ଜାମ୍ମୁ କାଶ୍ମୀର: କାର୍ଯ୍ୟକ୍ଷମ ହେଲା ଇଣ୍ଟରନେଟ-ଫୋନ୍ ସେବା, ମସଜିଦରେ ନମାଜ ପାଠ ପାଇଁ ଅନୁମତି
ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଦୀର୍ଘ ୫ ଦିନ ପରେ କର୍ଫ୍ୟୁ କୋହଳ କରାଯାଇଛି। ଏବେ ଧୀରେ ଧୀରେ ଜୀବନଯାତ୍ରା ସ୍ୱାଭାବିକ ହେଉଛି। ଶୁକ୍ରବାର ପ୍ରଶାସନ କିଛି ଘଣ୍ଟା କର୍ଫ୍ୟୁ କୋହଳ କରିଥିଲା। ଏହାସହ ଆଂଶିକ ଭାବେ ଇଣ୍ଟରନେଟ ଏବଂ ଫୋନ୍ ସେବା କାର୍ଯ୍ୟକ୍ଷମ କରାଯାଇଛି। ଜାମ୍ମୁ ଏବଂ ଶ୍ରୀନଗରରେ କିଛି ସମୟ ପାଇଁ ବଜାର ଖୋଲିଛି। ଲୋକେ ମସଜିଦକୁ ଯାଇ ନମାଜ ପାଠ କରିଛନ୍ତି। ଲୋକେ ବଜାରକୁ ଯାଇ ଦୈନନ୍ଦିନ ସଉଦାପତ୍ର କିଣିଛନ୍ତି। ଇଦକୁ ଦୃଷ୍ଟିରେ ରଖି ସାଧାରଣ ଜୀବନଯାତ୍ରାକୁ ଖୁବଶୀଘ୍ର ସ୍ୱାଭାବିକ କରିବାକୁ ପ୍ରଶାସନ ଚେଷ୍ଟା କରୁଛି।
ପ୍ରଶାସନିକ ଅଧିକାରୀଙ୍କ କହିବା ଅନୁସାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନିର୍ଦେଶ ଅନୁଯାୟୀ ଶୁକ୍ରବାର କର୍ଫ୍ୟୁ କୋହଳ କରାଯାଇଛି। ଲୋକଙ୍କୁ ମସଜିଦରେ ନମାଜ ପାଠ ପାଇଁ ଅନୁମତି ଦିଆଯାଇଛି। ତେବେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷା ବାହିନୀଙ୍କୁ ହାଇ ଆଲର୍ଟରେ ରଖାଯାଇଛି। ଜାମ୍ମୁ ଏବଂ କାଶ୍ମୀରର ସାମ୍ବା ଜିଲାରେ ସ୍କୁଲ ଏବଂ କଲେଜ ଖୋଲିଛି। ଜାମ୍ମୁ କାଶ୍ମୀର ମୁଖ୍ୟ ଶାସନ ସଚିବ ସରକାରୀ କର୍ମଚାରୀଙ୍କୁ ତତ୍କାଳ ପ୍ରଭାବରେ କାମକୁ ଫେରିବାକୁ ନିର୍ଦେଶ ଦେଇଛନ୍ତି।
ପ୍ରକାଶଯୋଗ୍ୟ ଯେ ଧାରା ୩୭୦ ଉଚ୍ଛେଦ ସମ୍ପର୍କିତ ପ୍ରସ୍ତାବ ଅଗଷ୍ଟ ୫ରେ ରାଜ୍ୟସଭାରେ ଆଗତ ହେବାର ଗୋଟିଏ ଦିନ ପୂର୍ବରୁ ଜାମ୍ମୁ କାଶ୍ମୀରରେ ବ୍ୟାପକ ସୁରକ୍ଷା ବାହିନୀ ମୁତୟନ କରାଯାଇଥିଲା। ଅଗଷ୍ଟ ୪ରୁ ରାଜ୍ୟରେ ଇଣ୍ଟରନେଟ -ଫୋନ ସେବା ସହ ସ୍କୁଲ କଲେଜ ବନ୍ଦ କରାଯାଇଥିଲା।
Comments are closed.