ମଧ୍ୟପ୍ରଦେଶ : ୪୮ ଘଣ୍ଟା ମଧ୍ୟରେ ପୃଥକ ଦୁର୍ଘଟଣାରେ ୫୦ରୁ ଊର୍ଦ୍ଧ୍ବ ମୃତ, ୮୦ ଆହତ

0

ଭୋପାଳ : ମଧ୍ୟପ୍ରଦେଶର ଗତ ୪୮ ଘଣ୍ଟା ମଧ୍ୟରେ ପୃଥକ ଦୁର୍ଘଟଣାରେ ୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୮୦ ଜଣ ଆହତ ହୋଇଛନ୍ତି । ମଣ୍ଡ୍‌ସୋର ଜିଲାରେ ରବିବାର ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡିବା ଫଳରେ ୭ ଜଣ ପ୍ରାଣ ହରାଇଛନ୍ତି ଓ ୨୬ ଜଣ ଆହତ ହୋଇଛନ୍ତି। ବସ୍‌ରେ ସଂଖ୍ୟାଧିକ ଯାତ୍ରୀ ଥିବାବେଳେ ଡ୍ରାଇଭରର ଅସାବଧାନତା ଯୋଗୁଁ ଦୁର୍ଘଟଣା ଘଟିଛି ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ପ୍ରକାଶ। ସେହିପରି ରବିବାର ଜବଲପୁର ଜିଲାର ମାନକେଡି ଗ୍ରାମରେ ରାସ୍ତାକଡ଼ର ଏକ ଗଛ ମୂଳେ ବସିଥିବା ପିଲାଙ୍କ ଉପରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଓଲଟି ପଡିବାରୁ ୮ ଜଣ ପ୍ରାଣ ହରାଇଛନ୍ତି ଓ ୭ ଜଣ ଆହତ ହୋଇଛନ୍ତି । ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଗକୁ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି ବୋଲି ପୁଲିସ୍‌ ସୂତ୍ରରୁ ପ୍ରକାଶ । ସେହିପରି ଶୁକ୍ରବାର ରାତିରେ ସତାନା ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନବଦମ୍ପତି ଓ କାର ଡ୍ରାଇଭରଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇଥିଲେ । ନେରୋରା ଗ୍ରାମ ନିକଟ ମାଇହାର-ଅମରାରପାଟାନ ରାସ୍ତାରେ ନବଦମ୍ପତିଙ୍କୁ ନେଇ ଆସୁଥିବା କାର ସହ ଏକ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଅନୁରୂପ ଭାବେ ଗୁନା ଜିଲା ଅନ୍ତର୍ଗତ ଆଗ୍ରାମ-ମୁମ୍ବଇ ଜାତୀୟ ରାଜପଥରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ନବବିବାହିତାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଏହି ଲୋକମାନେ ଗୁନା ଜିଲାର ବିନ୍‌ଖିଆ ଗ୍ରାମରୁ ବିବାହକାର୍ଯ୍ୟ ସାରି ରାଜଗଡ଼ ଜିଲା ଅନ୍ତର୍ଗତ ତାଲେନ ସହରକୁ ଫେରିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ବିବାହା ସରିବାର ମାତ୍ର ୫ ଘଣ୍ଟା ପରେ ଏହି ଦୁର୍ଘଟଣା ଘଟିଥିଲା । କଟାନି ଜିଲାରେ ଶୁକ୍ରବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା ସେମାନେ ଏକ ବିବାହା କାର୍ଯ୍ୟ ସାରି ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ସେହିଭଳି ରାଇସେନ ଜିଲାରେ ଏକ ବସ୍‌ ଓଲଟି ପଡ଼ିବାରେ ଯାତ୍ରୀମାନେ ବସ୍‌ରେ ନିଅାଁ ଲଗାଇ ଦେଇଥିଲେ। ଏଥିରେ ଅନେକ ଆହତ ହୋଇଛନ୍ତି । ଏହାଛଡ଼ା ଭିଣ୍ଡ, ଦିନଦୋରୀ ଜିଲାରେ ବସ୍‌ ଦୁର୍ଘଟଣାରେ ଅନେକଙ୍କ ମୃତାହତ ଖବର ମଳିିଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ ।

Leave A Reply