିତ୍ୟରେ ଯୋଡା ପୌର କାର୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ଅପରାହ୍ନରେ ଆୟୋଜିତ ଗୁପ୍ତ ସମୀକ୍ଷା ବୈଠକରେ ଇସ୍ପାତ ଓ ଖଣି ମନ୍ତ୍ରଣାଳୟ କ୍ୟାବିନେଟ୍‍ ମନ୍ତ୍ରୀ ତଥା କେନ୍ଦୁଝର ଜିଲା ଯୋଜନା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ମଲ୍ଲିକ,ଖଣି ବିଭାଗ ମୁଖ୍ୟ ସଚିବ ଆର.କେ.ଶର୍ମା,ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି,ଚମ୍ପୁଆ ଉପଜିଲାପାଳ ପାରୁଲି ପଟ୍ଟୱାରୀ,ଯୋଡା ଖଣି ଉପନିର୍ଦ୍ଦେଶକ ଲକ୍ଷ୍ମୀଧର ନାଏକ ତଥା କାର୍ୟ୍ୟାଳୟର ଅନ୍ୟାନ୍ୟ ଅଧିକାରୀଙ୍କ ସମେତ ଯୋଡା ଖଣି ମଣ୍ଡଳରେ କାର୍ୟ୍ୟରତ ପ୍ରାୟ ୨୭ରୁ ଉର୍ଦ୍ଧ ଖଣି ଓ କାରଖାନା ଶିଳ୍ପର ପ୍ରତିନିଧି ସମୂହ ଯୋଗଦେଇଥିଲେ। ତେବେ ସମ୍ପୃକ୍ତ ସମୀକ୍ଷା ବୈଠକରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁମତି ମିଳିନଥିବାରୁ ଯୋଡା ମିଡିଆ ସେଲ୍‌ରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ସମୟରେ ମନ୍ତ୍ରଣାୟର ସ୍ୱଚ୍ଛତା ଉପରକୁ ବିଭିନ୍ନ ମହଲରୁ ଆଙ୍ଗୁଳି ନିର୍ଦେଶ ହୋଇଛି। ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା କାଳିଆ ଯୋଜନାରେ ବେଆଇନ ଭାବେ ବିନିଯୋଗ ହୋଇଥିବା ଆପାତଃକାଳୀନ ଅର୍ଥର ଭରଣା ସମେତ ଆଗାମୀ ପୌର ନିର୍ବାଚନରେ ହେବାକୁ ଥିବା ବ୍ୟୟ ଅର୍ଥ ସଂଗ୍ରହ ଲକ୍ଷ୍ୟରେ ଶାସକ ଗୋଷ୍ଠୀର ଏହା ଏକ କୂଟନୈତିକ ପଦକ୍ଷେପ ବୋଲି ସାଧାରଣରେ ଆଲୋଚନା ହେଉଛି। ରାଜ୍ୟ ସରକାରଙ୍କ ଖଣି ଓ ଇସ୍ପାତ ମନ୍ତ୍ରଣାୟ ଅନ୍ତର୍ଗତ ଉଚ୍ଚପଦସ୍ଥ ଅଧିକାରୀଙ୍କ ଖାମଖିଆଲି ଓ ଅପରିଣାମଦର୍ଶୀ ନିର୍ଣ୍ଣୟ କାରଣରୁ ନିକଟ ଅତୀତରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଅନାବଶ୍ୟକ ଅର୍ଥ ତଣ୍ଡ ଗଣି ନୟାନ୍ତ ହୋଇପଡିଥିବା ଖଣି ଓ କାରଖାନା ଶିଳ୍ପ ମାଲିକଙ୍କ ନିମନ୍ତେ ଏହି ସମୀକ୍ଷା ବୈଠକ ବେଡି ଉପରେ କୋରଡା ମାଡ ବୋଲି କେତେକ ଶିଳ୍ପପତି ନାମ ଗୋପନ ରଖି ମତ ପ୍ରଦାନ କରିଛନ୍ତି। ତେବେ ଖଣି ବା କାରଖାନା ଶିଳ୍ପ ପରିଚାଳନା ନିମନ୍ତେ ଭିତ୍ତିଭୂମି,ରାସ୍ତଘାଟ ସମସ୍ୟା ତଥା ଏହି କାରଣରୁ ଉତ୍ପନ୍ନ ପରିବହନ ଜନିତ ଅବ୍ୟବସ୍ଥା,ଦେଶୀୟ କାରଖାନା ନିମନ୍ତେ କଞ୍ଚାମାଲର ଅଭାବ ତଥା ଆସନ୍ତା ୨୦୨୦ ମାର୍ଚ୍ଚ ସୁଧା କାର୍ୟ୍ୟରତ ପ୍ରାୟ ସମସ୍ତ ଖଣିର ଖଣି ଲିଜ୍‍ ଅବଧି ସମାପ୍ତ ହେଉଥିବା ପରିପ୍ରେକ୍ଷୀରେ କାର୍ୟ୍ୟକାରୀ ଖଣି ଓ ସମ୍ବନ୍ୱୀତ ଶିଳ୍ପର ଭବିଷ୍ୟତ ଏବଂ ପ୍ରାୟ ୧୨୦୦୦ରୁ ଉର୍ଦ୍ଧ ଖଣି ଶ୍ରମିକଙ୍କ ଜିବିକା ଉପରେ କେତେକ ଖଣି ମାଲିକ ବୈଧ ପ୍ରଶ୍ନ କରିଥିବାର ସୂଚନା ମିଳିଛି। ତେବେ ଯୋଡା ଖଣି ପ୍ରଭାବିତ ଅଞ୍ଚଳରେ ଜିଲା ଖଣିଜ ପାଣ୍ଠିର ସଠିକ୍‍ ବିନିଯୋଗ ପ୍ରସଙ୍ଗରେ କେତେକ ଶିଳ୍ପପତି ମନ୍ତ୍ରଣାଳୟର ଦୃଷ୍ଟିଆକର୍ଷଣ କରିଥିବାର ଜଣା ପଡିଛି।

Comments are closed.