ଧାମରା ବନ୍ଦରରୁ ଚୋରି ଜିନିଷ ଆଣୁଥିବା ଗାଡି ଜବତ, ଚାଳକ ଅଟକ

ଧାମରା: ଭଦ୍ରକ ଜିଲା ଧାମରା ବନ୍ଦର ମଧ୍ୟରୁ କିଛି ଚୋରା ଯନ୍ତ୍ରପାତି ନେଇ ଆସୁଥିବା ବେଳେ ଏକ ଇନୋଭା ଗାଡ଼ିକୁ ଅଟକ ରଖାଯାଇଥିବା ବେଳେ ଗାଡିର ଚାଳକକୁ ପଚରା ଉଚରା ପରେ ଛଡା ଯାଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ନିଜକୁ ଏକ ଜାତୀୟ ରାଜନୈତିକ ଦଳର ପୃଷ୍ଠପୋଷକ କହୁଥିବା ବ୍ୟକ୍ତି ନିଜର ଇନୋଭା ଗାଡି ସହ ଧାମରା ବନ୍ଦର ମଧ୍ୟକୁ ଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ, ସଂପୃକ୍ତ ବ୍ୟକ୍ତି କିଛି ଦିନ ପୂର୍ବେ ଧାମରା ବନ୍ଦର କର୍ତୁପକ୍ଷଙ୍କୁ ଧମକାଇ କିଛି ଠିକାକାମ ନେଇଥିଲେ। ମାତ୍ର ଇତିମଧ୍ୟରେ ସେହି କାର୍ଯ୍ୟ ଶେଷ ହୋଇଥିବା ବେଳେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କର ବନ୍ଦର ମଧ୍ୟକୁ ଯାତାୟତ କରିବା ପାଇଁ ପାଶର ଅବଧି ମଧ୍ୟ ସରି ଯାଇଥିଲା। ଗତକାଲି ସଂପୃକ୍ତ ବ୍ୟକ୍ତିବିଶେଷ ଗେଟରେ ନିଜର ନାଲି ଆଖି ଦେଖାଇ ବନ୍ଦର ମଧ୍ୟକୁ ପ୍ରବେଶ କରି ବନ୍ଦର ମଧ୍ୟରୁ କିଛି ଯନ୍ତ୍ରପାତି ଉଠାଇ ନିଜ ଇନୋଭା ଗାଡିରେ ଲୋଡ କରି ନେଇ ଆସୁଥିଲେ। ଗେଟରେ ଥିବା ନିରାପତା ଅଧିକାରୀ ଇନୋଭା ଗାଡିକୁ ଚେକ କରିବା ବେଳେ ସଂପୃକ୍ତ ବ୍ୟକ୍ତି ନାଲିଆଖି ଦେଖାଇ କଣପାଇଁ ମୋର ଗାଡି ଚେକ କରୁଛ ବୋଲି ପଚାରିଥିଲେ। ନିରାପତା ଅଧିକାରୀ ଉକ୍ତ ଲୋକକୁ ତୁମର ବନ୍ଦର ମଧ୍ୟକୁ ଯାତାୟତ କରିବା ପାଇଁ ଅନୁମତି ନାହିଁ ଏବଂ କେଉଁ ପରିସ୍ଥିତିରେ ତୁମେ ଚୋରା ଯନ୍ତ୍ରପାତି ଆଣିଛ ବୋଲି ପ୍ରଶ୍ନ ପଚାରିଥିଲେ। ମାତ୍ର ଉକ୍ତ ବ୍ୟକ୍ତି ନିଜ ଗାଡିରେ ଏକ ରାଷ୍ଟ୍ରାୟତ ଦଳର ଲୋଗୋ ବ୍ୟବହାର କରୁଥିବା ବେଳେ ନିଜର ଭୁଲ ନମାନି ନିଜକୁ ଏକ ନେତା ବୋଲି କହିବା ସହ ହାକିମାତି ଦେଖାଇ ନିରାପତା ଅଧିକାରୀଙ୍କୁ ଅଶ୍ଳୀଳ ଭାଷା ବ୍ୟବହାର କରିଥିଲେ। ଶେଷରେ ଅନ୍ୟ ଉପାୟ ନପାଇ ବନ୍ଦର କର୍ତୁପକ୍ଷ ସଂପୃକ୍ତ ବ୍ୟକ୍ତିଙ୍କୁ ଠେଲି ଠେଲି ଆଣି ଗେଟ ବାହାରେ ଛାଡି ଦେଇଥିବା ବେଳେ ତାଙ୍କର ଇନୋଭା ଗାଡିଟିକୁ ସିଲ କରି ବନ୍ଦର ମଧ୍ୟରେ ରଖି ଦେଇଥିବା ଜଣାଯାଇଛି।

kalyan agarbati

Comments are closed.