ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ଭୂ-ସ୍ଖଳନ; ୧୦୦ରୁ ଊର୍ଦ୍ଧ୍ବ ରାସ୍ତା ବନ୍ଦ
ବିହାରରେ ଅନେକ ଟ୍ରେନ ଚଳାଚଳ ବାତିଲ
ନୂଆଦିଲ୍ଲୀ : ମୂଷଳ ଧାରାରେ ପ୍ରବଳ ବର୍ଷା ଯୋଗୁଁ ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଛି। ଭୂ-ସ୍ଖଳନରୁ ଉତ୍ତରାଖଣ୍ଡରେ ୧୦୦ରୁ ଊର୍ଦ୍ଧ୍ବ ରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଛି। ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ୪ ଜିଲାରେ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।
ସେହିପରି ବିହାରରେ ଅନେକ ଟ୍ରେନ ଚଳାଚଳ ବାତିଲ ହୋଇଛି। ବିହାରରେ ବାଗମତୀ ସମେତ ଅନ୍ୟ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ସମସ୍ତିପୁର-ଦରଭଙ୍ଗନ ରେଳପଥରେ ଟ୍ରେନ ଚଳାଚଳ ତତ୍କାଳ ବନ୍ଦ କରିଦିଆଯାଇଛି। ୪ ଦୂରଗାମୀ ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି। ଏହାକୁ ନେଇ ଅନେକ ରେଳ ଷ୍ଟେସନରେ ଯାତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଛି। ବର୍ଷା ଯୋଗୁଁ ଜାମ୍ମୁ କାଶ୍ମୀରରେ ଅମରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ ଖରାପ ମୌସୁମୀ ବର୍ଷା ଯୋଗୁଁ କୌଣସି ବି ତୀର୍ଥଯାତ୍ରୀଙ୍କୁ ଅମରନାଥ ଯାତ୍ରାରେ ଯିବାକୁ ଦିଆଯିବ ନାହିଁ। ସେପଟେ ଉତ୍ତରାଖଣ୍ଡ ପାଣିପାଗ ବିଭାଗ କେନ୍ଦ୍ର ନିର୍ଦେଶକ ବିକ୍ରମ ସିଂହ କହିଛନ୍ତି ଯେ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଡେରାଡୁନ, ହରିଦ୍ୱାର, ନୈନୀତାଲ ଏବଂ ପିଥୌରାଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ୪ ଜିଲାରେ ହାଇଆଲର୍ଟ ଜାରି କରାଯାଇଛି। ଶନିବାର ମୂଷଳ ଧାରାରେ ପ୍ରବଳ ବର୍ଷା ଯୋଗୁଁ ଭୂ-ସ୍ଖଳନ ଘଟି ୧୦୦ରୁ ଊର୍ଦ୍ଧ୍ବ ରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଛି। ଉତ୍ତରାଖଣ୍ଡର ପୌରୀରେ ୧୫ଟି ସଡ଼କ, ପିଥୌରାଗଡ଼ରେ ୧୫, ନୈନୀତାଲରେ ୧୫, ଡେରାଡୁନରେ ୧୨, ଚମ୍ପାବତରେ ୧୦, ଚମୋଲିରେ ୮, ଟିହାରୀରେ ୮, ବାଗେଶ୍ୱରରେ ୭, ଉତ୍ତରକାଶୀରେ ୬ ଏବଂ ଋଦ୍ରପ୍ରୟାଗରେ ୪ଟି ସଡ଼କରେ ଯାତାୟତ ବନ୍ଦ ହୋଇଯାଇଛି।
Comments are closed.