ହାରେନ ପାଣ୍ଡ୍ୟା ହତ୍ୟା ମାମଲା: ସୁପ୍ରିମକୋର୍ଟରେ ୧୨ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ : ଗୁଜରାଟ ଗୃହ ମନ୍ତ୍ରୀ ହାରେନ ପାଣ୍ଡ୍ୟାଙ୍କ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ୧୨ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ସେମାନଙ୍କ ଦଣ୍ଡାଦେଶ ନେଇ କୌଣସି ସୂଚନା ମିଳିନାହିଁ। ସିବିଆଇ ଏବଂ ଗୁଜରାଟ ସରକାରଙ୍କ ପକ୍ଷରୁ ଏହି ଆବେଦନ କରାଯାଇଥିଲା।
ବିଚାରପତି ଅରୁଣ ମିଶ୍ରଙ୍କ ନେତୃତ୍ୱାଧୀନ ପୀଠ କୋର୍ଟର ତଦାରଖରେ ମାମଲାର ପୁନଃ ଯାଞ୍ଚ ପାଇଁ ସିପିଆଇଏଲ ସଂଗଠନ ପକ୍ଷରୁ କରାଯାଇଥିବା ଜନସ୍ୱାର୍ଥ୍ୟ ମାମଲାକୁ ଖାରଜ କରିଦେଇଛନ୍ତି। ଏହି ଆବେଦନ ପାଇଁ କୋର୍ଟ ଆବେଦନକାରୀଙ୍କୁ ୫୦ ହଜାର ଟଙ୍କା ଜୋରିମାନା କରିଛନ୍ତି।
ପ୍ରକାଶ ଯେ, ହାରେନ ପାଣ୍ଡ୍ୟା ଗୁଜରାଟରେ ନରେନ୍ଦ୍ର ମୋଦୀଙ୍କ ତତ୍କାଳୀନ ସରକାରରେ ଗୃହ ମନ୍ତ୍ରୀ ଥିଲେ। ୨୦୦୩ ମାର୍ଚ୍ଚ ୨୬ ସକାଳେ ଅହମଦାବାଦର ଲ’ ଉଦ୍ୟାନ ନିକଟରେ ତାଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ସିବିଆଇ ଅନୁସାରେ ରାଜ୍ୟରେ ୨୦୦୨ ସାମ୍ପ୍ରଦାୟିକ ଦଙ୍ଗାର ପ୍ରତିଶୋଧ ନେବା ପାଇଁ ଏହି ହତ୍ୟାକାଣ୍ଡ ଭିଆ ଯାଇଥିଲା। ଏହି ମାମଲାରେ ଜିଲା କୋର୍ଟ ଆତଙ୍କବାଦ ନିରୋଧ ଆଇନ ଅନୁସାରେ ୧୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷରୁ ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ରାୟ ଦେଇଥିଲେ। ଗୁଜରାଟ ହାଇକୋର୍ଟ ୨୦୧୧ ଅଗଷ୍ଟ ୨୯ର ଜିଲା କୋର୍ଟର ରାୟକୁ ବଦଳାଇ ସମସ୍ତ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରିଦେଇଥିଲେ। ଏହି ରାୟ ବିରୋଧରେ ସିବିଆଇ ଏବଂ ରାଜ୍ୟ ପୁଲିସ୍ ୨୦୧୨ରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ ବଦଳାଇ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
Comments are closed.