ଭ୍ୟାନରେ ୨ ପୁଲିସ୍ କର୍ମୀଙ୍କୁ ହତ୍ୟା କରି ୩ କଏଦୀ ଫେରାର
ଲକ୍ଷ୍ନୌ : ସମ୍ଭଲ ଜିଲାର ଚାନ୍ଦୌସିରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି । କଏଦୀଙ୍କୁ ନେଇ ଯାଉଥିବା ଏକ ପୁଲିସ୍ ଭ୍ୟାନରେ ୨ ପୁଲିସ୍ କର୍ମୀଙ୍କୁ ହତ୍ୟା କରି ୩ ଜଣ କଏଦୀ ଫେରାର ହୋଇଯାଇଛନ୍ତି। ଏହି ପୁଲିସ୍ ଭ୍ୟାନରେ ୨୪ ଜଣ କଏଦୀ ଥିଲେ। ସେମାନଙ୍କୁ ମୁରାଦାବାଦ ଜିଲା କୋର୍ଟରେ ହାଜର ହେବା ପାଇଁ ନିଆଯାଇଥିଲା।
ହାଜର ପରେ ଫେରୁଥିବା ସମୟରେ ପଛରେ ବସିଥିବା ୩ ଜଣ କଏଦୀ ତାଙ୍କ ପାଖରେ ବସିଥିବା ୨ ପୁଲିସ୍ କର୍ମଚାରୀଙ୍କ ରାଇଫଲ ଛଡ଼ାଇ ନେଇ ସେମାନଙ୍କୁ ଗୁଳି ମାରିଥିଲେ। ଘଟଣାସ୍ଥଳରେ ହିଁ ୨ ପୁଲିସ୍ କର୍ମୀଙ୍କ ମୃତ୍ୟୁ ହୋଇଯାଇଛି। ଘଟଣାସ୍ଥଳରୁ ୩ କଏଦୀ ଫେରାର ହୋଇଯାଇଛନ୍ତି। ପୁଲିସ୍ ଆଇଜି ଓ ଅନ୍ୟ ବରିଷ୍ଠ ପୁଲିସ୍ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ରାସ୍ତା ଘାଟ ବନ୍ଦ କରି ଗାଡ଼ିମଟର ତଲାସୀ କରାଯାଉଛି। ଫେରାର କଏଦୀ ବେଶି ଦୂର ଯାଇପାରିନଥିବେ ବୋଲି ଜଣେ ପୁଲିସ୍ ଅଧିକାରୀ କହିଛନ୍ତି। କେଉଁ ପରିସ୍ଥିତିରେ ଓ କିଭଳି ଏହି କାଣ୍ଡ ଘଟିଲା, ତାର ତଦନ୍ତ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।
Comments are closed.