ଆତଙ୍କବାଦ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଇମ୍ରାନ ଖାନଙ୍କୁ ଭାରତର ପରାମର୍ଶ
ନୂଆଦିଲ୍ଲୀ : ଆମେରିକା ଗସ୍ତ ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଦେଶରେ ଆତଙ୍କବାଦୀ ଥିବା ସ୍ୱୀକାର କରିଥିଲେ। ଏହାକୁ ନେଇ ଗୁରୁବାର ଭାରତର ବିଦେଶ ମନ୍ତ୍ରାଳୟ (ଏମଇଏ) ଇମ୍ରାନଙ୍କୁ ଆତଙ୍କବାଦ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ପରାମର୍ଶ ଦେଇଛି।
ଏହାସହ ଭାରତର ବିଦେଶ ମନ୍ତ୍ରାଳୟ ଆଶା ବ୍ୟକ୍ତ କରିଛି ଯେ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ) ରାୟ ଅନୁସାରେ ପାକିସ୍ତାନ କୁଳଭୂଷଣ ଯାଦବଙ୍କୁ ଦୂତାବାସସ୍ତରୀୟ ସହଯୋଗ ଯୋଗାଇ ଦେବ। ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବ (୪୯)ଙ୍କୁ ପାକିସ୍ତାନର ଏକ ସାମରିକ ଅଦାଲତ ଗୁପ୍ତଚର ଅଭିଯୋଗରେ ମୃତ୍ୟୁଦଣ୍ଡ ଦେଇଛି। ଆଇସିଜେ ପାକିସ୍ତାନ ସାମରିକ କୋର୍ଟର ରାୟ ଉପରେ ସ୍ଥଗିତାଦେଶ ଲଗାଇବା ପୂର୍ବକ ଭିଏନା କନଭେନସନ ଅନୁସାରେ କୁଳଭୂଷଣଙ୍କୁ ଦୂତାବାସସ୍ତରୀୟ ସହଯୋଗ ଯୋଗାଇ ଦେବାକୁ କହିଥିଲା। ଭାରତ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପାକିସ୍ତାନରେ ୩୦ରୁ ୪୦ ହଜାର ଆତଙ୍କବାଦୀ ଥିବା ଇମ୍ରାନ ଖାନ ସ୍ୱୀକାର କରିଛନ୍ତି। ତେଣୁ ଏବେ ଆତଙ୍କବାଦ ବିରୋଧରେ ଇମ୍ରାନ ଖାନ ବିଶ୍ୱାସଯୋଗ୍ୟ କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ଆଇସିଜେ ରାୟ ଅନୁସାରେ ଇସଲାମାବାଦ ଭାରତକୁ ସହଯୋଗ କରିବ ବୋଲି ଆଶା ବ୍ୟକ୍ତ କରୁଛୁ।
ଆମେରିକାରେ ଇମ୍ରାନଙ୍କ ସ୍ୱୀକାରୋକ୍ତିକୁ ନେଇ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ନେତା ବିଲୱାଲ ଭୁଟ୍ଟୋ ଜର୍ଦାରୀ ଇମ୍ରାନଙ୍କୁ ‘ଦାଢି ନଥିବା ତାଲିବାନ ଖାନ’ ବୋଲି ସମ୍ବୋଧିତ କରିଥିଲେ। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ (ନୱାଜ) ପକ୍ଷରୁ କୁହାଯାଇଛି ଯେ ଦୃଢବିଶ୍ୱାସର ସହ ମିଛ କହୁଥିବାରୁ ଇମ୍ରାନଙ୍କୁ ପୁରସ୍କୃତ କରାଯିବ ଦରକାର।
ଆମେରିକାର ଇନଷ୍ଟିଚ୍ୟୁଟ୍ ଅଫ୍ ପିସ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଇମ୍ରାନ କହିଥିଲେ ଯେ ପାକିସ୍ତାନରେ ଏବେ ବି ୩୦ରୁ ୪୦ ହଜାର ପ୍ରଶିକ୍ଷିତ ଆତଙ୍କବାଦୀ ରହିଛନ୍ତି। ଏମାନେ ବର୍ତ୍ତମାନ ଆଫଗାନିସ୍ତାନ ଏବଂ କାଶ୍ମୀରର କିଛି ଅଞ୍ଚଳରେ ଅଛନ୍ତି । ତାଙ୍କ ଦଳ ପାକିସ୍ତାନ ତେହରିକ-ଏ-ଇନସାଫ କ୍ଷମତାକୁ ଆସିବା ପୂର୍ବରୁ ରହିଥିବା ସରକାରଗୁଡ଼ିକ ପାଖରେ ନିଜ ମାଟିରୁ ଆତଙ୍କବାଦୀଙ୍କୁ ନିପାତ କରିବା ଲାଗି ରାଜନୈତିକ ଇଚ୍ଛାଶକ୍ତି ନ ଥିଲା। ଆମ ସରକାର ଏପରି ପ୍ରଥମ ସରକାର ଯିଏ ଆତଙ୍କୀ ସଂଗଠନଗୁଡ଼ିକୁ ନିରସ୍ତ୍ର କରୁଛି। ଆମେ ଆତଙ୍କୀ ସଂଗଠନ ଏବଂ ମଦ୍ରାସାକୁ ନିଜ ନିୟନ୍ତ୍ରଣକୁ ନେଇସାରିଛୁ। ସେଠାରେ ଆମ ପ୍ରଶାସକ ରହିଛନ୍ତି।
Comments are closed.