ବଜ୍ରାଘାତରେ ବାଇକ ଚାଳକ ଗୁରୁତର
ପିପିଲି : ପୁରୀ ଜିଲାର ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ରାସ୍ତାରେ ଯାଉଥିବା ଜଣେ ବାଇକ ଚାଳକ ଗୁରୁତର ହୋଇଥଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଆହତଙ୍କ ନାମ ବସନ୍ତ ସେନାପତି(୫୮) ଓ ତାଙ୍କ ଘର ଭୁବନେଶ୍ୱରର ଡୁମୁଡୁମା ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି।
ବୁଧବାର ଅପରାହ୍ନରେ ବର୍ଷା ସାଙ୍ଗକୁ ପ୍ରବଳ ମାତ୍ରାରେ ବଜ୍ରାଘାତ ହୋଇଥିଲା। ପିପିଲି ବାଇପାସ ରାସ୍ତାର ରାଜଧାନୀ ଢାବା ସମ୍ମୁଖରେ ପୁରୀରୁ ବାଇକ୍ ଯୋଗେ ଭୁବନେଶ୍ୱର ଅଭିମୁଖେ ଫେରୁଥିବା ବସନ୍ତ ବଜ୍ରାପାତରେ ରାସ୍ତା ଉପରେ ବାଇକ୍ ସହ ଛିଟିକି ତଳେ ପଡିଥିଲେ। ପାଖରେ ଥିବା କେତେକ ଯୁବକ ତାଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପିପିଲି ଡାକ୍ତରଖାନାକୁ ପଠାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଓ ସେଠାରୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। ସେହିପରି ବଜ୍ରାଘାତରେ ନିର୍ମଳା ବେହେରା ସାହିର ଅଜୟ କାଣ୍ଡିଙ୍କ ଗୁହାଳ ଘର ପୋଡିଯାଇଛି। ଗ୍ରାମବାସୀମାନେ ପାଣି ପକାଇ ନିଆଁକୁ ଲିଭାଇଥିବା ସୂଚନା ମିଳିଛି।
Comments are closed.