ଚଣ୍ଡୀଗଡ଼: ହୋମୱାର୍କ ମାଗିବାରୁ ଜଣେ ଛାତ୍ର ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ କରିଛନ୍ତି। ହରିୟାଣାର ସୋନପାଟ ଅନ୍ତର୍ଗତ ଭିଗାନ ଗ୍ରାମରେ ଥିବା ଏକ ଘରୋଇ ସ୍କୁଲରେ ଏପରି ଅଭାବନୀୟ ଘଟଣା ଘଟିଛି। ଛୁରାମାଡ଼ରେ ମୁକେଶ କୁମାରୀ ନାମ୍ନୀ ଜଣେ ଶିକ୍ଷୟିତ୍ରୀ ଗୁରୁତର ଆହତ ହୋଇଛନ୍ତି।
ଅଭିଯୋଗ ମୁତାବକ, ସମ୍ପୃକ୍ତ ଛାତ୍ରଙ୍କ ବୟସ ୧୬ ବର୍ଷ। ସୋମବାର ଦିନ କ୍ଲାସରେ ପଢ଼ା ଚାଲିଥିବା ବେଳେ ଶିକ୍ଷୟିତ୍ରୀ ତାଙ୍କୁ ହୋମୱାର୍କ ମାଗିଥିଲେ। ଛାତ୍ର ଜଣକ ହୋମୱାର୍କ କରି ନ ଥିଲେ। କ’ଣ ପାଇଁ ହୋମୱାର୍କ କରିନ ବୋଲି ଶିକ୍ଷୟିତ୍ରୀ ଜଣକ ତାଙ୍କୁ ପଚାରିବାରୁ ଛାତ୍ର ଜଣକ ବ୍ୟାଗରୁ ଏକ ଛୁରି ବାହାର କରି ତାଙ୍କ ପେଟରେ ଭୁସି ଦେଇଥିଲେ। ଛାତ୍ର ଜଣକ ୩ ଥର ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ କରିଥିଲେ। ଶିକ୍ଷୟିତ୍ରୀଙ୍କ ଚିତ୍କାର ଶୁଣି ଅନ୍ୟ ଶିକ୍ଷକମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରି ରୋହତକରେ ଥିବା ଏକ ହସ୍ପିଟାଲକୁ ନେଇଥିଲେ।
ସ୍କୁଲର ପ୍ରିନ୍ସିପାଲ ନୀରଜ ତ୍ୟାଗୀ କହିଛନ୍ତି, ଘଟଣା ପରେ ଛାତ୍ର ଜଣକ କେଉଁଆଡ଼େ ନ ଯାଇ ସେଠାରେ ଚୁପଚାପ ବସିରହିଥିଲେ। ସେ ଜଣେ କ୍ଷଣକୋପୀ ପିଲା ଏବଂ ଛୋଟ ଛୋଟ କଥାରେ ଶିକ୍ଷକମାନଙ୍କ ସହିତ କଳିଝଗଡ଼ା କରିବାକୁ ମଧ୍ୟ ପଛାନ୍ତି ନାହିଁ।



